ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସର ଉଦଯାପନୀ ସମାରୋହରେ ଯୋଗ ଦେଲେ ପୂର୍ବତନ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ
ମାନବୀୟ ମୂଲ୍ୟବୋଧ ସହ ଜଡିତ ରହିଲେ ସଂସ୍କୃତି ପ୍ରକୃତରେ ବିକଶିତ ହୁଏ:ଭେଙ୍କୟା ନାଇଡୁ
ଭୁବନେଶ୍ୱର, ଜାନୁଆରୀ ୭: ସାମାଜିକ ସମନ୍ୱୟ, ପରିବେଶଗତ ସ୍ଥିରତା, ଶ୍ରମର ମର୍ଯ୍ୟାଦା ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଭଳି ପ୍ରକୃତ ମାନବୀୟ ମୂଲ୍ୟବୋଧ ସହିତ ଜଡିତ ରହିଲେ ସଂସ୍କୃତି ପ୍ରକୃତରେ ବିକଶିତ ହୁଏ ବୋଲି ଭାରତର ପୂର୍ବତନ ମାନ୍ୟବର ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ କହିଛନ୍ତି I ବୁଧବାର ଦିନ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସର ଉଦଯାପନୀ ସମାରୋହରେ ଯୋଗ ଦେଇ ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଏହା କହିଛନ୍ତି ।
ଏହି ଅବସରରେ ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଉଦବୋଧନ ଦେଇ କହିଥିଲେ ଯେ ଓଡ଼ିଶା ଭାରତର ସଭ୍ୟତା ବିକାଶରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି, ଯେଉଁଠାରେ ସଂସ୍କୃତିକୁ ସର୍ବଦା ସାମୂହିକ ଜୀବନକୁ ଗଠନ କରୁଥିବା ଏକ ଜୀବନ୍ତ ଶକ୍ତି ଭାବରେ ଦେଖାଯାଇଥାଏ। ଶ୍ରୀ ନାଇଡୁ ଏହା ମଧ୍ୟ କହିଥିଲେ ଯେ ରୀତିନୀତି ଏବଂ ପ୍ରଥାରୁ ଆରମ୍ଭ କରି ସ୍ଥାପତ୍ୟ, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଏବଂ କାରିଗରୀ ପର୍ଯ୍ୟନ୍ତ ଓଡ଼ିଶାର ସଂସ୍କୃତି ଦୈନନ୍ଦିନ ଜୀବନକୁ ଆଚ୍ଛନ୍ନ କରିଛି I ଏହି ପୃଷ୍ଠଭୂମିରେ ସାଂସ୍କୃତିକ ଅଧ୍ୟୟନ ପାଇଁ ସମର୍ପିତ ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ଓଡିଶାରେ ପ୍ରତିଷ୍ଠିତ ହେବା ଉପଯୁକ୍ତ ପଦକ୍ଷେପ ଥିଲା ବୋଲି ଶ୍ରୀ ନାଇଡୁ ଖୁସି ବ୍ୟକ୍ତ କରିଥିଲେ I

ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ନାଇଡୁ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଉତ୍ତରାଧିକାରୀ ଏବଂ ଏହାର ଭବିଷ୍ୟତର ରୂପକାର। ପରମ୍ପରାକୁ ସମ୍ମାନ ଦେବା ସହିତ ଶିକ୍ଷା ଦ୍ୱାରା ନବସୃଜନକୁ ଗ୍ରହଣ କରିବା, ପ୍ରଶ୍ନ କରିବା, ସର୍ଜନା କରିବା ଏବଂ ସେବା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଶ୍ରୀ ନାଇଡୁ ପରାମର୍ଶ ଦେଇଥିଲେ।
ଗତିଶୀଳତା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରାଧାନ୍ୟଯୁକ୍ତ ଯୁଗରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠାନଗୁଡ଼ିକ ସମାଜକୁ ସ୍ମରଣ କରାଇ ଦେଇଥାଏ ଯେ ପ୍ରଗତି ପରିଚୟ ଓ ନୈତିକତାରେ ନିହିତ ରହିବା ଉଚିତ । ସାଂସ୍କୃତିକ ଭିତ୍ତିଭୂମି ବିନା ବିକାଶ ଫମ୍ପା ହୋଇଯିବାର ଆଶଙ୍କା ରହିଛି ବୋଲି ଶ୍ରୀ ନାଇଡୁ ମତ ପ୍ରକାଶ କରିଥିଲେ ।
