ପ୍ରାକ୍ ସତର୍କ ସୂଚନା, ଆଗୁଆ ପଦକ୍ଷେପ: ରିଲାଏନ୍ସ ଫାଉଣ୍ଡେସନ-ୟୁଏନ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ର ଓଡ଼ିଶାରେ ବିଶେଷଜ୍ଞ, ଚିନ୍ତାଧାରାଗୁଡିକୁ ଏକତ୍ର କରିଛି
– ଭାରତର ବିଭିନ୍ନ ରାଜ୍ୟ ଏବଂ ଗ୍ଲୋବାଲ ସାଉଥର ବିଭିନ୍ନ ଦେଶରୁ ସହଭାଗୀମାନେ ଏକତ୍ରିତ ହୋଇଥିଲେ
– ତଟୀୟ ପରିବ୍ୟବସ୍ଥାରୁ ଲାଭ କରାଯାଇଥିବା ଶିକ୍ଷାକୁ ନେଇ ପ୍ରାକ୍ ସତର୍କତା ସୂଚନା ଏବଂ କାର୍ଯ୍ୟପନ୍ଥାଗୁଡିକ ସୁଦୃଢ କରିବା ଉପରେ ଆଲୋଚନା କରାଯାଇଥିଲା
– ଏକ ଅଧିକ ମଜଭୁତ ଭବିଷ୍ୟତ ନିମନ୍ତେ ସର୍ବୋତ୍ତମ କାର୍ଯ୍ୟଗୁଡିକୁ ଚିହ୍ନଟ କରିବା ତଥା ଆପଣାଇବା, ନବସୃଜନଗୁଡିକୁ ଚିହ୍ନଟ କରିବା ଏବଂ ଅର୍ଥପୂର୍ଣ୍ଣ ନୀତିଗତ ଫଳାଫଳକୁ ଆଗେଇନେବା ନିମନ୍ତେ ଏକାଧିକ ସମ୍ମିଳନୀର ଅଂଶ ଭାବରେ ଓଡ଼ିଶାରେ ଏହି ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଛି
ଭୁବନେଶ୍ୱର,ନଭେମ୍ବର ୧୯, ୨୦୨୪: ବିପର୍ଯ୍ୟୟ ସମୟରେ ପ୍ରାକ୍ ସତର୍କ ସୂଚନା ଓ ଆଗୁଆ କାର୍ଯ୍ୟପନ୍ଥାକୁ ସୁଦୃଢ କରିବା ନିମନ୍ତେ ନୂତନ ଚିନ୍ତାଧାର ସୃଷ୍ଟି ଉଦ୍ଦେଶ୍ୟରେ ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁନାଇଟେଡ ନେସନ୍ସ ଇଣ୍ଡିଆ ପକ୍ଷରୁ ବହୁଧା ବିପଦ ଏବଂ ପ୍ରାକ୍ ସତର୍କ ସୂଚନା ପ୍ରତି ବହୁଧା-ସହଭାଗୀ ସମ୍ବଳିତ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବାକୁ ବିକାଶଶୀଳ ରାଷ୍ଟ୍ରଗୁଡିକରୁ ସହଭାଗୀମାନଙ୍କ ନିମନ୍ତେ ଆଜି ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।
‘ୟର୍ଲି ୱାର୍ଣ୍ଣିଂ ଟୁ ୟର୍ଲି ଆକ୍ସନ- ଏ ମଲ୍ଟି-ହାଜାର୍ଡ, ମଲ୍ଟି-ଷ୍ଟେକହୋଲଡର ଆପ୍ରୋଚ: ଲର୍ଣ୍ଣିଂ ଫ୍ରମ୍ କୋଷ୍ଟାଲ ଇକୋସିଷ୍ଟମସ୍’ ଶୀର୍ଷକ ଏହି ଓଡ଼ିଶା ସମ୍ମିଳନୀ ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁଏନ ଇଣ୍ଡିଆ ଆୟୋଜନ କରୁଥିବା ଏହିଭଳି ଏକାଧିକ ସମ୍ମିଳନୀ ମଧ୍ୟରେ ପ୍ରଥମ ଅଟେ। ଏହି ସମାବେଶ ବିପର୍ଯ୍ୟୟ ପ୍ରବଣ ତଟୀୟ ଅଞ୍ଚଳରେ ଜୀବିକା ଓ ଲିଙ୍ଗଗତ ଦିଗ ଉପରେ ଦୃଷ୍ଟିନିବଦ୍ଧ କରି ପ୍ରାକ୍ ସତର୍କ ସୂଚନା ଏବଂ ପ୍ରାକ୍ ପଦକ୍ଷେପ ଗ୍ରହଣ କ୍ଷେତ୍ରରେ ଓଡ଼ିଶାର ନେତୃତ୍ୱ ସମ୍ପର୍କରେ ଆଲୋକପାତ କରିଥିଲା।
ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମ୍ଏ), ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଆଇଏନସିଓଆଇଏସ୍) ଆଦି ପ୍ରମୁଖ ଭାରତୀୟ ରାଷ୍ଟ୍ରୀୟ ସଂସ୍ଥାସମୂହ, ଜାତିସଂଘ ସଂଗଠନସମୂହ, ଗବେଷକ, ନୀତି ବିଶାରଦ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଶିକ୍ଷାବିତ୍ ଏବଂ ଅଣ ସରକାରୀ ସଂଗଠନସମୂହର ବିଶାରଦମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ କହିଥିଲେ “ଆଗୁଆ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବାକୁ ଆମେ ସାମୁହିକ ଭାବରେ କାର୍ଯ୍ୟ କରୁଛୁ ଏବଂ ଓଡ଼ିଶାକୁ ପର୍ଯ୍ୟୟକ୍ରମେ ହେବାକୁ ଥିବା ଏହି ଆଲୋଚନା ନିମନ୍ତେ ପ୍ରଥମ ରାଜ୍ୟ ଭାବରେ ମନୋନୀତ କରାଯାଇଥିବାରୁ ଆମେ ଆନନ୍ଦିତ ଅନୁଭବ କରୁଛୁ। ଓଡ଼ିଶା ସରକାର ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ସର୍ବନିମ୍ନ ସ୍ତରରେ ରଖିବା ନିମନ୍ତେ ବିବିଧ ସହଭାଗୀଙ୍କ ସହିତ ମିଶି କାର୍ଯ୍ୟ କରୁଛନ୍ତି। ଆମେ ପରାମର୍ଶ ଏବଂ ପ୍ରଯୁକ୍ତିଗତ ସହାୟତା ନିମନ୍ତେ ଜାତିସଂଘ, ରିଲାଏନ୍ସ ଫାଉଣ୍ଡେସନ ଏବଂ ଅନ୍ୟ ସହଭାଗୀଙ୍କ ସହିତ କାର୍ଯ୍ୟ କରିବୁ। ବିପର୍ଯ୍ୟୟର ଆଗୁଆ ସତର୍କ ସୂଚନାରେ ଅଧିକ ସଠିକତା ଆଣିବା ନିମନ୍ତେ ସୂଚନା ବିଶ୍ଳେଷଣ ସହିତ ବିପର୍ଯ୍ୟୟ ପୂର୍ବାନୁମାନକୁ ସମନ୍ୱିତ କରିବାର ଉପାୟ ନିର୍ଦ୍ଧାରଣ ନିମନ୍ତେ ଆମେ ମିଳିତ ଭାବରେ କାର୍ଯ୍ୟ କରୁଥିବା ସଂଗଠନଗୁଡିକୁ ଅନୁରୋଧ କରୁଛୁ।”
