ପାରାଦ୍ୱୀପ ଠାରୁ ୩୨୦ କି.ମି ଦୂରରେ ବାତ୍ୟା ‘ୟାସ’

Share It

ବାଲେଶ୍ୱରରୁ ଭଦ୍ରକ ମଧ୍ୟରେ ଅର୍ଥାତ ଧାମରା ଓ ଚାନ୍ଦବାଲି ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ୟାସ’। ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ୟାସ୍’ ଆଜି ଭୀଷଣରୁ ଅତି ଭୀଷଣ ବାତ୍ୟାର ରୂପ ନେବା ପରେ ଉତ୍ତରପଶ୍ଚିମ ଆଡକୁ ଗତି କରୁଛି । ଏହି ଝଡ଼ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଉତ୍ତର ଓଡିଶା ଆଡକୁ ଆସୁଛି । ଏହା ପାରାଦୀପରୁ ୩୨୦ କିଲୋମିଟର ଓ ବାଲେଶ୍ୱରରୁ ୪୩୦ କିଲୋମିଟର ଦୂରରେ ରହିଛି ।ଧାମରାରେ ପୋର୍ଟକୁ ୱାର୍ଣ୍ଣିଂ ୧୦ ଦିଆଯାଇଛି । ପୁରୀରେ ୮ ଏବଂ ଗୋପାଳପୁରରେ ୩ ୱାର୍ଣ୍ଣିଂ ଜାରି କରି କରିଛି ପାଣିପାଗ ବିଭାଗ ।

ବିଳମ୍ବିତ ରାତିରୁ ପ୍ରକୋପ ବଢ଼ାଇ ଚାଲିବ । ବୁଧବାର ସକାଳୁ ଚଳାଇବ ତାଣ୍ଡବ । ଭୟାନକ ପବନ ମାଡ଼ରେ କ୍ଷତାକ୍ତ କରିଦେବ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାକୁ । ୟାସ୍‌ର ସମ୍ଭାବ୍ୟ ଗତିପଥ, ସ୍ଥିତି ଏବଂ ପବନର ବେଗ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବାରମ୍ବାର ବଦଳାଉଛି ଆକଳନ । ପ୍ରଥମେ ଅନୁମାନ କରାଯାଉଥିଲା, ସ୍ଥଳଭାଗ ଛୁଇଁବାବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହେବ ।

ଅକ୍ଷାଂଶ ଓ ଦ୍ରାଘିମା ସ୍ଥିତି ସହ ଆଇଏମ୍‌ଡି ଦେଇଥିବା ଆକଳନ କହୁଛି, ସମ୍ଭବତଃ ୟାସ୍‌ ଅତି ଭୀଷଣ ବାତ୍ୟା ଅବସ୍ଥାରେ ବୁଧବାର ମଧ୍ୟାହ୍ନ ପୂର୍ବରୁ ବାଲେଶ୍ୱର ସଦର ଉପକୂଳ ପାଖାପାଖି ସ୍ଥଳଭାଗ ଛୁଇଁବ । ସେତେବେଳେ ପବନ ବହୁଥିବ ୧୫୫-୧୮୫ କିମି ବେଗରେ । ବାଲେଶ୍ୱର ସଦର, ଚାନ୍ଦିପୁର, ସୋର, ଇଞ୍ଚୁଡ଼ି ଓ ସହରରେ ପ୍ରଚଣ୍ଡ ପ୍ରଭାବ ଦେଖାଇବ ୟାସ୍‌ ।

ୟାସ୍‌ର ପ୍ରକୋପ ଏତେ ସାଂଘାତିକ ଯେ ସ୍ଥଳଭାଗ ଛୁଇଁବା ସମୟରେ ଉତ୍ତର ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ହୋଇ କୂଳ ଲଂଘିବ । ସମୁଦ୍ରରେ ୨ରୁ ୪ ମିଟର ପାଖାପାଖି ଜୁଆର ଉଠିପାରେ । ବାଲେଶ୍ୱରରେ ସମୁଦ୍ରରେ ସବୁଠୁ ଉଚ୍ଚ ଜୁଆର ଆସିବା ଆଶଙ୍କା ରହିଛି । ତେବେ ଭଦ୍ରକରେ ୟସ୍‌ ପ୍ରଭାବରେ ସମୁଦ୍ର ୭ କିମି ପର୍ଯ୍ୟନ୍ତ ଆଗକୁ ମାଡ଼ି ଆସିପାରେ । ଏଭଳି ଆଶଙ୍କା ଦେଖାଇଛି ଭାରତୀୟ ପାଣିପାଗ ବିଭାଗ ।


Share It

Comments are closed.