ସ୍ଥାନୀୟ ଉଦ୍ୟୋଗୀଙ୍କ ପାଇଁ ନିୟମିତ ବୈଠକ ଆୟୋଜନ କରିବାକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗଙ୍କୁ ଆହ୍ୱାନ
ଭୁବନେଶ୍ୱର: ସ୍ଥାନୀୟ ଉଦ୍ୟୋଗୀଙ୍କ ପାଇଁ ସାମଗ୍ରୀ ବରାଦ ଗ୍ରହଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ନିୟମିତ ବ୍ୟବଧାନରେ କାରଖାନା ସ୍ତରୀୟ ଉପଦେଷ୍ଟା ବୈଠକ (ପିଏଲ୍ଏସି) ଆୟୋଜନ କରିବାକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକୁ ଆହ୍ୱାନ ଦିଆଯାଇଛି । ଏମ୍ଏସ୍ଏମ୍ଇର ଡିଏଫ୍ଓ ପି କେ ଗୁପ୍ତା କହିଛନ୍ତି ଯେ ନିୟମିତ ବ୍ୟବଧାନରେ ବଡ଼ ସଂସ୍ଥା ଏଭଳି ବୈଠକ ଆୟୋଜନ କଲେ ରାଜ୍ୟର ଏମ୍ଏସ୍ଏମ୍ଇଗୁଡ଼ିକ ସେମାନଙ୍କ ଉତ୍ପାଦ ଆବଶ୍ୟକତାକୁ ଭଲ ଭାବେ ବୁଝିପାରିବେ ।
“ଏମ୍ଏସ୍ଏମ୍ଇଙ୍କ ପାଇଁ ସାର୍ବଜନୀନ ପ୍ରକ୍ୟୁରମେଂଟ୍ ଓ ସିପିଏସ୍ଇମାନଙ୍କ ଭୂମିକା’ ଶୀର୍ଷକ ଏକ ସେମିନାରକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ପିଏଲ୍ଏସି ବୈଠକରେ ବଡ଼ ସଂସ୍ଥାର ମୁଖ୍ୟମାନେ ଅଧ୍ୟକ୍ଷତା କରିଥାନ୍ତି ଓ ସ୍ଥାନୀୟ ଉଦ୍ୟୋଗୀ ଓ ଶିଳ୍ପ ସଂଘ ତାହାର ସଦସ୍ୟ ରହିଥାନ୍ତି । ସେହି ବୈଠକ ଆୟୋଜନ କଲେ ନିଷ୍ପତି ନେଉଥିବା ବରିଷ୍ଠ ଅଧିକାରୀଙ୍କ ସହ ଉଦ୍ୟୋଗୀମାନେ ସିଧାସଳଖ ଯୋଡ଼ି ହୋଇପାରିବେ ଓ ସେମାନଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଜାଣିପାରିବେ । ସେହି ଅନୁସାରେ ସେମାନେ ଉତ୍ପାଦ ତିଆରି କରିବାକୁ ଉଦ୍ୟମ କରିବେ ଯାହା ଫଳରେ ସରକାରୀ ବରାଦ ପାଇବା ସେମାନଙ୍କ ପାଇଁ ସହଜ ହୋଇପାରିବ ।
ଯଥା ସମ୍ଭବ ଶୀଘ୍ର ପିଏଲ୍ଏସି ବୈଠକ ଆୟୋଜନ କରିବାକୁ ସେ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକୁ ଆହ୍ୱାନ ଦେଇଛନ୍ତି । ନାଲ୍କୋ ଭଳି ଅନ୍ୟ ସଂସା୍ଥମାନେ ମଧ୍ୟ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଲାଗି ଡିସ୍ପ୍ଲେ ସେଂଟର ସ୍ଥାପନ କରିବା ଦରକାର ବୋଲି ସେ କହିଛନ୍ତି । ତାଙ୍କ ମତରେ ଅଧିକାଂଶ ସମୟରେ ଛୋଟ ଉଦ୍ୟୋଗୀମାନେ ବଡ଼ କାରଖାନା କିମ୍ବା କାର୍ଯ୍ୟାଳୟ ଯିବାକୁ ସହଜ ମନେ କରନ୍ତି ନାହିଁ । ତେଣୁ ଡିସ୍ପ୍ଲେ ସେଂଟର ସ୍ଥାପନ ହେଲେ ସେମାନେ ସେଠାରେ ଅଧିକାରୀମାନଙ୍କ ସହ ଖୋଲାଖୋଲି କଥାବାର୍ତା ହୋଇପାରିବେ ।
ସମ୍ବନ୍ଧ ପୋର୍ଟାଲରେ ଆବଶ୍ୟକ ପରିବର୍ତନ ଲାଗି ମଧ୍ୟ ଯୋଜନା ଥିବା ସେ କହିଛନ୍ତି । ସ୍ଥାନୀୟ ଶିଳ୍ପ ସଂସ୍ଥା ସାମ୍ନା କରୁଥିବା ସମସ୍ୟା ବିଷୟରେ ମଧ୍ୟ ଏମ୍ଏସଏମଇ ମନ୍ତ୍ରାଳୟକୁ ଅବଗତ କରାଯାଉଛି ତାହାକୁ ନୀତିରେ ସଂଶୋଧନ ବେଳେ ବିଚାରକୁ ନିଆଯାଇପାରିବ । ସେ କହିଛନ୍ତି ଯେ ବର୍ତମାନ ସୁଦ୍ଧା ସମ୍ବନ୍ଧ ପୋର୍ଟାଲ୍ ଜରିଆରେ ୪୦ ହଜାର କୋଟି ଟଙ୍କାର ବରାଦକୁ କାର୍ଯ୍ୟକାରୀ କରାଯାଇଛି । ସେଥିରେ ଏମ୍ଏସ୍ଏମ୍ଇର ଅବଦାନ ୩୯% ରହିଛି ଯାହା