“ଜଳବାୟୁ ପରିବର୍ତ୍ତନ କାରଣରୁ ଅଧିକରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବାବେଳେ ପ୍ରଭାବ ଭିତ୍ତିକ ପୂର୍ବାନୁମାନ ବ୍ୟବସ୍ଥା ସୁଦୃଢ କରିବାର ଆବଶ୍ୟକତା ରହିଛି, ଯାହାଦ୍ୱାରା ଅଧିକ ଫଳପ୍ରଦ ଭାବରେ ସ୍ଥାନୀୟ ସ୍ତରରେ ତାହାର କାର୍ଯ୍ୟନ୍ୱୟନ ସୁନିଶ୍ଚିତ କରାଯାଇପାରିବ। ଆମେ ବାତ୍ୟା, ବନ୍ୟା ଏବଂ ଅନ୍ୟାନ୍ୟ ମାତ୍ରାଧିକ ବିପର୍ଯ୍ୟୟ ପରିସ୍ଥିତିରେ ଜନସାଧାରଣଙ୍କର ସେବା କରିବା ସମୟରେ ପ୍ରାକ୍ ସତର୍କ ସୂଚନା ପ୍ରଦାନର ଜୀବନ ରକ୍ଷାକାରୀ ସାମର୍ଥ୍ୟକୁ ପ୍ରତ୍ୟକ୍ଷ ଭାବେ ଆମେ ଲକ୍ଷ୍ୟ କରିଛୁ। ଦ୍ରୁତ ପ୍ରଗତିଶୀଳ ପ୍ରାକ୍ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାରେ ଜ୍ଞାନର ବିକାଶ କ୍ଷେତ୍ରରେ ଭାରତ ଅଗ୍ରଣୀ ରହିଛି। ଆମେ ସଫଳ ପହଞ୍ଚ ଓ ପ୍ରଭାବ ନିମନ୍ତେ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ଏବଂ ଉପଯୁକ୍ତ ଆଭିମୁଖ୍ୟ ଜରିଆରେ ପ୍ରାକ୍ ସତର୍କ ସୂଚନା ପ୍ରଦାନ କ୍ଷେତ୍ରରେ ନବୋନ୍ମେଷୀ ସମାଧାନଗୁଡିକୁ ଆଗେଇ ନେଇଛୁ। ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁନାଇଟେଡ ନେସନସ୍ ଇନ ଇଣ୍ଡିଆ କାର୍ଯ୍ୟଳୟ ପକ୍ଷରୁ ଆୟୋଜନ କରାଯାଉଥିବା ସମ୍ମିଳନୀଗୁଡିକ ଜ୍ଞାନକୁ ସ୍ଥାନୀୟସ୍ତରରେ କାର୍ଯ୍ୟାନ୍ୱୟନରେ ରୂପାନ୍ତରିତ କରିବା ଲକ୍ଷ୍ୟ ହାସଲ ନିମନ୍ତେ ବିବିଧ ସହଭାଗୀମାନଙ୍କ ସହିତ ସମ୍ମିଳିତ ଭାବରେ କାର୍ଯ୍ୟ କରିବା ଲକ୍ଷ୍ୟ ରଖିଛି,” ବୋଲି ରିଲାଏନ୍ସ ଫାଉଣ୍ଡେସନ ସିଇଓ ଶ୍ରୀ ଜଗନ୍ନାଥ କୁମାର କହିଥିଲେ।
“ଜାତିସଂଘ ମହାସଚିବଙ୍କ ପକ୍ଷରୁ ସମଗ୍ର ବିଶ୍ୱରେ ସମସ୍ତଙ୍କ ପାଇଁ ଆଗୁଆ ସତର୍କ ସୂଚନା ପ୍ରଦାନ ନିମନ୍ତେ ଦିଆଯାଇଥିବା ଆହ୍ୱାନର ପ୍ରୟାସ ଭାବରେ ଜାତିସଂଘ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ସହଭାଗୀତାରେ ଆଜି ଆୟୋଜନ କରାଯାଇଥିବା ସମ୍ମିଳନୀ ଡିଆରଆର ଉପରେ ହେବାକୁ ଥିବା ବହୁପର୍ଯ୍ୟାୟ ସମ୍ମିଳନୀ ମଧ୍ୟରେ ପ୍ରଥମ ହୋଇଛି। ଆମେ ମଧ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଗୁଆ ସତର୍କ ସୂଚନା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ନେତୃତ୍ୱକୁ ପ୍ରଦର୍ଶିତ କରୁଛୁ, ଯାହା ଅନ୍ୟ ରାଜ୍ୟ ଏବଂ ବିକାଶଶୀଳ ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କୁ ଏହି କ୍ଷେତ୍ରରେ ରହିଥିବା ସର୍ବୋତ୍ତମ କାର୍ଯ୍ୟ ଉଦାହରଣ ଏବଂ ଜ୍ଞାନରେ ସହଭାଗୀତା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି। ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ସୁଦୃଢ କରିବା ଏବଂ ଗୋଷ୍ଠୀଗୁଡିକର ମଜଭୁତପଣ ନିର୍ମାଣ କରିବାକୁ ସରକାର, ନାଗରିକ ସମାଜ ଏବଂ ରିଲାଏନ୍ସ ଫାଉଣ୍ଡେସନ ଭଳି ସହଭାଗୀଙ୍କ ସହିତ ମିଶି କାର୍ଯ୍ୟ କରୁଥିବା ଆମର ବିଭିନ୍ନ ସଂସ୍ଥା ଜରିଆରେ ଏହିଭଳି ପ୍ରୟାସଗୁଡିକୁ ସମର୍ଥନ କରିବାକୁ ଜାତିସଂଘ ପ୍ରତିବଦ୍ଧ ରହିଛି,” ବୋଲି ଭାରତ ପାଇଁ ଥିବା ଜାତିସଂଘର ଆବାସିକ ସଂଯୋଜକ ଶ୍ରୀ ସୋମ୍ବି ଶାର୍ପ କହିଥିଲେ।
ବିଶେଷଜ୍ଞମାନେ ଆଗୁଆ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାରେ ସାମ୍ପ୍ରତିକ ଅଗ୍ରଗତି ଉପରେ ଦୃଷ୍ଟିନିବଦ୍ଧ କରିବା ସହିତ ଆହ୍ୱାନସମୂହ ଏବଂ ଆଗୁଆ ପଦକ୍ଷେପ ସୁଦୃଢ କରିବା ଉପାୟର ବିବିଧ ଦିଗ ସମ୍ପର୍କରେ ମତ ବିନିମୟ କରିଥିଲେ। ଏଥି ସହିତ ଭବିଷ୍ୟତ ନିମନ୍ତେ ପୂର୍ଣ୍ଣ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କରେ ‘କରେଣ୍ଟ ଷ୍ଟେଟ ଅଫ ଇଡବ୍ଲ୍ୟୁଏସ ଆଣ୍ଡ ୟର୍ଲି ଆକ୍ସନ: ଆସେସିଂ ଇଫେକ୍ଟିଭନେସ୍’ ଏବଂ ‘ଫ୍ୟୁଚର ପ୍ରୁଫିଙ୍ଗ ଆଣ୍ଡ ଇନୋଭେସନ ଟୁୱାର୍ଡସ୍ ଇଣ୍ଟିଗ୍ରେଟେଡ ୟର୍ଲି ୱାର୍ଣ୍ଣିଂ ସିଷ୍ଟମ’ ଶୀର୍ଷକ ଦଳଗତ ଆଲୋଚନାରେ ନିଜ ନିଜର ଆଭିମୁଖ୍ୟ ରଖିଥିଲେ। ଅଧିବେଶନରେ ମଧ୍ୟ ବହୁବିଧ-ବିପଦ ଆଭିମୁଖ୍ୟ ଏବଂ ଲକ୍ଷ୍ୟଭିତ୍ତିକ ଆଗୁଆ ପଦକ୍ଷେପ ସମ୍ପର୍କିତ ବାର୍ତ୍ତା ପ୍ରଦାନ ନିମନ୍ତେ ପାଣିପାଗ ତଥ୍ୟ ସହିତ ସାମାଜିକ-ଜନସଂଖ୍ୟା ସୂଚନା ସମନ୍ୱିତ କରିବା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା।