ପୂର୍ବତନ ଉପ ରାଷ୍ଟ୍ରପତି ଶ୍ରୀ ନାଇଡୁ ଗୁରୁତ୍ୱାରୋପ କରିଥିଲେ ଯେ ସଂସ୍କୃତି ସର୍ବଦା ଗତିଶୀଳ ଏବଂ ସମୟ ସହିତ ବିକଶିତ ହୁଏ। ବିଶ୍ୱବିଦ୍ୟାଳୟର ଦାୟିତ୍ୱ କେବଳ ସଂସ୍କୃତିର ସଂରକ୍ଷଣରେ ସୀମିତ ନୁହେଁ ବରଂ ଗବେଷଣା, ଡକ୍ୟୁମେଣ୍ଟେସନ୍, ସୃଜନଶୀଳ ପରୀକ୍ଷଣ ଏବଂ ଶୈକ୍ଷିକ ଆଲୋଚନା ମାଧ୍ୟମରେ ପରମ୍ପରାର ଅର୍ଥପୂର୍ଣ୍ଣ ପୁନଃବ୍ୟାଖ୍ୟାନ ପର୍ଯ୍ୟନ୍ତ ବିସ୍ତାରିତ ବୋଲି ଅବତାରଣା କରିଥିଲେ।
ବିଶ୍ୱବିଦ୍ୟାଳୟର ଆଭିମୁଖ୍ୟ, ପ୍ରସାର କାର୍ଯ୍ୟକ୍ରମ ଏବଂ ଗୋଷ୍ଠୀ ସମ୍ପୃକ୍ତିକୁ ପ୍ରଶଂସା କରିବା ସହିତ ଶୈକ୍ଷିକ ଉତ୍କର୍ଷତା, ନୈତିକତା ଏବଂ ସୃଜନଶୀଳ ସମ୍ବେଦନଶୀଳତାର ସନ୍ତୁଳନ ସୁନିଶ୍ଚିତ ଦିଗରେ ଶିକ୍ଷକମାନଙ୍କୁ ମାର୍ଗଦର୍ଶକ ଏବଂ ମଶାଲବାହକ ଭାବରେ ଶ୍ରୀ ନାଇଡୁ ବର୍ଣ୍ଣନା କରିଥିଲେ।
ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଏହି ସମାରୋହରେ ଉଦବୋଧନ ଦେଇ ସଂସ୍କୃତିକୁ ଏକ ଦ୍ରୁତ ପରିବର୍ତ୍ତିତ, ପ୍ରଯୁକ୍ତିବିଦ୍ୟା-ଚାଳିତ ବିଶ୍ୱରେ ନବସୃଜନ, ଉଦ୍ୟୋଗ ଏବଂ ସ୍ଥାୟୀ ଜୀବିକାର ବାହକ ଭାବରେ ଦେଖିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟପାଳ କହିଥିଲେ ଯେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀମାନେ କେବଳ ପରମ୍ପରାର ରକ୍ଷକ ନୁହଁନ୍ତି ବରଂ ସମ୍ଭାବ୍ୟ ସାଂସ୍କୃତିକ ଉଦ୍ୟୋଗୀ ଏବଂ ନବସୃଜନକାରୀ ମଧ୍ୟ। ସଂସ୍କୃତି କେବଳ ସଂରକ୍ଷଣ କରିବାର ବସ୍ତୁ ନୁହେଁ, ଏହା ଏକ ଜୀବନ୍ତ ସମ୍ପଦ ଯାହା ନିଯୁକ୍ତି, ସାମାଜିକ ସଂହତି ଏବଂ ସ୍ଥାୟୀ ବିକାଶ ସୃଷ୍ଟି କରିପାରିବ ବୋଲି ରାଜ୍ୟପାଳ କହିଥିଲେ।

ରାଜ୍ୟର ସଂସ୍କୃତି ଯୁଗ ଯୁଗ ଧରି ଜୀବନ୍ତ ଏବଂ ନିରନ୍ତର ରହିଆସିଛି ଯାହା ଆଲୋଚନା, ସଂଶ୍ଲେଷଣ ଏବଂ ବିବିଧତା ମାଧ୍ୟମରେ ବିକଶିତ ହୋଇଛି। କଳିଙ୍ଗ ଯୁଦ୍ଧ ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ସମ୍ରାଟ ଅଶୋକଙ୍କ ପରିବର୍ତ୍ତନ ଶାନ୍ତି ଏବଂ ମାନବବାଦର ଏକ କାଳଜୟୀ ବାର୍ତ୍ତା ପ୍ରଦାନ କରେ ଏବଂ ରାଜା ଖାରବେଳଙ୍କ ରାଜତ୍ୱ ସାହସ, ସାଂସ୍କୃତିକ ଦୃଷ୍ଟିକୋଣ ଏବଂ ସାମାଜିକ ଦାୟିତ୍ୱକୁ ପ୍ରତିଫଳିତ କରେ। ଓଡ଼ିଶାର ମନ୍ଦିର ସ୍ଥାପତ୍ୟ, ଜଗନ୍ନାଥ ସଂସ୍କୃତି ଏବଂ ଏହାର ଶାସ୍ତ୍ରୀୟ ନୃତ୍ୟ, ଲୋକ କଳା ଏବଂ ଜନଜାତି କଳା ପରମ୍ପରା ବିଷୟରେ ମଧ୍ୟ ରାଜ୍ୟପାଳ ଉଲ୍ଲେଖ କରିଥିଲେ।
ନିଜ ଉଦବୋଧନରେ ରାଜ୍ୟପାଳ ଭାରତର ପୂର୍ବତନ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁଙ୍କୁ ସାଧୁତା, ସରଳତା ଏବଂ ଗଣତାନ୍ତ୍ରିକ ଏବଂ ସାଂସ୍କୃତିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତା ପାଇଁ ଜଣାଶୁଣା ଜଣେ ପ୍ରତିଷ୍ଠିତ ରାଜନେତା ଭାବରେ ବର୍ଣ୍ଣନା କରି ଶ୍ରୀ ନାଇଡୁଙ୍କ ଉପସ୍ଥିତି ଏହି ସମାରୋହର ମର୍ଯ୍ୟାଦା ବୃଦ୍ଧି କରିଛି ବୋଲି କହିଥିଲେ।
ଏହି ସମାରୋହର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଶିଷ୍ଟ ଲେଖିକା ତଥା ଜ୍ଞାନପୀଠ ପୁରସ୍କାର ବିଜେତା ପ୍ରତିଭା ରାୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଏବଂ ରେଜିଷ୍ଟ୍ରାର ଶ୍ରୀମତୀ ଅନାମିକା ଅଧିକାରୀ ବକ୍ତବ୍ୟ ପ୍ରଦାନ କରିଥିଲେ।
Comments are closed.