“କଳିଙ୍ଗ ସ୍ୱରାଜ ୱିମେନ୍ ୱିଙ୍ଗ୍” ତରଫରୁ ଜାତୀୟ ହ୍ୟାଣ୍ଡଲୁମ୍ ଦିବସ ପାଳନ

Share It

ଗୋଟିଏ ସମୟ ଥିଲା ଯେଉଁଠି ହ୍ୟାଣ୍ଡଲୁମ୍ ଶିଳ୍ପ ତାର ସତ୍ତା ଧରି ରଖିବା ଏତେ ସହଜ ନଥିଲା । ହ୍ୟାଣ୍ଡଲୁମ୍ କପଡ଼ା କିମ୍ବା ହ୍ୟାଣ୍ଡଲୁମ୍ ବସ୍ତ୍ର ପାଇଁ ଚାହିଦା ତ ଥିଲା, କିନ୍ତୁ ବେସ୍ ସୀମିତ । ଏହାର ପ୍ରଚାର ପ୍ରସାର ବି ସେତେ ହୋଇ ପାରୁ ନଥିଲା । କିନ୍ତୁ ଏହି ନିଆରା କଳାର ପ୍ରଭାବ ଏତେ ଅଧିକ ଯେ, ପୀଢ଼ି ପରେ ପୀଢ଼ି ଏହା ଧିରେ ଧିରେ ତାର ପ୍ରଚଳନକୁ ବିସ୍ତାର କରି ଆସିଛି । ବହୁ ବର୍ଷ ତଳେ ହ୍ୟାଣ୍ଡଲୁମ୍ କହିଲେ ଗୋଟିଏ ନିର୍ଦ୍ଦିଷ୍ଟ ବୟସ ବର୍ଗର ପସନ୍ଦ ବୋଲି ଧରା ଯାଉଥିଲା, କିନ୍ତୁ ଆଜି ଏହା ପ୍ରତି ଘରେ, ପ୍ରତି ବସୟ ବର୍ଗରେ ବେସ୍ ନିଜର ।
କେବଳ ଓଡ଼ିଶା ନୁହେଁ, ଭାରତ ଏବଂ ଭାରତ ବାହାରେ ମଧ୍ୟ ଏହାର ଖ୍ୟାତି ଅନେକ ।  ହ୍ୟାଣ୍ଡଲୁମ ଶିଳ୍ପ ଏବଂ ବୁଣାକାରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆମେ ବ୍ୟକ୍ତି ବିଶେଷ ଭାବେ ମଧ୍ୟ ଚେଷ୍ଟା କରିବା ଉଚିତ । ଏବଂ ଏହା ହେଉଛି ମଧ୍ୟ । ଡିଜିଟାଲ୍ ମିଡିଆ ଯୋଗୁଁ ହ୍ୟାଣ୍ଡଲୁମ୍ ତାର ସ୍ବତନ୍ତ୍ର ସ୍ଥାନ ନେଇ ପାରିଛି । ଏ ମୌକାରେ ହ୍ୟାଣ୍ଡଲୁମ୍ ସାଢ଼ୀ ପ୍ରତି ଭଲପାଇବା ପ୍ରକାଶ କରିବା ସହ ହ୍ୟାଣ୍ଡଲୁମ୍ ଶିଳ୍ପ ଏବଂ ବୁଣାକାରଙ୍କୁ ଉତ୍ସାହିତ କରିବା ପାଇଁ “କଳିଙ୍ଗ ସ୍ୱରାଜ ୱିମେନ୍ ୱିଙ୍ଗ୍” ତରଫରୁ ଜାତୀୟ ହ୍ୟାଣ୍ଡଲୁମ୍ ଦିବସ ପାଳନ ହୋଇଛି ।
“କଳିଙ୍ଗ ସ୍ୱରାଜ ୱିମେନ୍ ୱିଙ୍ଗ୍” ହେଉଛି ପ୍ରବାସୀ ଓଡ଼ିଆଙ୍କ ଏକ ପରିବାର ଯାହା ଫେସବୁକ୍ ର ଏକ ସ୍ୱତନ୍ତ୍ର ପେଜ୍ ରେ ୧୭୦୦୦ରୁ ଅଧିକ ଓଡ଼ିଆଙ୍କୁ ଏକାଠି କରି ପାରିଛି । ହ୍ୟାଣ୍ଡଲୁମ୍ ଦିବସ ଅବସରରେ ଓଡ଼ିଆଙ୍କ ହ୍ୟାଣ୍ଡଲୁମ୍ ସାଢ଼ୀ ପ୍ରତି ଆଦର ଥିମ୍ ରେ ରଖାଯାଇଥିଲା ଏକ ପ୍ରତିଯୋଗୀତା । ଉତ୍କଲଅମ୍ରିତା ବ୍ରାଣ୍ଡର ସହ- ପ୍ରତିଷ୍ଠାତା ଅମ୍ରିତା ସାବତ ଥିଲେ ଏହାର ପ୍ରଯୋଜକ । ଏ ପ୍ରତିଯୋଗୀତାରେ ଅନେକ ଉତ୍ସାହିତ ଓଡ଼ିଆଙ୍କ ହ୍ୟାଣ୍ଡଲୁମ୍ ସାଢ଼ୀ ଦେଖିବାକୁ ମିଳିଥିଲା । ସେମାନେ ବ୍ୟକ୍ତିଗତ ଭିଡିଓ ପୋଷ୍ଟ୍ କରି ହ୍ୟାଣ୍ଡଲୁମ୍ ଶିଳ୍ପର ସ୍ୱତନ୍ତ୍ରତା ଏବଂ ବୁଣାକାରମାନଙ୍କ ନିଆରା ପ୍ରତିଭାକୁ ପ୍ରଶଂସା କରିଥିଲେ । ଏଥିରେ ଅନିତା ବିଶୋୟୀ ବିଜେତା ହେବା ସହ ଆଉ ଶୀର୍ଷ ୫ ଜଣଙ୍କ ନାମ ଘୋଷଣା ହୋଇଥିଲା ।
୨୦୨୦ ରଜ ଅବସରରେ ପ୍ରତିଷ୍ଠା ହୋଇଥିବା “କଳିଙ୍ଗ ସ୍ୱରାଜ ୱିମେନ୍ ୱିଙ୍ଗ୍” ଏହା ମଧ୍ୟରେ ଅନେକ ଓଡ଼ିଆଙ୍କୁ ଯୋଡ଼ି ପାରିଛି । ମହିଳାମାନଙ୍କୁ ନିଜର ଦକ୍ଷତା ଏବଂ ପ୍ରତିଭା ପ୍ରଦର୍ଶନର ଏହା ସୁଯୋଗ ଦେଉଛି । ମନୋରଞ୍ଜନ ସହ ସାମାଜିକ ସମସ୍ୟା, ସ୍ୱାସ୍ଥ୍ୟଗତ ଆଲୋଚନା, କଳା ସଂସ୍କୃତିର ପ୍ରଚାର ଆଦି କ୍ଷେତ୍ରରେ ମଧ୍ୟ କଳିଙ୍ଗ ସ୍ୱରାଜ ୱିମେନ୍ ୱିଙ୍ଗ୍ ନିରନ୍ତର ଚେଷ୍ଟା କରୁଛି । ଫନି ସମୟରେ ଓଡ଼ିଶା ରିଲିଫ୍ କୁ ସହାୟତା କରିବା ସହ କୋଭିଡ୍ ୧୯ ପାଇଁ ବାହାର ରାଜ୍ୟରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କୁ ଥଇଥାନ କରିବା ଓ ଅନ୍ୟାନ୍ୟ ସେବା ଯୋଗାଇବା ପାଇଁ ଏହା ନିରନ୍ତର ସମର୍ଥନ ଜାରି ରଖିଛି ।
ପ୍ରୀତି ,  ସ୍ମରଣୀକା , ସାରଦା , ସାଗରିକା , ନମ୍ରତା , ସସ୍ମିତା , ଦିପାଲୀ, ରୋହିଣୀ , ଅଗ୍ନୀଶିଖା ,  ପ୍ରମୋଦିନୀ , ସଂଗୀତା ଏବଂ ସୁରହି ଆଦି ମହିଳାମାନେ “କଳିଙ୍ଗ ସ୍ୱରାଜ ୱିମେନ୍ ୱିଙ୍ଗ୍” ର ଆଡମିନ୍ ଓ ମୋଡେରେଟର୍ସ ଦଳରେ ରହି ଦିନକୁ ଦିନ ଏହାକୁ ଅଧିକ ବ୍ୟାପକ କରୁଛନ୍ତି ।

Share It

Comments are closed.