ଟୁଇଟ୍ର ଓ ସମ୍ବାଦପତ୍ରରେ ପ୍ରକାଶିତ ଖବର ନେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁଯାୟୀ ନୟାଗଡ ଜିଲ୍ଲାର ସରିଗଣ୍ଡା ପଞ୍ଚାୟତରେ କାମସର ଗ୍ରାମର ବୃଦ୍ଧା ବାଲି ଜନୀ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଓ ଏକ ହଜାର ଟଙ୍କା ପାଇନଥିବା ଜାଣି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତୁରନ୍ତ ଏ ସଂପର୍କରେ ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ନୟାଗଡ ଜିଲ୍ଲାର ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଅନୁଯାୟୀ ଦଶପଲ୍ଲାର ଏମ ଆଇ ବାଲି ଜାନୀଙ୍କ ଘରକୁ ଯାଇ ତାଙ୍କୁ ତରନ୍ତ ୩ ମାସର ଚାଉଳ ୩୦ କେଜି ଏବଂ ନଗଦ ରିଲିଫ ଆକାରରେ ୧୦୦୦ ଟଙ୍କା ପ୍ରଦାନ କରିଛନ୍ତି ।
ସେହିପରି ଝୁମ୍ପୁରା ପଞ୍ଚାୟତର ବିଷ୍ଣୁପୁର (ଭଦ୍ରା ସାହି)ର ସୁନୀତା ମୁଣ୍ଡା ରାସନ କାର୍ଡରେ ଖାଦ୍ୟ ସାମଗ୍ରୀ ପାଇନଥିବା ଖବର କାଗଜରେ ପ୍ରକାଶିତ ସମ୍ବାଦ ଅନୁସାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଟୁଇଟ ଯୋଗେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳ ସ୍ୱରୁପ ସୁନୀତା ମୁଣ୍ଡାଙ୍କୁ ତୁରନ୍ତ ୩୦ କେଜି ଚାଉଳ ଯୋଗାଇ ଦିଆଯାଇଥିଲା ।
ସେହିପରି ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳର ଝିଲି ସାହୁ ୩ ମାସର ଆଗୁଆ ରାସନ ସାମଗ୍ରୀ ପାଇନଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ଲିଖିତ ଅଭିଯୋଗ କରିବା ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏ ଦିଗରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇ ବିଭାଗୀୟ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ସେହିଦିନ ଝିଲି ସାହୁଙ୍କୁ ତାଙ୍କ ପ୍ରାପ୍ୟ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା ।
କରୋନା ଭାଇରସ ଯୋଗୁଁ ସାରା ଦେଶ ସମେତ ରାଜ୍ୟରେ ଲକଡାଉନ ଜାରି ରହିଥିବାବେଳେ ଜନସାଧାରଣଙ୍କ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଏ ସଂପର୍କରେ ଟୁଇଟର, ଟେଲିଫୋନ, ସମ୍ବାଦପତ୍ର ଆଦି ମାଧ୍ୟମରେ ମିଳୁଥିବା ଅଭିଯୋଗକୁ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
Comments are closed.