ଲାଇଭ୍ କନ୍‌ସର୍ଟରେ କେକେଙ୍କ ଶେଷ ଗୀତ ଥିଲା “ହମ ରହେଁ ୟା ନରହେଁ କଲ…”, ତାଙ୍କର ମୃତ୍ୟୁ ପରେ ଭାଇରାଲ୍ ହେଉଛି ଭିଡିଓ

Share It

ବିଶ୍ଵାସ ହେଉନି… ଆଉ ନାହାଁନ୍ତି ୟାରୋଁ ଗୀତ ଗାଇ କୋଟି କୋଟି ହୃଦୟକୁ ଜିଣିଥିବା କୃଷ୍ଣ କୁମାର କୁନ୍ନଥ। କୋଲକାତାର ବିବେକାନନ୍ଦ କଲେଜରେ ଏକ ଲାଇଭ୍ କନସର୍ଟରେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ହଠାତ୍ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ମେ ୩୧ ତାରିଖ ରାତିର ଏହି ଖବର ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ସଙ୍ଗୀତ ଜଗତ ଶୋକ ସାଗରରେ ବୁଡ଼ି ଯାଇଛି। ଏହି ଲାଇଭ୍ କନସର୍ଟକୁ ନେଇ ଖୁବ୍ ଉତ୍ସାହିତ ଥିଲେ କେକେ। ଏନେଇ ସେ ତାଙ୍କର ଇନଷ୍ଟାଗ୍ରାମ୍ ପୋଷ୍ଟରେ ମଧ୍ୟ ସୂଚନା ଦେଇଥିଲେ। ହେଲେ କିଏ ଜାଣିଥିଲା ଏହା ତାଙ୍କର ଶେଷ କନସର୍ଟ ହେବ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମୃତ୍ୟୁ ପୂର୍ବରୁ ମଞ୍ଚ ଉପରେ କେକେଙ୍କର ଶେଷ ଗୀତ ଥିଲା ହମ ରହେଁ ୟା ନରହେଁ କଲ…। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। କେକେଙ୍କ ଏହି ଶେଷ ଭିଡିଓ ସମସ୍ତଙ୍କୁ ଭାବୁକ କରିଦେଇଛି। ଲବୋଁ କୋ, ଲୁଟ ଗୟେ, ସଚ କହ ରହା ଦିୱାନା ଏବଂ ମେରା ପହଲା ପ୍ୟାର ଭଳି ବହୁ ସୁପରହିଟ୍ ଗୀତ ଦେଇଥିବା କେକେ ଏବେ କେବଳ ଦେଶବାସୀଙ୍କ ସ୍ମୃତିରେ ରହିଗଲେ।

 

View this post on Instagram

 

A post shared by Viral Bhayani (@viralbhayani)

ହିନ୍ଦୀ, ତେଲଗୁ, କନ୍ନଡ, ତାମିଲ, ବେଙ୍ଗଲି, ଗୁଜୁରାଟୀ, ମରାଠୀ, ଅହମିୟ ଆଦି ବିଭିନ୍ନ ଭଷାରେ ସେ ଶତାଧିକ ଗୀତ ଗାଇଛନ୍ତି। ତାଙ୍କର ସୁମଧୁର ସ୍ଵର ପାଇଁ ସେ ଦେଶବାସୀଙ୍କ ହୃଦୟରେ ସର୍ବଦା ରାଜ୍ କରିବେ। ୯୦ ଦଶକର ୟାରୋ ଗୀତରୁ ସଫଳତାର ସିଡ଼ି ଚଢିଥିବା କେକେ ରୋମାଣ୍ଟିକ୍ ଠାରୁ ନେଇ ପାର୍ଟି ସଙ୍ଗ୍ ଯାଏଁ ସବୁ ଗୀତ ଗାଇଛନ୍ତି। କେକେଙ୍କ ଗୀତ ଚିର ସବୁଜ ହୋଇ ରହିବ। କେକେଙ୍କ ଇଟ୍‌ସ୍ ଦ ଟାଇମ୍ ଟୁ ଡିସ୍କୋ, ତଡ଼ପ ତଡ଼ପ, ଏସା କ୍ୟା ଗୁନା କିୟା ଜୋ ଲୁଟ ଗେୟା ଗୀତ ଫ୍ୟାନ୍ସଙ୍କ ହୃଦୟରେ ଗଭୀର ଛାପ ଛାଡ଼ିଛି। ସେ ବଲିଉଡକୁ ବହୁ ହିଟ୍ ଗୀତ ଦେଇଛନ୍ତି। କେକେଙ୍କର ଖୁଦ୍ ଜାନୋ, ଜିନ୍ଦେଗି ଦୋ ପଲକି, ଜରା ସା, ତୁହି ମେରି ସବ ହୈ, ଆଁଖୋ ମେଁ ତେରି ଅଜବ ସି, ତୁ ଜୋ ମିଲା, ଆଶାଏଁ, ମେଁ ତେରା ଧଡ଼କନ ତେରି ଗୀତ ଆଦି ଗୀତ ବହୁ ଲୋକପ୍ରିୟ ହୋଇଥିଲା।


Share It

Comments are closed.