ପିଲାମାନଙ୍କ ଠାରେ ଏହି ସମସ୍ତ ଲକ୍ଷଣ ଦେଖାଦେଲେ ତେବେ ହୋଇଯାଆନ୍ତୁ ସତର୍କ
ସାରା ବିଶ୍ବରେ କରୋନା ଭାଇରସ୍ ପୁଣି ଥରେ କଡ ଲେଉଟାଇବାକୁ ଲାଗିଲାଣି । ପୁଣି ଥରେ କରୋନା ତାର ପ୍ରକୋପ ଦେଖାଇବାକୁ ଲାଗିଥିବା ବେଳେ ଏବେ ନୂଆ ନୂଆ ଭାରିଆଣ୍ଟ ମଧ୍ୟ ସାମ୍ନାକୁ ଆସୁଛି । ଏବେ ବିଶ୍ୱର ଅନେକ ଦେଶରେ ଚତୁର୍ଥ ଲହରର ଆଶଙ୍କା ଦେଖାଦେଇଛି । ଏହି ସମୟରେ କରୋନାର XE ଭାରିଆଣ୍ଟ ଲୋକଙ୍କ ଚିନ୍ତା ବଢାଇ ଦେଇଛି ।
କରୋନାର XE ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହେବା ପରେ ପିଲାମାନଙ୍କଠାରେ ଏହାର ପ୍ରଭାବ ବେଶୀ ଦେଖିବାକୁ ମିଳୁଛି । ପିଲାମାନଙ୍କଠାରେ ଏହାର ଲକ୍ଷଣ ମଧ୍ୟ ସର୍ବପ୍ରଥମେ ଦେଖିବାକୁ ମିଳୁଛି । ଏମିତିରେ ପରିବାରଲୋକଙ୍କୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । କିଛି ବିଷୟ ପ୍ରତି ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଆଲର୍ଟ କରିଛନ୍ତି ।
ପିଲାମାନଙ୍କଠାରେ କରୋନାର XE ଭାରିଆଣ୍ଟର ସର୍ବପ୍ରଥମ ଲକ୍ଷଣ ଡାଇରିଆ ରୂପେ ସାମ୍ନାକୁ ଆସିଛି । ଏହି ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେବା ପରେ ପିଲାମାନଙ୍କର ପେଟରେ ଯନ୍ତ୍ରଣା, ଥଣ୍ଡାଜ୍ୱର, ଗଳା ଦରଜ, ଶୁଖିଲା କାଶ, ନାକରୁ ପାଣି ବୋହିବା, ମୁଣ୍ଡ ବ୍ୟଥା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଦେଇପାରେ । ଏହା ବ୍ୟତୀତ ସେମାନଙ୍କୁ ଥଣ୍ଡା ଲାଗିବା ଏବଂ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟାର ସମ୍ମୁଖୀନ ହେବାକୁ ମଧ୍ୟ ପଡିପାରେ ।
ଏହିସବୁ ଲକ୍ଷଣ ଦେଖାଗଲେ ବାପା-ମା’ ଚିନ୍ତା ନକରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହିସବୁ ଲକ୍ଷଣ ଦେଖାଗଲେ କୌଣସି ପ୍ରକାରର ଅବହେଳା ମଧ୍ୟ କରିବା ଅନୁଚିତ । କାରଣ ଏହାଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ଏମିତିରେ ସଠିକ୍ ସମୟରେ ଚିକିତ୍ସା କରାଇବା ଜରୁରୀ ।
Comments are closed.