ସ୍ନାନ ମଣ୍ଡପରୁ ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

Share It

ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ସମ୍ପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହାରି ଭିତରେ ଛେରାପହଁରା ନୀତି ପରେ ଶ୍ରୀଜିଉ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି । ଧଳା ଓ କଳା ହାତୀବେଶରେ ବିଭୂଷିତ ହୋଇ ମହାପ୍ରଭୁ ଦର୍ଶନ ଦେଉଛନ୍ତି । ଆଜି ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରାପହଁରା କରିବା ପରେ ଶ୍ରୀଜୀଉଙ୍କୁ ହାତୀବେଶରେ ସୁସଜ୍ଜିତ କରାଯାଇଥିଲା । ହାତୀବେଶରେ ସଜ୍ଜିତ ହୋଇ ଝଲସୁଛନ୍ତି ମହାପ୍ରଭୁ ।

କରୋନା କଟକଣା ଯୋଗୁଁ ବିନା ଭକ୍ତ ସମାଗମରେ ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ସ୍ଥାନ ପୂର୍ଣ୍ଣିମା। ଆଜି ପୁରୀରେ ଭକ୍ତ ସମାଗମକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ବଡ଼ଦାଣ୍ଡ ଏବଂଅନ୍ୟ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି।ଫଳରେ ସ୍ଥାନୀୟ ଲୋକ ମଧ୍ୟ ଭିଡ ଜମାଇବାର କୌଣସି ସମ୍ଭାବନା ନାହିଁ। କରୋନା କଟକଣା ହେତୁ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ଭକ୍ତମଣି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା। ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚି ଅନୁଯାୟୀ ରାତି ୧.୪୦ରୁ ପହଣ୍ଡି ଆରମ୍ଭ ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନବେଦୀକୁ ଅଣାଯାଇଥିଲା। ରାତି ୧ .୨୫ରେ ମଙ୍ଗଳାର୍ପଣ ଅନୁଷ୍ଠିତ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ମଦନମୋହନ ବିଜେ (୩ . ୪୦), ମଙ୍ଗଳଆଳତି (୪ . ୨୦),ମଇଲମ ଓ ତଡପଲାଗି ( ୪ . ୩୫),ଅଧର ପୋଛା (୪ . ୫୦),ଅବକାଶ ଶେଷ( ୫ . ୩୦), ରୋଷହୋମ (୫ . ୪୦), ବେଶ ଶେଷ (୫ . ୫୫) ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳବିଜେ ଓ ସ୍ନାନନୀତି ଅନୁଷ୍ଠିତ ହୋଇଛି ।

ସେପଟେ ଆଇନଶୃଙ୍ଖଳା ପାଇଁ ୩୮ ପ୍ଲାଟୁନ ଫୋର୍ସ ସହ ୨୨୮ ଜଣ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ୧୪୪ ଧାରା ଜାରି କରାଯାଇଛି। ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଓ ଗଳିକନ୍ଦିକୁ ସିଲ୍‌ କରି ଦିଆଯାଇଛି। ବଡ଼ଦାଣ୍ଡରେ ମାର୍କେଟ୍‌ ଛକରୁ ଭକ୍ତ ତଥା ଜନସାଧାରଣଙ୍କ ପ୍ରବେଶ ବନ୍ଦ କରି ଦିଆଯାଇଛି।


Share It

Comments are closed.