ପ୍ରଧାନମନ୍ତ୍ରୀଙ୍କୁ ହିନ୍ଦୁ ମହାସଭାର ଚିଠି, ଜାମା ମସ୍ଜିଦ୍ ତଳେ ରହିଛି ହିନ୍ଦୁ ଦେବଦେବୀଙ୍କ ପ୍ରତିମା
ଦିଲ୍ଲୀର ଜାମା ମସ୍ଜିଦ୍ ତଳେ ହିନ୍ଦୁ ଦେବଦେବୀଙ୍କ ପ୍ରତିମା ରହିଛି । ସତ୍ୟତା ଜାଣିବା ପାଇଁ ଉକ୍ତ ଅଞ୍ଚଳକୁ ଖୋଳିବାକୁ ଅନୁମତି ଦିଆଯାଉ ବୋଲି ଅଖିଳ ଭାରତ ହିନ୍ଦୁ ମହାସଭା କହିଛି । ଏହାକୁ ନେଇ ହିନ୍ଦୁ ମହାସଭା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି । ଚିଠିରେ ଏହା କହିଛି ଯେ ମୋଗଲ ଶାସକମାନେ ମସ୍ଜିଦ୍ ନିର୍ମାଣ ପାଇଁ ଦେଶବ୍ୟାପୀ ମନ୍ଦିରଗୁଡ଼ିକୁ ଧ୍ୱଂସ କରିଦେଇଥିଲେ । ରାମ ଜନ୍ମଭୂମି, କୃଷ୍ଣ ଜନ୍ମଭୂମି ଓ ଜ୍ଞାନବାପି ଏହାର ଉଦାହରଣ । ମହାସଭାର କହିବା ମୁତାବକ ଔରଙ୍ଗଜେବଙ୍କ ସେନାର ସବୁଠୁ ବରିଷ୍ଠ ଜେନେରାଲ ଖାନ୍ ଜହାନ୍ ବାହାଦୁର ହିନ୍ଦୁମାନଙ୍କର ବିଭିନ୍ନ ଧାର୍ମିକ ପୀଠକୁ ଧ୍ୱଂସ କରି ଯୋଧପୁର ଓ ଅନ୍ୟ ଅଞ୍ଚଳରୁ ଫେରିବା ପରେ ଦିଲ୍ଲୀର ଜାମା ମସ୍ଜିଦ୍ ସିଡ଼ି ତଳେ ହିନ୍ଦୁ ଦେବଦେବୀଙ୍କ ପ୍ରତିମାଗୁଡ଼ିକୁ ପୋତିଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଉକ୍ତ ଅଞ୍ଚଳକୁ ଖୋଳି ମୂର୍ତ୍ତିଗୁଡ଼ିକୁ ବାହାର କରିବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯିବା ଉଚିତ ।
ହିନ୍ଦୁ ମହାସଭା ମୁଖ୍ୟ ଚକ୍ରପାଣି ମହାରାଜ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ନିକଟକୁ ଏହି ଚିଠି ଲେଖିଛନ୍ତି । ଉଲ୍ଲେଖଯୋଗ୍ୟ, ମୋଗଲ ଶାସକ ଶାହ ଜହାନଙ୍କ ଦ୍ୱାରା ୧୬୪୪ରୁ ୧୬୫୬ ମଧ୍ୟରେ ଐତିହାସିକ ଜାମା ମସ୍ଜିଦ୍ ନିର୍ମାଣ କରାଯାଇଥିଲା । ଏହାପରେ ଔରଙ୍ଗଜେବ ମୃତ୍ୟୁ ପର୍ଯ୍ୟନ୍ତ ପାଖାପାଖି ୪୯ ବର୍ଷ ଶାସନ କରିଥିଲେ ।
Comments are closed.