କୃଷି ବିଲ ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ, ଟ୍ରାକ୍ଟରରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ


କୃଷି ଆଇନ ବିରୋଧରେ ପ୍ରଦର୍ଶନ ନିଆଁ ଦିଲ୍ଲୀ ଯାଏଁ ପହଞ୍ଚି ସାରିଛି । ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟରେ କୃଷକ ଏକ ଟ୍ରାକ୍ଟରରେ ନିଆଁ ଲଗାଇଛନ୍ତି । ପଞ୍ଜାବ ଓ ହରିୟାଣା ପରେ କୃଷକଙ୍କ ବିରୋଧ ପ୍ରଦର୍ଶନ ଦେଶର ରାଜଧାନୀ ଦିଲ୍ଲୀ ସଂସଦ ନିକଟତର ହୋଇଛି । ସଂସଦ ନିକଟରେ ଇଣ୍ଡିଆ ଗେଟରେ କୃଷକମାନେ ବିରୋଧ ପ୍ରଦର୍ଶନ କରି ଏକ ଟ୍ରାକ୍ଟରରେ ନିଆଁ ଲଗାଇଛନ୍ତି । ତେବେ ପ୍ରଦର୍ଶନକାରୀଙ୍କୁ ଏକାଠି ହେବାକୁ ଦିଆଯାଇନାହିଁ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଦର୍ଶନକାରୀଙ୍କୁ ଏକାଠି ହେବାକୁ ଦିଆଯାଇନାହିଁ । ଇଣ୍ଡିଆ ଗେଟ ନିକଟସ୍ଥ ଭିଆଇପି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଗତ ଦୁଇ ସପ୍ତାହ ହେଲା କୃଷି ବିଲକୁ ନେଇ ସଂସଦରୁ ସଡକ ଯାଏଁ ଯୁଦ୍ଧ ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନ ଆଇନରେ ପରିଣତ ହୋଇଛି । କୃଷି ବିଲକୁ ରାଷ୍ଟ୍ରପତି ମଞ୍ଜୁରୀ ଦେଇଛନ୍ତି । କିନ୍ତୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ସତ୍ତ୍ୱେ କୃଷି ବିଲକୁ ନେଇ କୌଣସି ଗଣ୍ଡଗୋଳ ଥମିବାର ନାଁ ନେଉନାହିଁ । ପଞ୍ଜାବରେ କୃଷକ ଓ ଶାସନାଧୀନ ଦଳକୁ ବିରୋଧ କରାଯାଉଛି । କୃଷକ ସଂଗଠନ ପଞ୍ଜାବରେ ରେଳ ରୋକ ପ୍ରଦର୍ଶନ ସେପ୍ଟେମ୍ବର ୨୯ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି । କୃଷି ବିଲ ବିରୋଧରେ ଅକାଲି ଦଳ ବିଭିନ୍ନ ସ୍ଥାନରେ ରାଲି କରୁଛନ୍ତି ।

ଶହୀଦ ଭଗତ ସିଂହଙ୍କ ଜୟନ୍ତୀ ଅବସରରେ ସୋମବାର ଦିନ ପଞ୍ଜାବରେ କୃଷକଙ୍କ ଆନ୍ଦୋଳନ ଆହୁରି ଭୀଷଣ ହୋଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂହ ଶହୀଦ ଭଗତ ସିଂହଙ୍କ ଗାଁକୁ ଯିବେ । ସେଠାରେ ସେ କୃଷକ ଆନ୍ଦୋଳନ ସମର୍ଥନରେ ଧାରଣା ଦେବେ । କୃଷି ବିଲକୁ ରାଷ୍ଟ୍ରପତି ମଞ୍ଜୁରୀ ଦେବା ପରେ କଂଗ୍ରେସ ବିରୋଧ ଜାରି ରଖିଛି ।


Share It

Comments are closed.