ଭୁବନେଶ୍ଵର,୧୦/୦୩: ଖଣ୍ଡଗିରି ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ସଂକଟ ।ଯାହାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ତ୍ରୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖଣ୍ଡଗିରି ଥିବା ଲିଙ୍ଗରାଜ HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ରାତିରୁ ଗ୍ରାହକମାନେ ଲମ୍ବା ଲାଇନ୍ ଲଗାଇ ବସିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଅନେକ ଗ୍ରାହକଙ୍କ ଅଭିଯୋଗ ଅନୁସାରେ, ସେମାନେ ପ୍ରାୟ ୨୦ ରୁ ୨୫ ଦିନ ପୂର୍ବରୁ ଗ୍ୟାସ ସିଲିଣ୍ଡର ବୁକ୍ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗ୍ୟାସ ଡେଲିଭରୀ ପାଇ ପାରିନାହାନ୍ତି। ଫଳରେ ଘରେ ରୋଷେଇ କାମ ବ୍ୟାପକ ଭାବେ ପ୍ରଭାବିତ ହେଉଛି ଏବଂ ଲୋକମାନେ ଦିନକୁ ଦିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗ୍ରାହକମାନେ କହିଛନ୍ତି ଯେ, ପୂର୍ବରୁ ଯେଉଁଠାରେ ସହଜରେ ହୋମ୍ ଡେଲିଭରୀ ମିଳୁଥିଲା, ବର୍ତ୍ତମାନ ସେହି ସେବା ପ୍ରାୟ ବନ୍ଦ ହୋଇଯାଇଛି। ଗ୍ୟାସ ପାଇବା ପାଇଁ କିଛି ଗ୍ରାହକଙ୍କୁ ସିଧାସଳଖ ଗୋଦାମକୁ ଯାଇ ସିଲିଣ୍ଡର ଆଣିବାକୁ କୁହାଯାଉଛି। ଆଉ କିଛି ଗ୍ରାହକଙ୍କୁ ଗ୍ୟାସ ଷ୍ଟେସନ୍ ସାମ୍ନାରେ ରାତିରୁ ଲମ୍ବା ଲାଇନ୍ରେ ଠିଆ ହୋଇ ରହିବାକୁ ପଡ଼ୁଛି।
ଗ୍ୟାସ ଅଭାବରେ ଅନେକ ପରିବାର ବାଧ୍ୟ ହୋଇ ପୁଣିଥରେ ପାରମ୍ପରିକ କାଠ ଚୁଲାରେ ରୋଷେଇ କରୁଛନ୍ତି। ଅନ୍ୟପଟେ କିଛି ଲୋକ ଆବଶ୍ୟକତାରେ କଳା ବଜାରରୁ ଖୁଚୁରା ଭାବେ ଗ୍ୟାସ କିଣିବାକୁ ବାଧ୍ୟ ହେଉଛନ୍ତି। ସେଠାରେ ଗ୍ୟାସ ଲିଟର ପିଛା ପ୍ରାୟ ୧୧୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ମଧ୍ୟ ଆସିଛି।
ଏହି ପରିସ୍ଥିତିକୁ ନେଇ ଗ୍ରାହକମାନେ ଭାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ସମୟରେ ଗ୍ୟାସ ଡେଲିଭରୀ ନ ହେବା ଓ ସଠିକ୍ ବ୍ୟବସ୍ଥାପନା ନଥିବାରୁ ସାଧାରଣ ଲୋକ ଭୟଙ୍କର ସମସ୍ୟା ଭୋଗୁଛନ୍ତି। ଏହା ନେଇ ସମ୍ପୃକ୍ତ ଗ୍ୟାସ ଡିଷ୍ଟ୍ରିବ୍ୟୁଟର ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଗ୍ରାହକଙ୍କୁ ସମୟରେ ଗ୍ୟାସ ଯୋଗାଣ କରିବାକୁ ଦାବି କରାଯାଉଛି।

Comments are closed.