ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି:ସୌଭିକ୍
ଭୁବନେଶ୍ୱର,୨୨/୦୩:ବିଜେଡି ଦଳରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ସୌଭିକ ବିଶ୍ୱାଳ ।ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କଲେ ସୌଭିକ୍ ବିଶ୍ବାଳ।ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ସହ୍ୟ କରିପାରିବି ନାହିଁ।ଯଦି ଏଥିପାଇଁ ମୋତେ ଗୁଳି ଖାଇବାକୁ ପଡ଼େ ତାହାଲେ ସାମ୍ନା କରିବି।କେବଳ ବାପାଙ୍କ ପାଇଁ ମୋତେ ବିଧାନସଭା ଯିବାକୁ ସୁଯୋଗ ମିଳିଛି।ମୋତେ ନିଲମ୍ବନ ନୁହେଁ ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି।ବାପାଙ୍କୁ ବହିଷ୍କାରର ୫ ଦିନ ପରେ ମୋତେ ନବୀନ ନିବାସରୁ ଡାକରା ଆସିଥିଲା।ଭାବିଥିଲି ମୋତେ ବାପାଙ୍କ ବାବଦରେ ଡାକି କିଛି କହିବେ ବୋଲି।ମାତ୍ର ମୋତେ ନିର୍ମାଲ୍ୟ ଛୁଆଁଇ ସଂତୃପ୍ତ ମିଶ୍ରଙ୍କୁ ଭୋଟ ଦେବାକୁ କହିଲେ।ମୁଁ ସିଧା ମନା କରିଥିଲି, ଏହି ନିଷ୍ପତ୍ତି ମୁଁ ନେଇ ପାରିବିନି, ବାପା ନେବେ।
ଗତ ୧୬ ତାରିଖରେ ରାଜ୍ୟର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା । ଏହି ନିର୍ବାଚନରେ ବିଜେଡି ୬ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିଲେ । ଏମାନେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ଯାହାକୁ ନେଇ ବିଜେଡି ଏହି ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ମାର୍ଚ୍ଚ ୨୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା କାରଣ ଦର୍ଶାଇବା ପାଇଁ ଉଲ୍ଲେଖ କରିଥିଲା । ସୋ’ କଜ୍ର ଉତ୍ତର ରଖି ୬ ବିଧାୟକ ସିଧାସଳଖ ଦଳକୁ ଚ୍ୟାଲେଞ୍ଜ ଦେଇଥିଲେ । ଏହା ଉପରେ ଶୃଙ୍ଖଳା କମିଟି ବୈଠକ ଆଲୋଚନା ହୋଇଥିଲା । ଏମାନଙ୍କ ବାବଦରେ କି ନିଷ୍ପତ୍ତି ନିଆଯିବ ସେନେଇ ବରିଷ୍ଠମାନେ ବିଚାରବିମର୍ଶ କରିବା ପରେ ଦଳର ସଭାପତିଙ୍କୁ ଜଣାଇଥିଲେ । ଏନେଇ ରାଜନୈତିକ ବ୍ୟାପାର କମିଟି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା । ଦଳର ଏହି ୬ ବିଧାୟକଙ୍କୁ ନିଲମ୍ବିତ କରାଯାଇଥିବା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।
Comments are closed.