କୁଆପଥରଝଡ଼ର କହର: ମାୟୂରଭଞ୍ଜର ୪୭ଟି ଗ୍ରାମ ପ୍ରଭାବିତ, ପ୍ରଶାସନଙ୍କ ତତ୍ପରତା ଜାରି
ବାରିପଦା, ୨୧ ମାର୍ଚ୍ଚ ୨୦୨୫: ମାୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତ ୨୦ ମାର୍ଚ୍ଚ ୨୦୨୫ ରାତିରେ ବର୍ଷାସହିତ ଭୟାନକ କୁଆପଥରଝଡ଼ ଆସିଥିଲା। ପ୍ରାଥମିକ ତଥ୍ୟ ଅନୁସାରେ ଏହି ବାତ୍ୟାର ପ୍ରଭାବରେ ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ୧୯ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି।
ଏହି ବାତ୍ୟାରେ ୩୫୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ଧ୍ଵଂସ ହୋଇଥିବା ବେଳେ ୧୧ଟି କଚ୍ଚା ଘର ଗୁରୁତର କ୍ଷତିଗ୍ରସ୍ତ ହୋଇଛି ଏବଂ ୨୯୫ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ତଦୃପ, ୪ଟି ଗାଈ ଗୁହାଳ ଘର ବି ନଷ୍ଟ ହୋଇଛି। ବାତ୍ୟାର ପ୍ରଭାବରେ ବିଦ୍ୟୁତ, ଜଳ ଯୋଗାଣ ଏବଂ ଗମନାଗମନ ବ୍ୟବସ୍ଥା ବି ବାଧାପ୍ରାପ୍ତ ହୋଇଛି।
ପ୍ରଭାବିତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ରିଲିଫ କେନ୍ଦ୍ର ଖୋଲିଛି ଏବଂ ଅନ୍ତର୍ଭୂକ୍ତ ଲୋକମାନଙ୍କୁ ୧୨୭ଟି ପଲିଥିନ ରୋଲ ବଣ୍ଟନ କରାଯାଇଛି। ଆଶୁ ଚିକିତ୍ସା ସେବା ପାଇଁ ୫ଟି ମେଡିକାଲ ଟିମ ନିୟୋଜିତ ହୋଇଛି।
କ୍ଷେତ୍ର ଅଧିକାରୀମାନେ କ୍ଷୟକ୍ଷତି ଆକଳନ କାର୍ଯ୍ୟ ଜାରି ରଖିଛନ୍ତି। ସମ୍ପୂର୍ଣ୍ଣ ଆକଳନ ପରେ, ସରକାରୀ ନିୟମାନୁଯାୟୀ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଅବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।
Comments are closed.