ରବିଧାନ ସଂଗ୍ରହ ନିମନ୍ତେ ବିସ୍ତୃତ ମାର୍ଗଦର୍ଶିକା ଜାରି
କରୋନା ସଂକ୍ରମଣର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ମଇ ମାସ ପ୍ରଥମ ସପ୍ତାହରୁ ରବିଧାନ ସଂଗ୍ରହ କାର୍ଯ୍ୟକୁ ସୁସଂହିତ କରିବା ନିମନ୍ତେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇ ସଂପୃକ୍ତ ଜିଲ୍ଲାପାଳମାନଙ୍କ ନିକଟକୁ ପଠାଯାଇଛି । ବିଗତ ଖରିଫ ଧାନସଂଗ୍ରହ ସମୟରେ କରୋନା କଟକଣାକୁ ଅନୁପାଳନ କରାଯାଇ ସଂଗଠିତ ଉପାୟରେ ଧାନ ସଂଗ୍ରହ କରାଯାଇପାରିଥିବା ଦୃଷ୍ଟିରୁ ଚଳିତ ରବିଧାନ ସଂଗ୍ରହ ମଧ୍ୟ ସୁରୁଖୁରୁରେ ସଂପନ୍ନ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏଥି ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ କଡାକଡି ଭାବେ ପାଳନ କରିବ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଧାନ ସଂଗ୍ରହ କେନ୍ଦ୍ରରେ ସୋସାଇଟି କର୍ମକର୍ତ୍ତା, ମିଲର କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ସର୍ବୋପରି ଚାଷୀଙ୍କ ନିମନ୍ତେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଭିଡ ଏଡାଇବା ପାଇଁ ଗୋଟିଏ କେନ୍ଦ୍ରରେ ୩୦ରୁ ୩୫ ପର୍ଯ୍ୟନ୍ତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ । ଏଥିରୁ ଉର୍ଦ୍ଧ୍ୱ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇପାରିବ ନାହିଁ । ୧୦-୧୨ ଜଣ ଚାଷୀଙ୍କୁ ଦିନର ନିର୍ଦ୍ଦିଷ୍ଟ ସମୟରେ ଧାନ ବିକ୍ରି କରିବା ପାଇଁ ଆସିବା ନିମନ୍ତେ ସୂଚନା ଦିଆଯିବ । ଆବଶ୍ୟକ ପଡିଲେ ଭିଡ ଏଡାଇବା ପାଇଁ ଅଧିକ ସଂଖ୍ୟକ ଧାନସଂଗ୍ରହ କେନ୍ଦ୍ର ଖୋଲାଯିବ । ସଂପୃକ୍ତ ଜିଲ୍ଲାପାଳମାନେ ଏଥି ନିମନ୍ତେ ତୁରନ୍ତ ପ୍ରସ୍ତାବ ଦେବା ପାଇଁ କୁହାଯାଇଛି । ଧାନସଂଗ୍ରହ କେନ୍ଦ୍ରରେ ସାମାଜିକ ଦୂରତ୍ୱକୁ କଡାକଡି ଭାବେ ପାଳନ କରାଯିବ । କେନ୍ଦ୍ରଗୁଡିକରେ ଚାଷୀ ଏବଂ ଶ୍ରମିକ ଓ ଅନ୍ୟ କର୍ମକର୍ତ୍ତାମାନଙ୍କ ପାଇଁ ସାନିଟାଇଜରର ବ୍ୟବସ୍ଥା କରାଯିବ । କେନ୍ଦ୍ରର ପ୍ରବେଶ ପଥରେ ସାନିଟାଇଜର ରଖାଯିବ ଯେପରି ଏହା ସମସ୍ତଙ୍କ ଦୃଷ୍ଟିଗୋଚର ହେଉଥିବ । ପ୍ରତ୍ୟେକ କେନ୍ଦ୍ରରେ ପର୍ଯ୍ୟାପ୍ତ ସଂଖ୍ୟକ ସାନିଟାଇଜର ମହଜୁଦ ଅଛି କି ନାହିଁ ସେ ସଂପର୍କରେ ନିବନ୍ଧକ, ସମବାୟ ସମିତି ସମୂହ ପକ୍ଷରୁ ନିଶ୍ଚିତ କରାଯିବ । ସେହିପରି ମିଶନ ଶକ୍ତି ନିର୍ଦ୍ଦେଶକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାନିଟାଇଜର ଉପଲବ୍ଧ କରାଇବେ । ଯେଉଁ କେନ୍ଦ୍ର ଭିଡ ଏଡାଇବା ଦିଗରେ ବିଫଳ ହେବେ ସେମାନଙ୍କୁ ଧାନସଂଗ୍ରହ କରିବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ।
ସୂଚନାଯୋଗ୍ୟ ଯେ ଚଳିତ ରବି ଧାନସଂଗ୍ରହ କାର୍ଯ୍ୟ ରାଜ୍ୟର ୧୭ଟି ଜିଲ୍ଲା ଯଥା ବାଲେଶ୍ୱର, ବରଗଡ, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ନବରଙ୍ଗପୁର, ନୂଆପଡା, ପୁରୀ, ରାୟଗଡା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ କରାଯିବ । ଏଥି ନିମନ୍ତେ ମୋଟ ୨ ଲକ୍ଷ ୨୩ ହଜାର ୨୨୨ ଜଣ ଚାଷୀ ସେମାନଙ୍କର ପଞ୍ଚୀକରଣ କରିଛନ୍ତି ଏବଂ ବିଭାଗ ପକ୍ଷରୁ ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି ।
Comments are closed.