ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ

Share It

ଭୁବନେଶ୍ୱର: ୧୭/୦୩/୨୦୨୫ :କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ତଥା ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ ଶୋକବାର୍ତ୍ତାରେ ସେ କହିଛନ୍ତି, “ପିତାଙ୍କ ସ୍ଥାନ ସର୍ବଦା ସ୍ୱତନ୍ତ୍ର । ନିଜ ପିତାଙ୍କୁ ହରାଇବା ଦୁଃଖ ଜୀବନର ସବୁଠାରୁ କଷ୍ଟଦାୟକ ମୁହୂର୍ତ୍ତ ହୋଇଥାଏ । ଏଭଳି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ଜଗନ୍ନାଥ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରନ୍ତୁ । ଦେବେନ୍ଦ୍ର ପ୍ରଧାନ ଭାରତୀୟ ଜନତା ପାର୍ଟିରୁ ନିର୍ବାଚିତ ହୋଇ ଭାରତ ସରକାରଙ୍କ ଭୂପୃଷ୍ଠ ପରିବହନ ଏବଂ ରାଜପଥ, କୃଷି ମନ୍ତ୍ରୀରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ଦେଶର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିଲେ । ତାଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ଵ, ସୁଦକ୍ଷ ସାଙ୍ଗଠନିକ କାର୍ଯ୍ୟଶୈଳୀ ସର୍ବଦା ଆମକୁ ପ୍ରେରଣା ଯୋଗାଇବ । ବ୍ୟକ୍ତିଗତ ଭାବେ ସେ ଜଣେ ଭଦ୍ର, ନିର୍ମଳ ଓ ଅମାୟିକ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଭୂପୃଷ୍ଠ ପରିବହନ, କୃଷି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟକରି ଦେଶ ତଥା ରାଜ୍ୟର ବିକାଶରେ ବହୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି ।

ତାଙ୍କର ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ଗଭୀର ଭାବେ ମର୍ମାହତ । ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି ।ଦିବଂଗତ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଲୋତକାପ୍ଳୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।” ଓଁ ଶାନ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି l
ଏକ ଶୋକ ବାର୍ତାରେ ବାଚସ୍ପତି କହିଛନ୍ତିଯେ, ଜଣେ ଜନପ୍ରତିନିଧି ଓ ସାଂସଦ ଭାବେ ସେ ଅନେକ ଜନକଲ୍ୟାଣମୂଳକ କାର୍ଯ୍ୟ କରି ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଥିଲେ l ସେ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପାର୍ଲିଆମେଣ୍ଟାରିଆନ ଥିଲେ l ୧୯୯୯ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି l ରାଜ୍ୟର ବିକାଶ କ୍ଷେତ୍ରରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ l
ରାଜ୍ୟ ବିଜେପି ସଭାପତି ଭାବେ ଓଡ଼ିଶାରେ ଭାରତୀୟ ଜନତାପାର୍ଟି କୁ ସୁଦୃଢ କରି ଆଗେଇ ନେବାରେ ତାଙ୍କର ଅବଦାନ ସ୍ବର୍ଗତ ପ୍ରଧାନଙ୍କୁ ସବୁଦିନ ପାଇଁ ସ୍ମରଣୀୟ କରି ରଖିବ l
ବାଚସ୍ପତି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି l


Share It

Comments are closed.