ପରିବେଶ ସୁରକ୍ଷା ହେଉଛି ବ୍ୟକ୍ତିଗତ ସାମାଜିକ ଦାୟିତ୍ୱ: ଶିଳ୍ପ ମନ୍ତ୍ରୀ
ଭୁବନେଶ୍ୱର: ପରିବେଶର ଅବକ୍ଷୟକୁ ମାନବ ସମାଜ ପ୍ରତି ସବୁଠୁ ବଡ଼ ବିପଦ ଭାବେ ବର୍ଣ୍ଣନା କରି ରାଜ୍ୟର ଗୃହ, ଶିଳ୍ପ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ ପରିବେଶ ସୁରକ୍ଷା କେବଳ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ନୁହେଁ, ଏହା ହେଉଛି ବ୍ୟକ୍ତିଗତ ସାମାଜିକ ଦାୟିତ୍ୱବୋଧ । ଆଇସିସି ଓଡ଼ିଶା ଚାପ୍ଟର ପକ୍ଷରୁ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯାଇଥିବା ବାୟୁ ପ୍ରଦୂଷଣ ଓ ଶିଳ୍ପ ସମ୍ପର୍କିତ ଇ-ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ପରିବେଶ ସମସ୍ୟା ପ୍ରତି ମାନବ ସମାଜର ଦାୟିତ୍ୱ ବିଷୟରେ ଆଲୋଚନା କରିଛନ୍ତି । ଏ କ୍ଷେତ୍ରରେ ଉତମ ଫଳ ହାସଲ କରିବା ଲାଗି ସମସ୍ତ ଅଂଶୀଦାରଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କହିଛନ୍ତି ଯେ ଦୂରଦୂରାନ୍ତ ଅଂଚଳରେ ବାସ କରୁଥିବା ଲୋକମାନେ ପରିବେଶ ପ୍ରତି ଅଧିକ ସଚେତନ ଓ ସେମାନେ ପରିବେଶ ଭଲ ଭାବେ ଯତ୍ନ ନେଉଛନ୍ତି । ଅତି ଛୋଟ ଦେଶ ଭୂଟାନର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହା ହେଉଛି ବିଶ୍ୱର ଏକମାତ୍ର କାର୍ବନ ନିଉଟ୍ରାଲ୍ ଦେଶ । ସେଠାରେ ଶିଳ୍ପ ସଂସ୍କୃତି ଭିନ୍ନ ପ୍ରକାରର । ଭୂଟାନର କେତେକ ଅଂଚଳ ଯେଉଁଠାରେ ଘନ ଜଙ୍ଗଲ ରହିଛି ସେଠାରେ ଶିଳ୍ପାୟନ ଉପରେ ସ୍ପଷ୍ଟ କଟକଣା ଲାଗୁ କରାଯାଇଛି । ଖାଦ୍ୟ ଶୃଙ୍ଖଳା ଉପରେ ଆକ୍ରମଣ ବନ୍ଦ କରି ସବୁ ଜୀବ ପ୍ରତି ଦୟା ପ୍ରଦର୍ଶନ କରିବାକୁ ସେ ମାନବ ସମାଜକୁ କହିଛନ୍ତି । ସବୁ ଜୀବଙ୍କ ଲାଗି ଏକ ସାମଗ୍ରିକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡକ୍ଟର ପ୍ରଶାନ୍ତ ଗର୍ଗଭା କହିଛନ୍ତି ଯେ ପ୍ରଯୁକ୍ତିର ବ୍ୟବହାର ଜରିଆରେ ବାୟୁ ପ୍ରଦୂଷଣରେ ଉନ୍ନତି ଅଣାଯାଇପାରିବ । ବିଏସ୍-୬ ନିୟମ ଲାଗୁ କରାଯିବା ଗାଡ଼ିମଟର ଜନିତ ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି । ପରିବେଶ ଅବକ୍ଷୟକୁ ରୋକିବା ଲାଗି ପ୍ରତ୍ୟକଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ସ୍ୱାଗତ ଭାଷଣ ପ୍ରଦାନ କରି ଆଇସିସି ଓଡ଼ିଶାର ଅଧ୍ୟକ୍ଷ ଜେ ବି ପାଣି କହିଛନ୍ତି ଯେ ଲକଡାଉନ୍ ସମୟରେ ଦିଲ୍ଲୀ ଏନ୍ସିଆର୍ ଅଂଚଳରେ ବାୟୁର ମାନ ଅତ୍ୟନ୍ତ ଖରାପରୁ ମଧ୍ୟମ ବର୍ଗକୁ ଉନ୍ନୀତ ହୋଇଥିଲା । ଦେଶର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ସମାନ ଧରଣର ସଫଳତା ଦେଖିବାକୁ ମିଳିଥିଲା ବୋଲି ସେ କହିଛନ୍ତି ।
