ସହିଦ ହେଲେ ରୁଷର ୪୦ଟି ବିମାନକୁ ଧ୍ୱଂସ କରିଥିବା ୟୁକ୍ରେନ ଯୋଦ୍ଧା ‘ଘୋଷ୍ଟ ଅଫ୍ କିଭ୍’

Share It

ରୁଷ ୟୁକ୍ରେନ୍- ଯୁଦ୍ଧରେ ନିଜ ନାଁରେ ଶତ୍ରୁପକ୍ଷକୁ ଥରହର କରୁଥିବା ୟୁକେନର ପାଇଲଟ ‘ଘୋଷ୍ଟ ଅଫ୍ କିଭ୍’ ନିହତ ହୋଇଛନ୍ତି। ୟୁକ୍ରେନର ଅଧିକାରୀମାନେ କହିଛନ୍ତି, ରୁଷର ୪୦ ରୁ ଅଧିକ ବିମାନକୁ ନଷ୍ଟ କରିଥିବା ଏହି ପାଇଲଟଙ୍କ ଗତ କିଛି ମାସ ହେବ ଯୁଦ୍ଧ ସମୟରେ ମୃତ୍ୟୁ ହୋଇଥିଲା। ୟୁକ୍ରେନ୍ର ବାୟୁସେନା ପାଇଲଟ ମେଜର ଷ୍ଟିଫେନ୍ ତାରାବଲକାଙ୍କୁ ‘ଘୋଷ୍ଟ ଅଫ୍ କିଭ୍’ ନାମରେ ଜଣାଯାଏ। ସେ ଯୁଦ୍ଧ ବେଳେ ନିଜର ମିଗ୍-୨୯ ଯୁଦ୍ଧ ବିମାନରୁ ରୁଷର ବହୁ ବିମାନକୁ ଧ୍ୱଂସ କରିଦେଇଥିଲେ। ତାଙ୍କର ମୃତ୍ୟୁ ୧୩ ମାର୍ଚ୍ଚରେ ରୁଷର ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲ ଆକ୍ରମଣରେ ହୋଇଥିଲା।

ଦାବି ଅନୁସାରେ, ଆକ୍ରମଣର ପ୍ରଥମ ଦିନ ଏହି ପାଇଲଟ୍ ରୁଷର ୬ଟି ଯୁଦ୍ଧ ବିମାନକୁ ମାରି ନଷ୍ଟ କରିଦେଇଥିଲେ। ଏହାପରେ ୟୁକ୍ରେନ୍ ପାଇଲଟଙ୍କ ଚର୍ଚ୍ଚା ସାରା ଦୁନିଆରେ ହୋଇଥିଲା। ନିଜେ ୟୁକ୍ରେନ୍ ସରକାର ‘ଘୋଷ୍ଟ ଅଫ୍ କିଭ୍’ ନାଁ ଦେଇ ବହୁ ଭିଡିଓ ଜାରି କରିଥିଲେ। ତେବେ ଏହା ଦାବି କରାଯାଉଛି ଯେ, ୟୁକ୍ରେନ୍ ନିଜର ସୈନିକଙ୍କୁ ପ୍ରୋତ୍ସାହିତ କରିବା ପାଇଁ କାଳ୍ପନିକ ଚରିତ୍ର ‘ଘୋଷ୍ଟ ଅଫ୍ କିଭ୍’ ପ୍ରଚାର କରିଥିଲେ। ଯୁଦ୍ଧର ଆରମ୍ଭ ବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ଏଥିରେ ଏକ ୟୁକ୍ରେନ୍ର ଜେଟ୍ ବିମାନକୁ ସହର ଆକାଶରେ ଉଡୁଥିବାର ଦେଖିବାକୁ ମିଳିଥିଲା। ଡଗଫାଇଟସ୍ରେ ରୁଷର ୬ଟି ବିମାନକୁ ନଷ୍ଟ କରୁଥିବାର ଦେଖିବାକୁ ମିଳିଛି। ଭିଡିଓକୁ ୫୦ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଛି। ତେବେ ରଏଟର୍ସର ଫାକ୍ଟ ଚେକ୍ରୁ ଜଣାପଡିଛି ଯେ, ସେୟାର କରାଯଇଥିବା ଭିଡିଓ ନକଲି ଥିଲା। ଏହି ଭିଡିଓ ୨୦୦୮ର ଭିଡିଓଗେମ୍ ଡିଜିଟାଲ କମ୍ବାଟ ସିମ୍ୟୁଲେଟରର ଏକ କ୍ଲିପ ଥିଲା।

‘ଦ ଟାଇମ୍ସ’କୁ ତାଙ୍କର ପରିଚୟ ଏବଂ ମୃତ୍ୟୁ ନେଇ ସୂଚନା ଦେଇଛି। ପାଇଲଟଙ୍କ ହେଲମେଟ୍ ଓ ଚଷମା ଏବେ ଲଣ୍ଡନରେ ନିଲାମୀରେ ବିକ୍ରି ହେବାର ଆଶା ରହିଛି। ନିଜେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରୁ ଘୋଷ୍ଟ ଅଫ୍ କିଭ୍ର କୌଶଳ ଓ ବାହାଦୁରୀକୁ ପ୍ରଶଂସା କରି ଏକ ଭିଡିଓ ଟ୍ବିଟ୍ କରିଥିଲେ। ତାଙ୍କ ପ୍ରାରମ୍ଭିକ ସଫଳତା ପରେ ୟୁକ୍ରେନ ସରକାର କହିଥିଲେ, ଲୋକମାନେ ତାଙ୍କୁ ‘ଘୋଷ୍ଟ ଅଫ୍ କିଭ୍’ କୁହନ୍ତି। ପାଇଲଟଙ୍କୁ ମୃତ୍ୟୁ ପରେ ଯୁଦ୍ଧରେ ସାହାସିକତା ଦେଖାଇଥିବାରୁ ୟୁକ୍ରେନ୍ ସରକାର ଶୀର୍ଷ ପୁରସ୍କାର, ଅର୍ଡର ଅଫ୍ ଦ ଗୋଲ୍ଡେନ୍ ଷ୍ଟାରରେ ସମ୍ମାନିତ କରିଥିଲେ। ତାଙ୍କୁ ୟୁକ୍ରେନ୍ର ହିରୋର ସମ୍ମାନ ଦିଆଯାଇଥିଲା। ତାଙ୍କର ମୃତ୍ୟୁର ଦୁଇଦିନ ପୂର୍ବରୁ ୟୁକ୍ରେନର ଜେନେରାଲ ଷ୍ଟାଫ୍ କକପିଟ୍‌ରେ ବସିଥିବା ଏହି ଯୋଦ୍ଧାଙ୍କର ଫଟୋ ସେୟାର କରିଥିଲେ।


Share It

Comments are closed.