ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ ମାସ୍କଟ ଲୋକାର୍ପିତ
ଭୁବନେଶ୍ବରସ୍ଥିତ ପୋଲିସ ଭବନରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ ୨୦୨୫ର କର୍ଟନ ରେଜର୍ ସମାରୋହ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ ୨୦୨୫ର ଲୋଗୋ ଏବଂ ମାସ୍କଟ-ଆଶାକୁ ଲୋକାର୍ପଣ କରିଛନ୍ତି । କେନ୍ଦୁଝର ଜିଲ୍ଲାର ଏକ ଜଙ୍ଗଲରୁ ଗୁରୁତର ଆହତ ଅବସ୍ଥାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର କର୍ମଚାରୀମାନେ ଏକ ଗଜ ଶାବକ (ହାତୀ ଛୁଆ)କୁ ଉଦ୍ଧାର କରିଥିଲେ । ପରେ ତାକୁ ସେଠାରୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଥିଲା । ତାର ଏହି ସଂଘର୍ଷମୟ କାହାଣୀ ଉପରେ ‘ଆଶା’ ଆଧାରିତ । ଯିଏକି ବର୍ତ୍ତମାନ ନନ୍ଦନକାନନରେ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ଅଛି । ଏହି ମାସ୍କଟ ‘ଆଶା’ ଦୟା, ସାହସ ଓ ପରିବେଶ ସଂରକ୍ଷଣ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିନିଧିତ୍ୱ କରୁଛି ବୋଲି ଡିଜିପି ନିଜ ଅଭିଭାଷଣରେ କହିଥିଲେ। ଓଡ଼ିଶା ପୋଲିସ ଏହି ଚାମ୍ପିୟନସିପକୁ ଦ୍ବିତୀୟ ଥର ପାଇଁ ଆୟୋଜନ କରୁଥିବାରୁ ଖୁରାନିଆ ସର୍ବଭାରତୀୟ ପୋଲିସ କ୍ରୀଡା ନିୟନ୍ତ୍ରଣ ବୋର୍ଡ କୁ ଧନ୍ୟବାଦ ଜଣାଇଥିଲେ । ଏହି ଚାମ୍ପିୟନସିପ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ଏପ୍ରିଲ ୭ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି । ଏଥିରେ ୨୬ଟି ପୁରୁଷ ଦଳ ଓ ୯ଟି ମହିଳା ଦଳ ଅଂଶଗ୍ରହଣ କରୁଥିବା ବେଳେ ମୋଟ ୪୮ଟି ମ୍ୟାଚ ଖେଳାଯିବ । ସିଆଇଏସଏଫ, ସିଆରପିଏଫ, ବିଏସଏଫ, ଆଇଟିବିପି ଓ ଏସଏସବି ଭଳି କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଦଳଗୁଡ଼ିକ ଏହି ପ୍ରତିଯୋଗିତାର ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି ବୋଲି ଡିଜିପି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜନ କମିଟିର ଉପସଭାପତି ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଆୟୋଜନ କମିଟିର ଉପସଭାପତି ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର) ରାଜେଶ କୁମାର, ଆୟୋଜନ କମିଟିର ସମ୍ପାଦକ ତଥା ଆଇଜି(ତାଲିମ) ଅନୁପ କୁମାର ସାହୁ, ସମସ୍ତ ଟିମର ମ୍ୟାନେଜର ଏବଂ ଅଧିନାୟକ, ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.