ଆଲୋଚନାରେ ନିକଟରେ ତଟୀୟ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଥିବା ଆଗୁଆ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥା, ଯୁବ ଓ ଲିଙ୍ଗଗତ ନେତୃତ୍ୱରେ ପରିଚାଳିତ ବିପର୍ଯ୍ୟୟ ଆପଦା ହ୍ରାସ ପ୍ରୟାସସମୂହ ଏବଂ ଆଗୁଆ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥା ସହିତ ଜୀବିକା ସୁରକ୍ଷାକୁ ସମନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ସମ୍ମିଳନୀ ବିକାଶଶୀଳ ରାଷ୍ଟ୍ରଗୁଡିକ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନକୁ ସୁଗମ କରିଥିଲା, ଯେଉଁଠାରେ ଶ୍ରୀଲଙ୍କା ଏବଂ ବାଂଲାଦେଶର ବିଶେଷଜ୍ଞମାନେ ଏହି କ୍ଷେତ୍ରରେ ସେମାନଙ୍କର ସର୍ବୋତ୍ତମ କାର୍ଯ୍ୟ ଉଦାହରଣଗୁଡିକ ସମ୍ପର୍କରେ ସୂଚନା ଦେବା ସହିତ ସହଭାଗୀତାକୁ ସୁଦୃଢ କରିବାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଦଳଗତ ଆଲୋଚନାକାରୀମାନେ ମଧ୍ୟ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁଏନ୍ ଇଣ୍ଡିଆ ପକ୍ଷରୁ ପ୍ରଶାସନ ସହିତ ମିଳିତ ଭାବରେ କରାଯାଇଥିବା କାର୍ଯ୍ୟ ନିରୀକ୍ଷଣ କରିବାକୁ ସମ୍ମିଳନୀ ପୂର୍ବରୁ ହୋଇଥିବା କ୍ଷେତ୍ର ଗସ୍ତ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସମ୍ମିଳନୀ ଅବସରରେ ଆୟୋଜିତ ଏକ ଭାବ ବିନିମୟକାରୀ ପ୍ରଦର୍ଶନୀ ପ୍ରତିନିଧିମାନଙ୍କୁ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ଏବଂ ପଦକ୍ଷେପଗୁଡିକୁ ସୁଦୃଢ କରିବା ନିମନ୍ତେ ରାଷ୍ଟ୍ରର ପ୍ରୟାସ ଉପରେ ଜ୍ଞାନକୁ ପରିବର୍ଦ୍ଧିତ କରିବା ଏବଂ ନବସୃଜନ ସମ୍ପର୍କରେ ଅନୁଭୂତି ହାସଲ କରିବା ସୁଯୋଗ ପ୍ରଦାନ କରିଥିଲା।
ୟର୍ଲି ୱାର୍ଣ୍ଣିଂ ଟୁ ୟର୍ଲି ଆକନ୍ସ ସମ୍ମିଳନୀ ଅଧିକରୁ ଅଧିକ ଜୀବନ ଓ ଜୀବିକା ସୁରକ୍ଷିତ ରଖିବା ସକାଶେ ସର୍ବୋତ୍ତମ କାର୍ଯ୍ୟ ଉଦାହରଣଗୁଡିକ ଲିପିବଦ୍ଧ କରିବା, ନବସୃଜନଗୁଡିକୁ ଚିହ୍ନଟ କରିବା ଏବଂ ପ୍ରଭାବୀ ନୀତି-ସ୍ତରୀୟ ଫଳାଫଳ ପ୍ରଦାନ ଲକ୍ଷ୍ୟ ରଖିଛି।
Comments are closed.