କରୋନାରେ ଆକ୍ରାନ୍ତ ହେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ
ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଆଜି ସକାଳୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ବଡ଼ୋଦରାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରୁଥିବା ବେଳେ ମଞ୍ଚ ଉପରେ ୬୪ ବର୍ଷୀୟ ମୁଖ୍ୟମନ୍ତ୍ରୀ ରୁପାନୀ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ପରୀକ୍ଷଣ କରାଯାଇ ଆଜି ସକାଳୁ ସେ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି।
ସେ ଅଚେତ ହୋଇ ପଡ଼ିବା ପରେ ରୁପାନୀଙ୍କୁ ଅହମ୍ମଦାବାଦ୍ରେ ଥିବା ୟୁଏନ୍ ମେହେଟ୍ଟା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ୨୪ ଘଣ୍ଟା ପାଇଁ ନୀରିକ୍ଷଣରେ ରଖାଯିବା ପରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଘୋଷଣା କରିଥିଲେ।
ରବିବାର ରାତିରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯିବା ପରେ ରୁପାନୀଙ୍କ ନମୁନା ଗ୍ରହଣ କରାଯାଇ ଆର୍ଟି-ପିସିଆର୍ ପରୀକ୍ଷା ପାଇଁ ପଠାଯାଇଥିଲା। ଫଳରେ ସେ କରୋନା ପଜିଟିଭ୍ ଥିବା ପରୀକ୍ଷାରୁ ଜାଣିବାକୁ ମିଳିଛି। ତାଙ୍କ ଶରୀରରେ କରୋନା ଲକ୍ଷଣ ପ୍ରାୟତଃ ନ ଥିଲା ବୋଲି ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ।
ଏହାବ୍ୟତୀତ ରୁପାନୀଙ୍କର ଅନ୍ୟ ସବୁ ପ୍ରକାରର ରିପୋର୍ଟ ସାଧାରଣ ରହିଛି। ଇସିଜି ଓ ସିଟି ସ୍କାନ୍ ଆଦି ସମସ୍ତ ରିପୋର୍ଟ ସାଧାରଣ ଥିବା କଥା ତାଙ୍କୁ ଚିକିତ୍ସା କରୁଥିବା ଡକ୍ଟର ଆର୍କେ ପଟେଲ୍ ସୂଚନା ଦେବା ସହ ରୁପାନୀଙ୍କ ପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଆସନ୍ତା ୨୧ ତାରିଖରେ ଗୁଜୁରାଟ ମୁନିସିପାଲ୍ ନିର୍ବାଚନ ହେବାକୁ ଯାଉଛି। ଭୋଟ୍ଗଣନା ଓ ଘୋଷଣା ଫେବ୍ରୁଆରି ୨୩ରେ ହେବ ବୋଲି ସୂଚନା ରହିଛି।
Comments are closed.