ପୂର୍ବତଟ ରେଳପଥର ଲଗାତାର ୬ ବର୍ଷ ୨୦୦ ନିୟୁତ ଟନ ପଣ୍ୟ ପରିବହନ
ପୂର୍ବତଟ ରେଳପଥ ୨୦୨୪-୨୫ ଆର୍ଥିକ ବର୍ଷରେ ରେକର୍ଡ ୨୫୯.୨୫୪ ନିୟୁତ ଟନ ମୂଳ ପଣ୍ୟ ବୋଝେଇ ହାସଲ କରି ପଣ୍ୟ ପରିବହନରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି । ଲଗାତାର ଷଷ୍ଠବର୍ଷ ପାଇଁ ୨୦୦ ନିୟୁତଟନରୁ ଅଧିକ ପଣ୍ୟ ପରିବହନ ସହ ପୂର୍ବତଟ ରେଳପଥ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇପାରିଛି। ପୂର୍ବତଟ ରେଳପଥ ୨୫୯ ନିୟୁତ ଟନ ପଣ୍ୟ ପରିବହନ ସୀମା ଅତିକ୍ରମ କରିବାରେ ଦେଶର ପ୍ରଥମ ରେଳ ଜୋନ ହୋଇଛି, ଯାହା ମାଲ ପରିବହନରେ ପୂର୍ବ ରେକର୍ଡକୁ ଅତିକ୍ରମ କରିଛି । ଏହି ସଫଳତା ପୂର୍ବ ବର୍ଷ ତୁଳନାରେ ୩.୦୩୪ ନିୟୁତ ଟନ ବୃଦ୍ଧି ପାଇଛି । ଏହି ସମୟସୀମା ମଧ୍ୟରେ ପୂର୍ବତଟ ରେଳପଥ ବ୍ୟତୀତ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (ଏସଇସିଆର) ୨୫୩.୨୦୮ନିୟୁତ ଟନ, ଦକ୍ଷିଣ ପୂର୍ବ ରେଳପଥ (ଏସଇଆର) ୨୧୨.୩୬୧ ନିୟୁତ ଟନ ଏବଂ ପୂର୍ବ କେନ୍ଦ୍ରୀୟ ରେଳପଥ (ଇସିଆର) ୨୦୨.୬୨ନିୟୁତ ଟନ ପଣ୍ୟ ପରିବହନ କରିଛି।
୨୦୨୪-୨୫ ଆର୍ଥିକବର୍ଷରେ ପୂର୍ବତଟ ରେଳପଥ ବିଭିନ୍ନ ପ୍ରକାରର ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନର ପରିଚାଳନା କରିଛି। ଏଥିମଧ୍ୟରେ ୧୫୩.୨୭୧ ନିୟୁତ ଟନ କୋଇଲା, ଇସ୍ପାତ କାରଖାନା ପାଇଁ ୯.୯୫୨ ନିୟୁତ ଟନ କଞ୍ଚାମାଲ, ୨୧.୩୮୧ ନିୟୁତ ଟନ ଇସ୍ପାତ ଏବଂ ସ୍ଲାଗ, ୩୨.୪୭୬ ନିୟୁତ ଟନ ଲୁହାପଥର, ୧.୦୬୫ ନିୟୁତ ଟନ ସିମେଣ୍ଟ, ୨.୯୮୯ ନିୟୁତ ଟନ ଖାଦ୍ୟଶ୍ଯଯ, ୬.୭୭୨ ନିୟୁତ ଟନ ସାର, ୨.୯୯୧ ନିୟୁତ ଟନ ଖଣିଜ ତୈଳ ଏବଂ କଣ୍ଟେନର ସହ ଅନ୍ୟାନ୍ୟ ୨୮.୩୫୭ ନିୟୁତ ଟନ ପଣ୍ୟ ପରିବହନକରାଯାଇଛି। ଏହି ପରିବହନ କ୍ଷେତ୍ରରେ ତାଳଚେରସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡର କୋଇଲା କ୍ଷେତ୍ର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ପାରାଦୀପ, ଧାମରା, ଭାଇଜାଗ, ଗଙ୍ଗାଭରମ ଏବଂ ଗୋପାଳପୁର ଆଦି ପାଞ୍ଚଟି ପ୍ରମୁଖ ବନ୍ଦର ଏବଂ ଇସ୍ପାତ, ଆଲୁମିନିୟମ ଏବଂ ଲୁହାପଥର କ୍ଷେତ୍ରର ପ୍ରମୁଖ ଶିଳ୍ପଗୁଡ଼ିକର ଉଲ୍ଲେଖନୀୟ ଭୂମିକା ରହିଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସମସ୍ତ ରେଳ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Comments are closed.