ଓଡିଶାର ଦ୍ରୌପଦୀ ମୁର୍ମୁ ହେଲେ NDA ରାଷ୍ଟ୍ରପତି ପ୍ରାର୍ଥୀ
ଭାରତର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ? ଆରମ୍ଭ ହୋଇଗଲା କାଉଣ୍ଟଡାଉନ୍ । ବିରୋଧୀ ଦଳ ଯଶଓ୍ବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ଏନଡିଏ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି । ନେସନାଲ ଡେମୋକ୍ରାଟିକ୍ ଆଲିଆନ୍ସ (NDA) ପକ୍ଷରୁ ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।
ପ୍ରଥମ ଓଡିଆ ମହିଳା ଭାବେ ମର୍ଯ୍ୟାଦାଜନକ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଯାଉଛନ୍ତି ଓଡିଶାର ଦ୍ରୌପଦୀ ମୁର୍ମୁ । ଏ ନେଇ ବିଜେପି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରାୟ ୨୦ ଜଣଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ନିମନ୍ତେ ଏନଡିଏ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଓଡିଶାର ଦ୍ରୌପଦୀ ମୁର୍ମୁଙ୍କ ନାଁ ରେ ମୋହର ମାରିଛନ୍ତି ଏନଡିଏ ନେତୃତ୍ବ । ଏ ନେଇ ପ୍ରେସମିଟ୍ କରି ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
୧୯୫୮ ମସିହା ଜୁନ ୨୦ ତାରିଖରେ ଓଡିଶାର ମୟୂରଭଞ୍ଜ ଜିଲ୍ଲା ବାଇଡାପୋଷୀ ଗାଁ ରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଗୋଟିଏ ସାନ୍ତାଳ ପରିବାରରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ଓଡିଶା ରାଜନୀତିର ଜଣେ ଚର୍ଚ୍ଚିତ ମହିଳା । ରାଇରଙ୍ଗପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇ ପ୍ରଥମ ଥର ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିଲେ । ଓଡିଶାରେ ବିଜେଡି ଏବଂ ବିଜେପି ମେଣ୍ଟ ସରକାର ଥିବା ବେଳେ ୨୦୦୦ ମସିହାରୁ ୨୦୦୨ ମସିହା ପର୍ଯ୍ୟନ୍ତ ବାଣିଜ୍ୟ ଏବଂ ପରିବହନ ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହା ପରେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଏବଂ ପଶୁ ସମ୍ପଦ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହନ କରିଥିଲେ ।
ଝାଟଖଣ୍ଡର ରାଜ୍ୟପାଳ ଭାବେ ମଧ୍ୟ ସଫଳତାର ସହ ଦାୟିତ୍ୱ ତୁଲାଇଥିଲଶ ଦ୍ରୌପଦୀ ମୁର୍ମୁ । ୨୦୧୫ ମସିହା ମେ ୧୮ ତାରିଖରୁ ୨୦୨୧ ମସିହା ଜୁଲାଇ ୧୨ ତାରିଖ ଯାଏ ସେ ଝାଡଖଣ୍ଡ ରାଜ୍ୟପାଳ ରହିଥିଲେ ।
Comments are closed.