ଜୁନ ୮ରେ ଆଉ ଏକ ଲଘୁଚାପ !
ଚାଷୀକୂଳ ପାଇଁ ଭଲ ଖବରଟିଏ । ଓଡ଼ିଶାକୁ ଠିକ୍ ସମୟରେ ଆସିବ ମୌସୁମୀ । ଏପରିକି ସ୍ୱାଭାବିକ ସମୟରୁ ସାମାନ୍ୟ ଆଗୁଆ ଆସିପାରେ ମୌସୁମୀ । ଉତ୍ତର ପଶ୍ଚିମ ଓ ଏହା ସଂଲଗ୍ନ ବଙ୍ଗୋପସାଗରରେ ଜୁନ୍ ୮ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷା ହେବ । ଯାହାକି ମୌସୁମୀକୁ ଟାଣି ଆଣିବ । ସମ୍ଭବତଃ ଜୁନ୍ ୯ରୁ ୧୧ ତାରିଖ ଭିତରେ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ପୂର୍ବାନୁମାନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିର୍ଭସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।
ଡକ୍ଟର ସାହୁଙ୍କ ଆକଳନ ହେଲା, ଦକ୍ଷିଣ ପୂର୍ବ ଓ ଏହାର ସଂଲଗ୍ନ ପୂର୍ବ ମଧ୍ୟମ ଆରବସାଗରରେ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇଛି । ଏହା ମହାରାଷ୍ଟ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ଅଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବଲାଙ୍ଗିର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ଜାଗାରେ ମଙ୍ଗଳବାରରୁ ଗୁରୁବାର ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି ।
Comments are closed.