ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ୍
ପୁରୀ ,୦୨/୦୨: କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇନଥିବା ଅଭିଯୋଗରେ ପୁରୀ ଜିଲ୍ଲାପାଳଙ୍କୁ ଓଡ଼ିଶା ହାଇକୋର୍ଟ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ କାହିଁକି ତାଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସେଥିପାଇଁ ଜବାବ ଦାଖଲ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ହାଇକୋର୍ଟ ଜିଲ୍ଲାପାଳଙ୍କୁ ୩ ସପ୍ତାହ ମଧ୍ୟରେ ସ୍ପଷ୍ଟ ଜବାବ ଦାଖଲ କରିବାକୁ କହିଛନ୍ତି। କୋର୍ଟଙ୍କ ଆଦେଶ ଅନୁସାରେ, ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ସମ୍ପର୍କିତ ଦୀର୍ଘଦିନର ଅନିର୍ଣ୍ଣୟ ମାମଲାରେ ପ୍ରଶାସନର ଅନାସକ୍ତି ଗଭୀର ଚିନ୍ତାର ବିଷୟ ହୋଇଉଠିଛି।
ଉଲ୍ଲେଖଯୋଗ୍ୟ ଯେ, ୧୯୮୭ ମସିହାରେ କୋଣାର୍କ ବାଲୁଖଣ୍ଡକୁ ଅଭୟାରଣ୍ୟ ଘୋଷଣା କରିବା ପାଇଁ ସରକାରୀ ବିଜ୍ଞପ୍ତି ଜାରି ହୋଇଥିଲା। କିନ୍ତୁ ବିଜ୍ଞପ୍ତି ଜାରି ହୋଇଥିବାକୁ ୩୯ ବର୍ଷ ହେଲା ସତ୍ତ୍ୱେ ଏଯାବତ୍ ନ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି, ନ ଜମି ମାଲିକଙ୍କୁ କ୍ଷତିପୂରଣ ଦିଆଯାଇଛି, ନ ତାଙ୍କ ଜମିକୁ ଅଭୟାରଣ୍ୟରୁ ମୁକ୍ତ କରାଯାଇଛି।
ଏହା ପୂର୍ବରୁ ହାଇକୋର୍ଟ ୨୦୨୪ ଡିସେମ୍ବର ସୁଦ୍ଧା ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତି ନେବା ପାଇଁ ପ୍ରଶାସନକୁ ସମୟ ଦେଇଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କୌଣସି ସ୍ପଷ୍ଟ ପଦକ୍ଷେପ ନ ନିଆଯାଇଥିବାରୁ ଅଦାଲତ ଏହାକୁ ଗମ୍ଭୀରତାର ସହ ନେଇ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତି।
ଏହି ମାମଲାକୁ ନେଇ ଜମି ମାଲିକମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅସନ୍ତୋଷ ରହିଥିବାବେଳେ, ହାଇକୋର୍ଟଙ୍କ ଏହି କଠୋର ଆଭିମୁଖ୍ୟକୁ ପ୍ରଶାସନ ପାଇଁ ଏକ ବଡ଼ ଚେତାବନୀ ବୋଲି ଦେଖାଯାଉଛି।
Comments are closed.