ଚଳିତ ବର୍ଷଠାରୁ ବିଶ୍ଵ ଦକ୍ଷତା କେନ୍ଦ୍ରରେ ଅନ୍ୟ ରାଜ୍ୟର ପିଲାମାନେ ମଧ୍ୟ କରିପାରିବେ ଆବେଦନ
ଭୁବନେଶ୍ୱର, ୮ ଏପ୍ରିଲ ୨୦୨୫: ଦେଶ ବିଦେଶରେ ବିଭିନ୍ନ ଶିଳ୍ପ ସଂସ୍ଥା ଓ ସେବା କ୍ଷେତ୍ର ଲାଗି ଦକ୍ଷ ଯୁବପିଢ଼ିଙ୍କର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ଦକ୍ଷତା ବିକାଶ ତାଲିମ ପାଠ୍ୟକ୍ରମ ଦିଆଯାଉଛି। ଫଳରେ ଓଡ଼ିଶାର ଯୁବପିଢ଼ି ଏଠାରେ ତାଲିମ ନେଇ ଆଜି ଦେଶ ବିଦେଶର ପ୍ରମୁଖ କମ୍ପାନିରେ ନିଯୁକ୍ତି ସୁଯୋଗ ପାଉଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚଳିତ ବ୍ୟାଚରୁ ଓଡ଼ିଶା ସହିତ ରାଜ୍ୟ ବାହାରର ପ୍ରାର୍ଥୀମାନେ ଆବେଦନ କରିପାରିବେ। ଅନ୍ୟ ରାଜ୍ୟର ପ୍ରାର୍ଥୀମାନଙ୍କ ପାଇଁ ୧୦ ପ୍ରତିଶତ ପର୍ଯ୍ୟନ୍ତ ସିଟ୍ ସଂରକ୍ଷଣ କରାଯିବ।
ବିଶ୍ୱ ଦକ୍ଷତା କେନ୍ଦ୍ରର ୨୦୨୫-୨୬ ବ୍ୟାଚରେ ନାମଲେଖା ଲାଗି ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଓ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଥିବା ମୋଟ ୭ଟି ଅତ୍ୟାଧୁନିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ମେ’ ୩ ତାରିଖ ସୁଦ୍ଧା ଆବେଦନ କରିପାରିବେ।
ଏହି ଅତ୍ୟାଧୁନିକ ବିଷୟରେ ତାଲିମ ପାଇଁ ପ୍ରାର୍ଥୀ ଓଡ଼ିଶାର କୌଣସି ସରକାରୀ ବା ଘରୋଇ ଶିଳ୍ପ ତାଲିମ କିମ୍ବା ବୈଷୟିକ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ/୩ ବର୍ଷିଆ ଡିପ୍ଲୋମା କରିଥିବା ଆବଶ୍ୟକ।
ସେହିପରି ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଅତ୍ୟାଧୁନିକ ବ୍ୟୁଟି ଆଣ୍ଡ ୱେଲନେସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଏଥିପାଇଁ ପ୍ରାର୍ଥୀ ଯୁକ୍ତ ୨, ସଂପୃକ୍ତ ବିଷୟରେ ଆଇଟିଆଇ କିମ୍ବା କୌଣସି ବିଷୟରେ ଡିପ୍ଲୋମା କରିଥିବା ଆବଶ୍ୟକ।
ଆଗ୍ରହୀ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟରେ www.worldskillcenter.org ପ୍ରଥମେ ପଞ୍ଜୀକରଣ କରିବା ପରେ ନାମଲେଖା ପାଇଁ ଆବେଦନ କରିପାରିବେ।
ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଏବଂ ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ରହିଛି। ଏହି କେନ୍ଦ୍ରରେ ଫିନିସିଙ୍ଗ ସ୍କୁଲ ଢାଞ୍ଚାରେ ଯୁବକ ଯୁବତୀମାନଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପ ଓ ସେବା କ୍ଷେତ୍ର ଲାଗି ପ୍ରସ୍ତୁତ କରାଯାଉଛି।
Comments are closed.