ସୁବର୍ଣ୍ଣପୁରରେ ହାଇଟେକ୍ ସର୍ଭେ:୪୫ ଦିନରେ ପଟ୍ଟା ବଣ୍ଟନ ଯୋଜନା

Share It

ଭୁବନେଶ୍ୱର,୦୪/୦୪:ସୁବର୍ଣ୍ଣପୁର ଜିଲ୍ଲାରେ ଚାଲୁଥିବା ହାଇଟେକ୍ ସର୍ଭେ କାର୍ଯ୍ୟ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ହାଇଟେକ୍ ସର୍ଭେ ଓ ବନ୍ଦୋବସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରି ନିର୍ଦ୍ଦିଷ୍ଟ ସମୟସୀମାରେ ସମାପ୍ତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲାର ମୋଟ ୯୮୯ଟି ଗ୍ରାମ ମଧ୍ୟରୁ ୬୦୮ଟି ଗ୍ରାମରେ ହାଇଟେକ୍ ସର୍ଭେ ଓ ସେଟେଲମେଣ୍ଟ କାର୍ଯ୍ୟ ଇତିମଧ୍ୟରେ ସମାପ୍ତ ହୋଇଛି। ଏହି ସବୁ ଗ୍ରାମର ପଟ୍ଟା ପ୍ରସ୍ତୁତ କରି ଭୂଲେଖରେ ଅପଲୋଡ୍ କରାଯାଇ ଜନସାଧାରଣଙ୍କୁ ପଟ୍ଟା ବଣ୍ଟନ କରିବାକୁ ତିନୋଟି ପର୍ଯ୍ୟାୟରେ ୪୫ ଦିନ ମଧ୍ୟରେ କାର୍ଯ୍ୟ ସମାପ୍ତ କରାଯିବ।ଅବଶିଷ୍ଟ ଗ୍ରାମମାନଙ୍କର ସର୍ଭେ ଓ ବନ୍ଦୋବସ୍ତ କାର୍ଯ୍ୟ ୬ ମାସ ମଧ୍ୟରେ ସମାପ୍ତ କରାଯିବା ସହ ଆସନ୍ତା ନଭେମ୍ବର ୨୦୨୬ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ଜମିପଟ୍ଟା ଓ ମ୍ୟାପ୍ ପ୍ରକାଶ କରାଯିବ ବୋଲି ଲକ୍ଷ୍ୟ ଧରାଯାଇଛି। ଏହା ଦ୍ୱାରା ଜନସାଧାରଣ ସହଜରେ ବିଭିନ୍ନ ରାଜସ୍ୱ ସେବା ପାଇବେ।

ବୈଠକରେ ସମସ୍ତ ଜମିର ସଠିକ୍ ଯାଞ୍ଚ, ପୁରୁଣା (ସାବକ) ଓ ବର୍ତ୍ତମାନ (ହାଲ୍) ରେକର୍ଡର ସମନ୍ୱୟ ଏବଂ ଭୁଲମୁକ୍ତ ତଥ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରକାଶିତ ପଟ୍ଟା ସମ୍ପର୍କରେ କୌଣସି ଆପତ୍ତି ଥିଲେ କ୍ଷେତ୍ର ପରିଦର୍ଶନ କରି ସଠିକ୍ ଓ ସମ୍ବେଦନଶୀଳ ଭାବେ ସମାଧାନ କରିବାକୁ ନିର୍ଦ୍ଦେଶ ରହିଛି।ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢୀ ସରକାରୀ ଓ ଦେବୋତ୍ତର ଜମି ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଜୋର ଦେଇଥିବା ବେଳେ କୌଣସି ଅନଧିକୃତ ଦଖଳ ନହେବାକୁ ସତର୍କ ରହିବାକୁ କହିଛନ୍ତି।

କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଅତିରିକ୍ତ ଡେପୁଟି କଲେକ୍ଟରଙ୍କୁ ବିଶେଷ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି। ଜମିଜମା ରେକର୍ଡ ଓ ସର୍ଭେର ନିର୍ଦ୍ଦେଶକ ନିଗମାନନ୍ଦ ପଣ୍ଡାଙ୍କୁ ଜିଲ୍ଲା ଗସ୍ତ କରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି।ଏହି ବୈଠକରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ସହ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Share It

Comments are closed.