ଏହି ଅବସରରେ ଆଲ୍ଫ୍ରେଡ୍ ଲୋପେଜ୍ କାରେଟେରୋ,ଆସୋସିଏଟ ଡାଇରେକ୍ଟର ଏନଭାର୍ଣ୍ଣମେଂଟାଲ୍ ପଲିସି, ରିକାର୍ଡୋ ଏନର୍ଜି ଆଣ୍ଡ୍ ଏନଭାର୍ଣ୍ଣମେଂଟ୍ ୟୁକେ ୟୁରୋପର ଶିଳ୍ପ ନିର୍ମଗନ ନୀତି ଉପରେ ବିଶେଷ ଆଲୋଚନା କରିବା ସହ ଭାରତ ଭଳି ଦେଶ ପାଇଁ ତାହାର ପ୍ରାସଙ୍ଗିକତା କ’ଣ ତାହା ଜଣାଇଥିଲେ । ଶିଳ୍ପ ନିର୍ଗମନ ନୀତିରେ ଉଦୀୟମାନ ପ୍ରଯୁକ୍ତି ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ ।
ଆଇସିସି ଓଡ଼ିଶାର ଇଏସ୍ଏଚ୍ କମିଟିର ସଂଯୋଜକ ଡକ୍ଟର ଏନ୍ ଆର୍ ସାହୁ କହିଛନ୍ତି ଯେ ଦେଶର ୧୩୨ଟି ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୭ଟି ସହରର ନାମ ରହିଛି । ଆଉ କିଛି ସହରରେ ପ୍ରଦୂଷଣ ଏତେ ଅଧିକ ସ୍ତରରେ ରହିଛି ଯେ ସେଗୁଡ଼ିକ ଶୀଘ୍ର ଏହି ତାଲିକାରେ ସାମିଲ ହେବାର ଆଶଙ୍କା ରହିଛି । ସହରରେ ହେଉଥିବା ପ୍ରଦୂଷଣର କାରଣଗୁଡ଼ିକ ବିଷୟରେ ଆଲୋଚନା କରି ସେ କହିଛନ୍ତି ଯେ ସଡ଼କରୁ ବାହାରୁ ଥିବା ଧୂଳି, ଶିଳ୍ପ କାର୍ଯ୍ୟକଳାପ, ନିର୍ମାଣ ଓ ଭଙ୍ଗାରୁଜା, ଗାଡ଼ିରୁ ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ ସଂଗ୍ରହ ଆଦି ଯୋଗୁଁ ସହରରେ ବାୟୁର ମାନ ଖରାପ ହେଉଛି ।
ଏହି ଅବସରରେ ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ହେଉଛି ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ସହ ଅଧ୍ୟକ୍ଷ ଶ୍ରୀଯୁକ୍ତ ଏମ୍ କେ ଗୁପ୍ତା, ଉପଦେଷ୍ଟା କମିଟିର ସଦସ୍ୟ ଶ୍ରୀଯୁକ୍ତ ମନିଷ ଖରବନ୍ଦା, ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ର ଏମଡି ଶ୍ରୀଯୁକ୍ତ ପଙ୍କଜ କୁମାର ସତିଜା,ସେଂଟର ଫର ସାଇନ୍ସ ଅଣ୍ଡ୍ ଏନଭାର୍ଣ୍ଣମେଂଟ୍ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁମିତା ରାୟ ଚୌଧୁରୀ, ଦି କ୍ଲାଇମେଟ୍ ରିଅଲିଟି ପ୍ରୋଜେକ୍ଟର କଂଟ୍ରି ଡାଇରେକ୍ଟର ଶ୍ରୀଯୁକ୍ତ ଆଦିତ୍ୟ ପୁନ୍ଦିର, ଆଇଆଇଟି-ଖଡ଼ଗପୁରର ଡିନ୍ (ଭିତିଭୂମି) ଡକ୍ଟର ଖନିନ୍ଦ୍ର ପାଠକ ଓ ଆଇସିସିର ଆଂଚଳିକ ମୁଖ୍ୟ ଜେ ପି ପାଲ୍ ଉପସ୍ଥିତ ଥିଲେ ।
Comments are closed.