ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ମାମଲାରେ ୨ ଜଣଙ୍କୁ ଗିରଫ କଲା ସ୍ପେସାଲ ସ୍କ୍ୱାଡ
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି । ପଞ୍ଜାବ ପୋଲିସର ସ୍ପେସାଲ ସ୍କ୍ବାଡ୍ ଉତ୍ତରାଖଣ୍ଡରୁ ହେପାଜତକୁ ନେଇଥିବା ମନପ୍ରୀତ ସିଂହକୁ ଗିରଫ କରିଛି । ଏହା ସହିତ ଅନ୍ୟ ଜଣେ ସାର୍ପ ସୁଟର୍ ଶରଦକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ପରେ ମନପ୍ରୀତ ଏବଂ ଶରଦକୁ କୋର୍ଟରେ ହାଜର କରାଯାଇଥିଲା । ମାମଲାର ଶୁଣାଣି କରି ପ୍ରଥମ ପର୍ଯ୍ୟାୟରେ ଗିରଫ ୨ ଜଣ ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ ।
ଅନ୍ୟପଟେ ସିଦ୍ଧୁ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତି ସନ୍ଦେହରେ ତିହାର ଜେଲରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟର ଲୋରେନ୍ସ ବିଷ୍ଣୋୟୀକୁ ମଧ୍ୟ ରିମାଣ୍ଡରେ ନିଆଯାଇଛି । ମୁସେଓ୍ବାଲା ହତ୍ୟାକାଣ୍ଡ ଘଟଣାରେ ପଚରାଉଚରା ପାଇଁ ତାକୁ ୫ ଦିନ ପାଇଁ ରିମାଣ୍ଡରେ ନେଇଛି ପୋଲିସ । ସନ୍ଦେହ କରାଯାଉଛି ଯେ, ଗାୟକ ସିଦ୍ଧୁ ମୁସେୱାଲା ଙ୍କୁ ହତ୍ୟା କରିବା ପାଇଁ ଲୋରେନ୍ସ ବିଷ୍ଣୋୟୀ ଏବଂ ଗୋଲ୍ଡୀ ବରାଡ୍ ହିଁ ଯୋଜନା ପ୍ରସ୍ତୁତ କରିଥିଲେ । ଗିରଫ ଦୁଇ ଅଭିଯୁକ୍ତ ମନପ୍ରୀତ ଏବଂ ଶରଦ ଲୋରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସାର୍ପ ସୁଟର୍ ଏବଂ ସକ୍ରିୟ ସଦସ୍ୟ ଥିଲେ ।
ପୋଲିସକୁ ମିଳିଥିବା ସୁରାକ୍ ଅନୁଯାୟୀ, ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡର ଯୋଜନା ତିହାର୍ ଜେଲରୁ ହିଁ ହୋଇଥିଲା । ଅନ୍ୟପଟେ ଲୋରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ଏକ ସୋସିଆଲ ମିଡିଆ ପେଜ୍ ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଥିଲା । ଅର୍ଥାତ୍ ହତ୍ୟାକାଣ୍ଡ ଘଟଣାରେ ଲୋରେନ୍ସ ଏବଂ ତାର ଭାଇ ଗୋଲ୍ଡୀ ବରାଡ୍ ନିଜକୁ ଦାୟୀ କରିଥିଲେ । ସେହି ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।
Comments are closed.