ହାତ ଛାଡି ବିଜେଡିରେ ଯୋଗଦେଲେ ଡାକ୍ତର ପ୍ରଫୁଲ୍ଲ ମାଝୀ

Share It

ବିଜେଡିରେ ଯୋଗଦେଲେ ସୁନ୍ଦରଗଡ଼ ତଳସରାର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଡାକ୍ତର ପ୍ରଫୁଲ୍ଲ ମାଝୀ । ଗତ ୬ ତାରିଖରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ, ପ୍ରୀତିରଂଜନ ଘଡ଼େଇଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ ।

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଫୁଲ୍ଲଙ୍କୁ ଦଳରେ ସ୍ୱାଗତ କରିବା ସହ ଦଳ ପଞ୍ଚାୟତ ନିର୍ବାଚନରେ କିଭଳି ଭଲ ଫଳାଫଳ କରିବ ସେ ନେଇ କାମ କରିବାକୁ ଆହ୍ୱାନ ଦେଇଛନ୍ତି । ତଲସରା ନିର୍ବାଚନ ମଣ୍ଡଳୀରୁ ୩ଥର ବିଧାୟକ ହୋଇଥିଲେ ପ୍ରଫୁଲ୍ଲ ।

ବିଜେଡିରେ ସାମିଲ ହେବା ପରେ ସେ କହିଛନ୍ତି, ତଲସରା ଦିନେ କଂଗ୍ରେସର ଗଡ଼ ଥିଲା । ଦିଲ୍ଲୀରୁ ଓଡ଼ିଶା ମୁରବୀବିହୀନ ହୋଇପଡିଛି କଂଗ୍ରେସ । ଦଳରେ ତାଙ୍କୁ ଅଣଦେଖା କରିବା ସହ ଅପମାନିତ କରାଯାଉଥିଲା । ସେଭଳି ଦଳରେ ରହି ଲୋକଙ୍କ ସେବା କରିବା ସମ୍ଭବ ହେଲାନି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛି । ଆଦିବାସୀଙ୍କ ବିକାଶ ସହ ସୁନ୍ଦରଗଡ ଜିଲ୍ଲା ଏବଂ ରାଜ୍ୟର ବିକାଶ ନେଇ କାମ କରିବୁ।

ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭଲ ପାଆନ୍ତି ବୋଲି ଏହି ଅବସରରେ କହିଛନ୍ତି ପ୍ରଫୁଲ୍ଲ । ସମସ୍ତେ ଶୄଙ୍ଖଳାର ସହ କାମ କରିବେ । ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ କରିବ ବୋଲି ସେ କହିଛନ୍ତି ।


Share It

Comments are closed.