ନିର୍ଦ୍ଧାରିତ ଲକ୍ଷ୍ୟ ୨୫% ଠାରୁ ଅଧିକ । କିନ୍ତୁ ସେଥିପ୍ରତି ଏସ୍ସି/ ଏସ୍ଟି ଓ ମହିଳା ଉଦ୍ୟୋଗୀଙ୍କ ଅବଦାନ ୧%ରୁ କମ୍ ରହିଛି ଯାହା ନିର୍ଦ୍ଧାରିତ ଲକ୍ଷ୍ୟ ୪% (ଏସ୍ସି/ ଏସ୍ଟି) ଓ ୩% (ମହିଳା ଉଦ୍ୟୋଗୀ)ଠାରୁ କମ୍ । ଏହି କ୍ଷେତ୍ରରେ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ପାଇଁ ଉନ୍ନତି ଆଣିବାର ବିଶେଷ ସୁଯୋଗ ରହିଥିବା ସେ କହିଛନ୍ତି ।
ଏହି ଅବସରରେ ନାଲ୍କୋର ନିର୍ଦେଶକ (ବାଣିଜ୍ୟିକ) ସଦାଶିବ ସାମନ୍ତରାୟ କହିଛନ୍ତି, ନିଯୁକ୍ତି ଓ ରପ୍ତାନି ଦୃ୍ଷ୍ଟିରୁ ଅର୍ଥନୀତି ପ୍ରତି ଏମ୍ଏସ୍ଏମ୍ଇର ଅବଦାନ ବିଷୟରେ ଆଲୋଚନା କରିଛନ୍ତି । ନିଜ ସମସ୍ୟାର ସମୟୋଚିତ ସମାଧାନ ପାଇବା ଲାଗି ସମ୍ବନ୍ଧ ଓ ସମାଧାନ ପୋର୍ଟାଲ୍ ବ୍ୟବହାର କରିବାକୁ ସେ ଉପସ୍ଥିତ ଏମ୍ଏସ୍ଏମ୍ଇଗୁଡ଼ିକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରଚଳିତ ନୀତି ଅନୁସାରେ କୌଣସି ସଂସ୍ଥା ୨୦୦ କୋଟି ଟଙ୍କାରୁ କମ୍ ମୂଲ୍ୟର ସାମଗ୍ରୀ ଆମଦାନି କରିପାରିବେ ନାହିଁ । ସେଥିପାଇଁ ସେମାନଙ୍କୁ ଦେଶ ଭିତରେ ଟେଣ୍ଡର ଆହ୍ୱାନ କରିବାକୁ ପଡ଼ିବ । କିନ୍ତୁ ବିଦେଶୀ ସଂସ୍ଥା ସହ ପ୍ରଯୁକ୍ତିକୁ ନେଇ ସହଯୋଗିତା ସ୍ଥାପନ କରି ଦେଶ ଭିତରେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରିବା ଲାଗି ଅନୁମତି ରହିଛି । ସେହି ଉତ୍ପାଦକୁ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ କିଣିପାରିବେ । ତେଣୁ ସ୍ଥାନୀୟ ସଂସ୍ଥାଗୁଡ଼ିକ ବିଦେଶୀ ସଂସ୍ଥା ସହ ସହଯୋଗିତା ସ୍ଥାପନ କରିବାକୁ ଉଦ୍ୟମ କରିବା ଦରକାର ବୋଲି ସେ କହିଛନ୍ତି ।
ଶିଳ୍ପ ସଂଘ ଓମ୍ସିର ୩୬ତମ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ଜନତା ମୈଦାନଠାରେ ଆୟୋଜନ କରାଯାଇଥିବା ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଓ ଏମ୍ଏସ୍ଏମ୍ଇ ଓଡ଼ିଶା ୨୦୨୨ର ଅଂଶ ଭାବେ ଏହି ସେମିନାର ଆୟୋଜନ କରାଯାଇଛି । ଏହି ଅବସରରେ ଆର୍ଏସ୍ପିର ଇଡି ସୋମନାଥ ତ୍ରିପାଠୀ, ଏମ୍ସିଏଲ୍ର ଜିଏମ୍ ମିହିର ଚନ୍ଦ୍ର, ହାଲ୍ର ଇଡି ପ୍ରମୋଦ କୁମାର, ଓସ୍ମିର ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ ଓ ଓସ୍ମିର ମହାସଚିବ ସାତ୍ୱିକ ସ୍ୱାଇଁ ଉପସ୍ଥିତ ଥିଲେ ।
ବିିଭିନ୍ନ ସଂସ୍ଥା ପକ୍ଷରୁ ପେପର ମଧ୍ୟ ଉପସ୍ଥାପନ କରାଯାଇଛି । ଦିବସର ଦ୍ୱିତୀୟ ପର୍ଯ୍ୟାରେ ପ୍ରଯୁକ୍ତି ହସ୍ତାନ୍ତର ଓ ବାଣିଜ୍ୟିକକରଣ ଉପରେ ଆଉ ଏକ ସେମିନାର ଆୟୋଜନ କରାଯାଇଥିଲା । ଏହି ଅବସରରେ ସଂଜୀବ ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ ଓ ସବ୍ୟସାଚୀ ମାଝି ମଧ୍ୟ ଅଭିଭାଷଣ ଦେଇଥିଲେ । ଏହି ଅବସରରେ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।
Comments are closed.