ଫିକି ଓଡ଼ିଶା ପକ୍ଷରୁ “ନିଉ ନର୍ମାଲ୍‌’ ଉପରେ ୱେବିନାର


ଭୁବନେଶ୍ୱର: ଫିକି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ନିଉ ନର୍ମାଲ (କୋଭିଡ୍ ୧୯ ସମୟରେ କାର୍ଯ୍ୟକ୍ଷେତ୍ରରେ ପ୍ରତିଷେଧମୂଳକ ବ୍ୟବସ୍ଥା) ସମ୍ପର୍କିତ ଏକ ୱେବିନାର ଆୟୋଜନ କରାଯାଇଛି । ଏଥିରେ କର୍ମ କ୍ଷେତ୍ରରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ଏହି ଅବସରରେ ଫିକି ଓଡ଼ିଶା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମୋନିକା ନୈୟାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କହିଛନ୍ତି ଯେ କର୍ମ କ୍ଷେତ୍ରରେ କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ଲାଗି ବ୍ୟବସାୟ ପ୍ରତିଷ୍ଠାନ, କର୍ମଚାରୀ ଓ ସେମାନଙ୍କ ପରିବାର, ସର୍ବୋପରି ସମଗ୍ର ସମାଜ ଏବଂ ସାମାଜିକ ସହଯୋଗୀ ଆଦି ସମାଜର ସମସ୍ତ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ । କୋଭିଡ୍‌-୧୯ର ମୁକାବିଲା କରିବା ଏବଂ ଶିଳ୍ପ ଓ ସମାଜକୁ ଆବଶ୍ୟକ ସହାୟତା ପ୍ରଦାନ କରିବା ଲାଗି ସରକାର ଆବଶ୍ୟକ ଦିଶାନିର୍ଦେଶକ ଓ ସୁରକ୍ଷା ପଦକ୍ଷେପ ଜାରି କରିଛନ୍ତି ବୋଲି ସେ କହିଛନ୍ତି ।
ଏହି ଅବସରରେ ରାଜ୍ୟ ଶ୍ରମ କମିସନର ଡକ୍ଟର ଏନ୍ ତିରୁମାଲା ନାଏକ ଓ ନିର୍ଦେଶକ, ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର୍ସ, ଓଡ଼ିଶା କହିଛନ୍ତି ଯେ, ଏହା ହେଉଛି ଏକ କଠିନ ଓ ଅଭାବନୀୟ ସମୟ । ଓଡ଼ିଶା ସରକାର ଜାଗ୍ରତ ଅଛନ୍ତି । କର୍ମ କ୍ଷେତ୍ରରେ କର୍ତୃପକ୍ଷଙ୍କୁ ସତର୍କ ରହିବାକୁ ହେବ । ଏହା ସବୁ ଶିଳ୍ପ, ସେମାନଙ୍କ କର୍ମଚାରୀ ଓ ଶ୍ରମିକମାନଙ୍କ ପାଇଁ ଜରୁରୀ । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ସହ ଶିଳ୍ପ ଦୁର୍ଘଟଣା ସମ୍ପର୍କିତ ମାମଲା ମଧ୍ୟ ବଢ଼ୁଛି । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଆବଶ୍ୟକ ପ୍ରଶିକ୍ଷଣ, ନିରୀକ୍ଷଣ ଓ ନଜର ରଖିବା ଜରୁରୀ ବୋଲି ସେ କହିଛନ୍ତି ।
ଏହି ଅବସରରେ ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡକ୍ଟର କମଳ ଲୋଚନ ମିଶ୍ର ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା ଉପରେ ଆଲୋକପାତ କରିଥିଲେ ଏବଂ ଦେଶର କିଛି ହାତଗଣତି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ ଯେଉଁଠାରେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ଜିଲ୍ଲା ସ୍ତରରେ ନିଯୁକ୍ତ କରାଯାଇଛି ବୋଲି କହିଥିଲେ । ଫିକିର ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ସହ-ଅଧ୍ୟକ୍ଷ ଡକ୍ଟର ଏସ୍ ପି ଗର୍ଗ କହିଥିଲେ ଯେ ଅନେକ ପ୍ର୍ରୟାସ ହେଉଥିବା ସତ୍ୱେ ଶ୍ରମିକ, କଂଚାମାଲ ଓ ସମ୍ବଳର ଅଭାବ ଯୋଗୁ କାରବାର ପୁନର୍ବାର ଆରମ୍ଭ କରିବାରେ ସଂସ୍ଥାଗୁଡ଼ିକ ଅସୁବିଧା ସାମ୍ନା କରୁଛନ୍ତି ।


Share It

Comments are closed.