ପୁଣି ରାଜଧାନୀରେ ହାଇଡ୍ରାମା: ମଦ ପିଇ ରାଜରାସ୍ତାରେ ଯୁବତୀଙ୍କ ଗଣ୍ଡଗୋଳ

Share It

ଭୁବନେଶ୍ଵର,୦୨/୦୨:ରାଜଧାନୀ ଭୁବନେଶ୍ୱରରେ ପୁଣିଥରେ ଏକ ହାଇଭୋଲଟେଜ୍ ଘଟଣା ପୋଲିସ ପାଇଁ ଅସୁବିଧା ସୃଷ୍ଟି କରିଛି। ମଞ୍ଚେଶ୍ଵର ଥାନା ହାଇଟେକ୍ ଛକ ନିକଟରେ ଜଣେ ମାତାଲ୍ ଯୁବତୀ ମଦ ପିଇ ରାଜରାସ୍ତାରେ ହାଇଡ୍ରାମା କରିଥିବା ଦେଖାଯାଇଛି। ଘଟଣା ସମୟର ଭିଜୁଆଲ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଘଟଣା ଆହୁରି ଚର୍ଚ୍ଚାରେ ରହିଛି।

ସୂଚନା ଅନୁସାରେ, ଯୁବତୀ ଜଣଙ୍କ ତାଙ୍କ ବଏଫ୍ରେଣ୍ଡ୍ ଓ କିଛି ସାଙ୍ଗଙ୍କ ସହ ମଦ ପିଇବା ପରେ ଏକ ଗାଡ଼ିରେ ଯିବାକୁ ନେଇ ଯିଦ୍ ଧରିଥିଲେ। ଏହି ଯିଦ୍ କ୍ରମେ ଗଣ୍ଡଗୋଳର ରୂପ ନେଇଥିଲା। ରାଜରାସ୍ତାରେ ଉଚ୍ଚସ୍ୱରରେ ଚିତ୍କାର, ଗାଳିଗୁଲଜ ଓ ଅସଭ୍ୟ ବ୍ୟବହାର କରିବାରୁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଏବଂ ସାଧାରଣ ଲୋକେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଘଟଣା ସ୍ଥଳରେ ଲୋକମାନେ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୁବତୀ ଜଣଙ୍କ ଆକ୍ରୋଶ କମିନଥିଲା। ପରେ ଘଟଣାର ସୂଚନା ପାଇ ମଞ୍ଚେଶ୍ଵର ଥାନା ପୋଲିସ ସ୍ଥଳକୁ ପହଞ୍ଚି ଯୁବତୀଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୋଲିସ ଉପସ୍ଥିତି ସତ୍ତ୍ୱେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣରେ ଆସିନଥିଲା।
ପୋଲିସ ଷ୍ଟେସନ ନେବା ପରେ ମଧ୍ୟ ଯୁବତୀଙ୍କ ଆଚରଣରେ ପରିବର୍ତ୍ତନ ଦେଖାଯାଇନଥିଲା। ସୂଚନା ମୁତାବକ, ବୁଝାସୁଝା ସମୟରେ ସେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ, ଯାହାରୁ ପରିସ୍ଥିତି ଆହୁରି ସଂବେଦନଶୀଳ ହୋଇପଡ଼ିଥିଲା।

ରାସ୍ତାରେ ହାଇଡ୍ରାମା କରୁଥିବା ମାତାଲ୍ ଯୁବତୀଙ୍କୁ ହଟାଇ ଯାତାୟାତ ସାଧାରଣ କରିବା ପାଇଁ ପୋଲିସକୁ ଦୀର୍ଘ ସମୟ ଧରି କଷ୍ଟ କରିବାକୁ ପଡ଼ିଥିଲା। ଘଟଣା ସମୟର ଭିଡିଓ ଭାଇରାଲ୍ ହେବା ପରେ ରାଜଧାନୀରେ ପୁଣିଥରେ ସାର୍ବଜନିକ ସ୍ଥାନରେ ମଦପାନ ଓ ଶୃଙ୍ଖଳା ଭଙ୍ଗ ନେଇ ପ୍ରଶ୍ନ ଉଠିଛି।

ପୋଲିସ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ, ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା ମିଳିଛି।


Share It

Comments are closed.