କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତ୍ତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟ

Share It

କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ଅକ୍ଟୋବର ୧୪ରେ ତାଙ୍କର ଦଣ୍ଡବିଧାନ ଘୋଷଣା କରାଯିବ । ଏହା ସହିତ କୋଇଲା ଦୁର୍ନୀତିରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

୧୯୯୯ ମସିହାରେ ଝାଡ଼ଖଣ୍ଡର ଏକ କୋଲବ୍ଲକର ଆବଣ୍ଟନରେ ଅନିୟମିତତା ହୋଇଥିବା ସ୍ୱତନ୍ତ୍ର ବିଚାରପତି ଭରତ ପରାଶର ତାଙ୍କ ରାୟରେ କହିଛନ୍ତି । ସେତେବେଳେ ଦିଲୀପ କେନ୍ଦ୍ରରେ ଶାସନ କରୁଥିବା ଏନଡିଏ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ । ଏହି ଦୁର୍ନୀତି ମାମଲାରେ ତାଙ୍କର ସଂପୃକ୍ତି ସଂପର୍କରେ ସିବିଆଇ ତଦନ୍ତ କରୁଥିଲା । ସୂଚନାଯୋଗ୍ୟ, ୧୯୯୯ରେ ଦିଲୀପ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବାବେଳେ କାଷ୍ଟ୍ରନ ଟେକନଲୋଜିକୁ ଝାଡ଼ଖଣ୍ଡର ଗୁରୁଡିହସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନ କରାଯାଇଥିଲା । ଏହି ଆବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ସିବିଆଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଦିଲୀପଙ୍କ ସମେତ କୋଇଲା ମନ୍ତ୍ରାଳୟର ତତ୍କାଳୀନ ଅତିରିକ୍ତ ସଚିବ ପ୍ରଦୀପ ବାନାର୍ଜୀ, ଓଏମସି ଉପଦେଷ୍ଟା (ପ୍ରକଳ୍ପ) ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ ଟେକନଲୋଜିର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରୱାଲଙ୍କୁ ମଧ୍ୟ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଏ ସମସ୍ତଙ୍କ ବିରୋଧରେ ସିବିଆଇ ତଦନ୍ତ କରି ଆଇପିସିର ଧାରା ୧୨୦-ବି (ଅପରାଧିକ ଷଡଯନ୍ତ୍ର), ଧାରା ୪୨୦ (ପ୍ରତାରଣା) ଏବଂ ଧାରା ୪୦୯ (ବିଶ୍ବାସର ଅପରାଧିକ ଉଲ୍ଲଂଘନ)ରେ ଚାର୍ଜଫ୍ରେମ କରିଥିଲା ।


Share It

Comments are closed.