ରବିଧାନ ସଂଗ୍ରହରେ ସାମାଜିକ ଦୂରତା ଓ ମାର୍ଗଦର୍ଶିକାକୁ କଡାକଡି ପାଳନ ଉପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର : ରାଜ୍ୟରେ ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ମଇ ମାସ ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି । କରୋନା ଭାଇରସ ପରିସ୍ଥିତିରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାଗୁଡିକୁ କଡାକଡି ଭାବେ ପାଳନ କରି ରବିଧାନ ସଂଗ୍ରହ କାର୍ଯ୍ୟ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଏହି ମର୍ମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । କୌଣସି କେନ୍ଦ୍ରରେ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁପାଳନରେ ଖିଲାଫ ହେଲେ ସେହି କେନ୍ଦ୍ରରେ ଦାନ ସଂଗ୍ରହ କାର୍ଯ୍ୟକୁ ବନ୍ଦ କରିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ରବିଧାନ ସଂଗ୍ରହ ନିମନ୍ତେ ରାଜ୍ୟର ୧୭ଟି ଜିଲ୍ଲାରେ ମୋଟ ୨ ଲକ୍ଷ ୫୮ ହଜାର ୩୫୭ ଜଣ ଚାଷୀ ସେମାନଙ୍କ ନାମ ଅନଲାଇନ ଯୋଗେ ପଞ୍ଜୀକୃତ କରିଛନ୍ତି । ଚଳିତ ବର୍ଷ ଗତବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧିକ ଚାଷୀ ରବିଧାନ ବିକ୍ରୟ ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି ।
ଏହି ୧୭ଟି ଜିଲ୍ଲା ମଧ୍ୟରେ ବାଲେଶ୍ୱର, ବରଗଡ, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ନବରଙ୍ଗପୁର, ନୂଆପଡା, ପୁରୀ, ରାୟଗଡା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ରହିଛି । ମୋଟ ୮୨୯ ପ୍ୟାକସ, ଲ୍ୟାମ୍ପସ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ସଂଗ୍ରହ କରାଯିବ । ପ୍ରତ୍ୟେକ ଦିନ ସକାଳ ୭ ଘଟିକାରୁ ଦିନ ୧ ଟା ପର୍ଯ୍ୟନ୍ତ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ସେହିପରି ଅପରାହ୍ନରେ କଷ୍ଟମ ମିଲରମାନେ କେନ୍ଦ୍ରରୁ ଧାନ ଉଠାଣ କରିବେ । କେନ୍ଦ୍ରରେ ଭିଡ ଏଡାଇବା ପାଇଁ ଦୈନିକ ୩୦ରୁ ୩୫ ଜଣରୁ ଅଧିକ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ନାହିଁ । ଗୋଟିଏ ଥରରେ ୧୦ରୁ ୧୨ ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ଏକ ନିର୍ଦ୍ଧିଷ୍ଟ ସମୟ ଦିଆଯିବ । ସେହି ସମୟରେ ଚାଷୀ ତାଙ୍କ ଧାନ ମଣ୍ଡିକୁ ଆଣିବେ । କେନ୍ଦ୍ର ଆସୁଥିବା ଚାଷୀ, ଶ୍ରମିକ, ମିଲର ଏବଂ ଦାନ ସଂଗ୍ରହ କେନ୍ଦ୍ରର କର୍ମଚାରୀମାନଙ୍କ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ହ୍ୟାଣ୍ଡ ସାନିଟାଇଜର ରଖାଯିବ । କେନ୍ଦ୍ର ମଧ୍ୟକୁ ପ୍ରବେଶ କରୁଥିବା ପ୍ରତ୍ୟେକ ମାସ୍କ କିମ୍ବା କପଡାରେ ମୁହଁ, ପାଟି ଘୋଡାଇବା ବାଧ୍ୟତାମୂଳକ କରାଯାଇଛି । ମଣ୍ଡିର ସବୁ ଯନ୍ତ୍ରପାତି ଓ କମ୍ପ୍ୟୁଟର ଆଦି ପ୍ରତ୍ୟେକ ଦିନ ଭଲ ଭାବେ ସାନିଟାଇଜ କରାଯିବା ସହିତ ପ୍ରତ୍ୟେକ ଥର ଆଇରିସ ସ୍କାନର ମେସିନ ବ୍ୟବାହର ନିମନ୍ତେ ସାନିଟାଇଜ କରାଯିବ ।
Comments are closed.