କୋଭିଡ୍-୧୯ ଓ ହୃତ୍ପିଣ୍ଡର ଯତ୍ନ
ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍ ମୁଖ୍ୟତଃ ଫୁସ୍ଫୁସ୍କୁ କ୍ଷତି ପହଂଚାଇଥାଏ । କିନ୍ତୁ ଏହି ମାରାତ୍ମକ ଭାଇରସ୍ ଯୋଗୁଁ ଶରୀରରେ ଅନ୍ୟ ଏକ ଅଙ୍ଗ, ହୃତ୍ପିଣ୍ଡ କିଭଳି ବ୍ୟାପକ ରୂପେ କ୍ଷତିଗ୍ରସ୍ତ ହେଉଛି ତାହାର ବର୍ଦ୍ଧିତ ମାମଲା ସମ୍ପର୍କରେ ଆପୋଲୋ ଭୁବନେଶ୍ୱରର ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ବିଭାଗର ନିର୍ଦ୍ଦେଶକ ଡାକ୍ତର ପି.କେ ସାହୁ ସୂଚନା ଦେଇଛନ୍ତି । ହୃଦ୍ରୋଗରେ ପୀଡିତ ଥିବା ବ୍ୟକ୍ତିମାନଙ୍କଠାରେ ଏହି ସଂକ୍ରମଣର ଲକ୍ଷଣ ଦେଖାଯିବାର ଅଧିକ ସମ୍ଭାବନା ରହିଥାଏ କିମ୍ବା ସେମାନେ ଅନ୍ୟମାନଙ୍କ ତୁଳନାରେ ଏହି ଭାଇରସ୍ ଦ୍ୱାରା ଗମ୍ଭୀର ରୂପେ ସଂକ୍ରମିତ ହୋଇପାରନ୍ତି । କୋଭିଡ୍-୧୯ କାରଣରୁ ପ୍ରତି ୫ ଜଣ ରୋଗୀଙ୍କ ମଧ୍ୟରୁ ଜଣଙ୍କ ହୃତ୍ପିଣ୍ଡକୁ କ୍ଷତି ପହଂଚିଥାଏ । ବିଶେଷ କରି ଉଚ୍ଚ ରକ୍ତଚାପ, ମଧୁମେହ ଓ ବୟସ୍କ ବ୍ୟକ୍ତିମାନେ କୋଭିଡ୍-୧୯ ଯୋଗୁଁ ହୃଦ୍ରୋଗର ଶିକାର ହେବାର ଅଧିକ ସମ୍ଭାବନା ରହିଛି ବୋଲି ଡାକ୍ତର ପି.କେ ସାହୁ କହିଛନ୍ତି ।
ଏହି ଭାଇରସ୍ ସଂକ୍ରମଣ ଯୋଗୁଁ ରହିଥିବା ହୃତ୍ପିଣ୍ଡ ସମ୍ବନ୍ଧିତ ବିପଦଗୁଡିକ ହେଉଛି: କୋରୋନାରି ଧମନୀରେ ଆଥେରୋସ୍କ୍ଲେରୋଟିକ୍ ପ୍ଲାକ୍ (ଫ୍ୟାଟି ