ବର୍ଦ୍ଧିତ ପ୍ରୋଷ୍ଟେଟ୍ ପରିସ୍ରା କରିବାରେ ସମସ୍ୟା ସୃଷ୍ଟି କରିପାରେ
ଭୁବନେଶ୍ୱର: ବିପିଏଚ୍ କିମ୍ବା ବିନାଇନ୍ ପ୍ରୋଷ୍ଟାଟିକ୍ ହାଇପର୍ପ୍ଲାସିଆ ହେଉଛି ଏକ ବର୍ଦ୍ଧିତ ପ୍ରୋଷ୍ଟେଟ୍ ପାଇଁ ଡାକ୍ତରୀ ଶବ୍ଦ । ଏହା ହେଉଛି ବୃଦ୍ଧାବସ୍ଥା ସହ ଜଡିତ ଏକ ସ୍ଥିତି , ଯାହା ବୋଧହୁଏ ହର୍ମୋନରେ ପରିବର୍ତନ କାରଣରୁ ହୋଇଥାଏ । ବିପିଏଚ୍ କ୍ଷତିକାରକ ନୁହେଁ । ଏହାର ଅର୍ଥ ହେଉଛି ଏହା କ୍ୟାନ୍ସର ନୁହେଁ । ଏହା କ୍ୟାନ୍ସର ସୃଷ୍ଟି କରେନାହିଁ । ତେବେ ବିପିଏଚ୍ ଓ କ୍ୟାନ୍ସର ଏକାସଙ୍ଗେ ଦେଖାଦେଇପାରେ । ବିପିଏଚ୍ ଲକ୍ଷଣଗୁଡିକ ବିଭିନ୍ନ ବ୍ୟକ୍ତିଙ୍କଠାରେ ଭିନ୍ନ ଭିନ୍ନ ହୋଇପାରେ ଏବଂ ତାହା ସ୍ଥିତି ବିଗିଡିବା ସହିତ ଭିନ୍ନ ହୋଇପାରେ । ଏକ ବର୍ଦ୍ଧିତ ପ୍ରୋଷ୍ଟେଟ୍ ସହିତ ଜଡିତ ଜଟିଳତା ଓ ଅସୁବିଧା ସମସ୍ୟାଗୁଡିକର ଏକ ସମ୍ମିଶ୍ରଣ ସହ ସମ୍ବନ୍ଧିତ ଯାହା ସମୟକ୍ରମେ ବିକଶିତ ହୋଇଥାଏ । ଏଭଳି ୩ଟି କାରକ ରହିଛି ଯାହା ବିପିଏଚ୍ ବିକଶିତ ହେବାର ବିପଦକୁ ବୃଦ୍ଧି କରିଥାଏ, ସେଗୁଡିକ ହେଉଛି ବୃଦ୍ଧାବସ୍ଥା, ପରିବାରର ଇତିଆସ ଓ ଚକିତ୍ସକୀୟ ସ୍ଥିତି । ପ୍ରୋଷ୍ଟେଟ୍ ବୟସ ସହିତ ଦୁଇଟି ମୁଖ୍ୟ ଅଭିବୃଦ୍ଧି ଅବଧି ଦେଇ ଗତି କରିଥାଏ । ଗୋଟିଏ ଯୌବନ ଅବସ୍ଥାର ଆରମ୍ଭରେ ଦେଖାଦେଇଥାଏ, ଯେତେବେଳେ ପ୍ରୋଷ୍ଟେଟ୍ର ଆକାର ଦୁଇଗୁଣ ବୃଦ୍ଧି ପାଇଥାଏ । ଅଭିବୃଦ୍ଧିର ୨ୟ ପର୍ଯ୍ୟାୟ ପ୍ରାୟ ୨୫ ବର୍ଷ ବୟସରେ ଆରମ୍ଭ ହୋଇଥାଏ ଏବଂ ପୁରୁଷ ଜୀବନର ଅଧିକାଂଶ ବୟସ ପର୍ଯ୍ୟନ୍ତ ଜାରି ରହିଥାଏ । ବିପିଏଚ୍ ୨ୟ ଅଭିବୃଦ୍ଧି ପର୍ଯ୍ୟାୟରେ ମଧ୍ୟ ଦେଖାଦେଇଥାଏ । ପ୍ରୋଷ୍ଟେଟ୍ ବଢିବା ପରେ ଏହା ବ୍ଲାଡର୍ରେ ସମସ୍ୟା କିମ୍ବା ବ୍ଲକେଜ୍ ସୃଷ୍ଟି କରିପାରେ ଯାହା ଲୋୟର୍ ୟୁରିନାରି ଟ୍ରାକ୍ଟ ସିମ୍ପ୍ଟମ୍ସ (ଏଲ୍ୟୁଟିଏସ୍)ର କାରଣ ହୋଇପାରେ, ଯେଉଁଥିରେ ବାରମ୍ବାର ପରିସ୍ରା ଲାଗିବା, ବ୍ଲାଡର୍ ଫୁଲ୍ ହେବା ଭଳି ଅନୁଭବ କରିବା, ମୂତ୍ରର ଦୁର୍ବଳ ସ୍ରୋତ, ବାରମ୍ବାର ପରିସ୍ରା ଆରମ୍ଭ ଓ ବନ୍ଦ କରିବା, ପରିସ୍ରା ଆରମ୍ଭରେ ଯନ୍ତ୍ରଣା ହେବା ଇତ୍ୟାଦି ସାମିଲ ରହିଛି । ଏହା ରୋଗୀଙ୍କ ଜୀବନର ମାନକୁ ପ୍ରଭାବିତ କରିଥାଏ ।
ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲର ୟୁରୋଲୋଜିଷ୍ଟ ପ୍ରଫେସର୍ ଡଃ ଦେବବ୍ରତ ସାବତ କହିଛନ୍ତି, ‘ଆଶ୍ଚର୍ଯ୍ୟଜନକ ଭାବେ ଏହା ହେଉଛି ଏକ ସାଧାରଣ ସ୍ଥିତି । ୫୦ରୁ ୬୦ ବର୍ଷ ବୟସର ପ୍ରାୟ ୫୦% ପୁରୁଷଙ୍କଠାରେ ଏହା ଦେଖାଯାଇଥାଏ ଏବଂ ୮୦ ବର୍ଷ ବୟସ ବେଳକୁ ପ୍ରାୟ ୯୦% ପୁରୁଷଙ୍କଠାରେ ବିପିଏଚ୍ ରହିଥାଏ । ରୋଗୀମାନେ ବହୁମାତ୍ରାରେ ଏହି ସ୍ଥିତିକୁ ନେଇ ସଚେତନ ନୁହନ୍ତି । ବିପିଏଚ୍ ଓ ପ୍ରୋଷ୍ଟେଟ୍ କ୍ୟାନ୍ସର ମଧ୍ୟରେ କୌଣସି ଲିଙ୍କ୍ ନଥିଲେ ମଧ୍ୟ ନିଜ ଲକ୍ଷଣ ସମ୍ପର୍କରେ ଜାଣିବା ପାଇଁ ଡାକ୍ତରଙ୍କୁ ଦେଖାଇବା ଗୁରୁତ୍ୱପୂର୍ଣ୍ଣ ଅଟେ । ଆପଣଙ୍କର ଲକ୍ଷଣ ସ୍ୱଳ୍ପ, ମଧ୍ୟମ କିମ୍ବା ଗମ୍ଭୀର ଯାହାବି ହୋଇଥାଉ ନା କହିଁ ଆପଣ ନିଜର ସ୍ଥିତି ଓ ସଠିକ୍ ଚିକିତ୍ସା ବିକଳ୍ପ ସମ୍ପର୍କରେ ଜାଣିବା ପାଇଁ ଜଣେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ବିପିଏଚ୍ ପାଇଁ ଅନେକ ଚିକିତ୍ସା ରହିଛି । ଆପଣ ଓ ଆପଣଙ୍କ ଡାକ୍ତର ଆପଣଙ୍କ ପାଇଁ କେଉଁ ଚିକିତ୍ସା ଉପଯୁକ୍ତ ରହିବ ତାହାର ମିଳିତ ଭାବେ ନିଷ୍ପତି ନେବେ । ବେଳେବେଳେ ଏହା କେବଳ ସକ୍ରିୟ ତଦାରଖର ଆବଶ୍ୟକ କରିଥାଏ । କିଛି କ୍ଷେତ୍ରରେ ଔଷଧ ଦ୍ୱାରା ଏହାର ଚିକିତ୍ସା ହୋଇପାରିବ । ସେହିପରି ଲକ୍ଷଣକୁ କମ୍ କରିବା ପାଇଁ ସକ୍ରିୟ ରହିବା, ବାଥ୍ରୁମ ଯିବା ବେଳେ ନିଜ ବ୍ଲାଡର୍କୁ ଖାଲି କରିବାକୁ ଚେଷ୍ଟା କରିବା, ପ୍ରତ୍ୟେକ ଦିନ ଏକ ଧାର୍ଯ୍ୟ ସମୟରେ ପରିସ୍ରା କରିବାକୁ ଚେଷ୍ଟା କରିବା, ରାତି ୮ଟା ପରେ କୌଣସି ପ୍ରକାରର ପାନୀୟ ଗ୍ରହଣ ନକରିବା, ମଦ୍ୟପାନକୁ ସୀମିତ ରଖିବା ଭଳି ସରଳ ଜୀବନଶୈଳୀ ପରିଚାଳନା ପଦ୍ଧତିକୁ ଆପଣାଇପାରିବେ । ଅଧିକ ଜଟିଳ ମାମଲାରେ ପ୍ରୋଷ୍ଟେଟ୍ ବଢିବା ପରିସ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରିପାରେ ଏବଂ ରେନାଲ ଫେଲ୍ୟୋର୍ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଏହା ଜରୁରୀକାଳିନ ଚିକିତ୍ସା ଆବଶ୍ୟକ କରିଥାଏ ।”
Comments are closed.