ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଦ୍ୱାରା ସୀମା, ଭାଷା ଏବଂ ଜଳ ବିବାଦର ଆପୋଷ ସମାଧାନର ବାଟ ବାହାରିବ ବୋଲି ଆଶା କରୁଛି -ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, – ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ମାଧ୍ୟମରେ ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା, ଭାଷା ଓ ଜଳ ବିବାଦର ଆପୋଷ ସମାଧାନର ବାଟ ବାହାରିବ ବୋଲି ଟ୍ୱିଟ୍ କରି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଥିବା ଗଣମାଧ୍ୟମରୁ ଜାଣିବାକୁ ପାଇଲି । ଏହି ବୈଠକରେ ସୀମା, ଭାଷା ଓ ଜଳ ବିବାଦ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ । ସେ ଦୃଷ୍ଟିରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ । ଗତ ସେପ୍ଟେମ୍ବର ୨୨ରେ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସୀମା ବିବାଦ ଏବଂ ଗତ ଅକ୍ଟୋବର ୧ରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ପତ୍ର ଲେଖିଥଲେ । ପରବର୍ତୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୀମା ବିବାଦ ବିଷୟରେ ଅବଗତ କରାଇଥିଲେ । ଗଣତନ୍ତ୍ରରେ ଆପୋଷ ବୁଝାମଣା ଏବଂ ଆଲୋଚନା ମାଧ୍ୟମରେ ଅନେକ ବିବାଦର ସମାଧାନ ହୋଇପାରିଛି । ଦୁଇ ରାଜ୍ୟ ମଧ୍ୟରେ ସର୍ବୋଚ୍ଚ ରାଜନୈତିକ ସ୍ତରରେ ହେଉଥିବା ଆଲୋଚନା ମାଧ୍ୟମରେ ସୀମା, ଭାଷା ଓ ଜଳ ବିବାଦର ଆପୋଷ ସମାଧାନର ବାଟ ବାହାରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୨ ତାରିଖରେ ଏବଂ ଓଡ଼ିଶା ସୀମାବର୍ତୀ ଜିଲ୍ଲା କୋରାପୁଟ ଏବଂ ଗଜପତିରେ ଗାଁକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆପୋଷ ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ । ଓଡିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଧ୍ର ଏବଂ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଓ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ବା ଉନ୍ନୟନ କମିଶନରଙ୍କ ସ୍ତରରେ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରିବା ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ କିଛି ପ୍ରସ୍ତାବ ଦେଇଥିଲେ ।
ସେହିପରି ଅକ୍ଟୋବର ପହିଲାରେ ମଧ୍ୟ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ଏକ ପୃଥକ ପତ୍ର ଲେଖି ଆନ୍ଧ୍ରପ୍ରଦେଶର ସୀମାନ୍ତବର୍ତୀ ଗ୍ରାମ ଗୁଡ଼ିକରେ ଓଡିଆ ଭାଷାଭିତିକ ଶିକ୍ଷା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ । ବିଶେଷତଃ ଓଡ଼ିଶା, ଆନ୍ଧ୍ର ସୀମାରେ ଥିବା ଗାଁର ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରେ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରନ୍ତୁ ଏବଂ ତ୍ୱରିତ ପଦକ୍ଷେପ ନେଇ ଉଭୟ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣା କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଥିଲେ । ଏତଦବ୍ୟତିତ କେନ୍ଦ୍ରମନ୍ତ୍ରୀ ଅନେକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଓଡ଼ିଶା ଓ ଆନ୍ଧ୍ର ସୀମା ବିବାଦର ସମାଧାନ ପାଇଁ ବ୍ୟକ୍ତିଗତ ସ୍ତରରେ ପଦକ୍ଷେପ ନେବା ପାଇଁ ବାରମ୍ବାର ଅନୁରୋଧ କରିଛନ୍ତି ।
୨୦୧୮ ଏପ୍ରିଲ ୯ ତାରିଖରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ କୋଟିଆ ଗ୍ରାମର ଲୋକମାନଙ୍କ ସହିତ ସାକ୍ଷାତ୍ ଆଲୋଚନା କରିଥିଲେ । ସେତେବେଳେ ବି ମଧ୍ୟ ରାଜ୍ୟ ସରକାରଙ୍କୁ ଆପୋଷ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।


Share It

Comments are closed.