ଦିଲ୍ଲୀଗସ୍ତରେ ମୁଖ୍ୟମନ୍ତ୍ରୀ: ୧୪ କମ୍ପାନୀ ସହ ଆଲୋଚନା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପମନ୍ତ୍ରୀ ସମ୍ପଦଚରଣ ସ୍ବାଇଁ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ପ୍ରଥମ ଦିନରେ ୧୪ କମ୍ପାନୀ ସହ ୩ହଜାର କୋଟିର ନିବେଶ ଓ ୨୧ହଜାର ୩୯୦ ନିଯୁକ୍ତି ସୃଷ୍ଟି ପାଇଁ ଆଲୋଚନା କରିଛନ୍ତି। ଏଥିସହ ଅତିରିକ୍ତ ୨୭,୫୯୫ କୋଟି ଟଙ୍କାର ୧୧ଟି ଚୁକ୍ତି ସ୍ବାକ୍ଷର ପାଇଁ ଚୂଡ଼ାନ୍ତ ହୋଇଥିବାବେଳେ ୨୭ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି କ୍ରମରେ ମୋଟ ୩୦ ହଜାର ୫୯୫ କୋଟି ଟଙ୍କା ପୁଞ୍ଜି ନିବେଶରେ ୪୮,୩୯୦ ନିଯୁକ୍ତି ସୁଯୋଗ ମିଳିପାରିବ।
ମୁଖ୍ୟମନ୍ତ୍ରୀ ପ୍ରଥମେ ନୋଇଡ଼ାସ୍ଥିତ ଏଚ୍ସିଏଲ୍ ଟେକ୍ କ୍ୟାମ୍ପସ୍ ପରିଦର୍ଶନ କରିଥିଲେ। ଓଡ଼ିଶାରେ ଆଇଟି ଶିଳ୍ପ କ୍ଷେତ୍ରରେ ନିବେଶ ଉପରେ ଏଚ୍ସିଏଲ୍ର ଚେୟାର ପର୍ସନ ରୋଶନୀ ନାଦାରଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟରେ ଏଚ୍ସିଏଲ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆମନ୍ତ୍ରଣ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଅବସରରେ ସେ ସଂସ୍କୃତି ଓ ବୈଷୟିକ ଜ୍ଞାନକୌଶଳର ସମ୍ମିଶ୍ରଣରେ ପ୍ରଦର୍ଶିତ କିରନ ନାଦାର ମ୍ୟୁଜିୟମ୍ ଅଫ୍ ଆର୍ଟକୁ ପରିଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ତାଜ୍ ପ୍ୟାଲେସ୍ଠାରେ ଦେଶର ବହୁ ଶିଳ୍ପ ନେତୃତ୍ୱଙ୍କ ସହ ଓ୍ବାନ୍ ଅନ୍ ଓ୍ବାନ୍ ଆଲୋଚନା କରିଥିଲେ। ବିଭିନ୍ନ ଷ୍ଟେକ୍ ହୋଲ୍ଡର୍ ଓ ଶିଳ୍ପପତିଙ୍କୁ ସମ୍ବୋଧିତ କରି ସେ ଓଡ଼ିଶାକୁ ନିବେଶ ଅନୁକୂଳ କରିବା ଦିଗରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି। ବିଭିନ୍ନ କମ୍ପାନୀ ସହ ହୋଇଥିବା ଚୁକ୍ତି ରାଜ୍ୟର ଅର୍ଥନୀତି ଅଭିବୃଦ୍ଧିରେ ସହାୟକ ହେବା ସହ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ସେହିପରି କ୍ଲାରେନେକ୍ସ କେମିକାଲ୍ସର ପରିଚାଳନା ନିର୍ଦ୍ଦେଶକ ମନିଷ କିରିଙ୍କୁ ଭେଟି ମୁଖ୍ୟନ୍ତ୍ରୀ ପାରାଦୀପରେ ସ୍ବତନ୍ତ୍ର କେମିକାଲ ୟୁନିଟ୍ ସ୍ଥାପନ ନେଇ ଆଲୋଚନା କରିଛନ୍ତି। ଗୋକଲଦାସ ଏକ୍ସପର୍ଟସ୍ ନିର୍ଦ୍ଦେଶକ ପ୍ରଭାତ କୁମାର ସିଂହଙ୍କ ସହ ଓଡ଼ିଶାରେ ବସ୍ତ୍ର ଉପତ୍ାଦନ ସମ୍ପର୍କରେ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏସ୍ଏଲ୍ଏମ୍ଜି ବେଭେରେଜ୍ସର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ପାରିତୋଷ ଲଧାନୀ ରାଜ୍ୟରେ ବେଭେରେଜ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ରୁଚି ସୋୟାଫୁଡ୍ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ଆସ୍ଥାନା ମଧ୍ୟ ରାଜ୍ୟରେ ଖାଦ୍ୟ ପ୍ରକିୟାକରଣ ଓ ଅନ୍ୟାନ୍ୟ ୟୁନିଟ୍ ସ୍ଥାପନ କରିବାକୁ ସ୍ଥିର କରିଛନ୍ତି। ରାଜ୍ୟରେ ବ୍ୟାଟେରୀ ଏର୍ନ୍ଜି ଷ୍ଟୋରଜ୍ ସିଷ୍ଟମ୍ ୟୁନିଟ୍ ପ୍ରତିଷ୍ଠା ପାଇଁ ସେମ୍କଏନ୍ଫ୍ରାଟେକ୍ର ପରିଚାଳନା ନିର୍ଦ୍ଦେଶକ ନିରଜ କୁମାର ସିଂଘଲଙ୍କ ସହ ଆଲୋଚନା ହୋଇଛି। ସେହିପରି ପାଣିଜାହଜ ନିର୍ମାଣ ଓ ମରାମତି ସୁବିଧା ଓଡ଼ିଶାରେ ଉପଲବ୍ଧ କରାଇବା ପାଇଁ ଚୌଗୁଲେ ଗ୍ରୁପ୍ର ଚେୟାରମ୍ୟାନ ବିଜୟ ଭି ଚୌଗଲେଙ୍କ ସହ ସାକ୍ଷାତ ପରେ ସୂଚନା ମିଳିଛି। ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟରେ ହିମାଦ୍ରୀ ସ୍ପେଶିଆଲିଟି, ଆଇଆରଇଏଲ, ଆଇନକ୍ସ ଜିଏଫଏଲ ଗ୍ରୁପ୍, ଅଫ୍ ବିଜନେଶ୍, କ୍ୱାଣ୍ଟ୍ ସୋଲାର ଆଦି କମ୍ପାନୀ ରହିଛି।
Comments are closed.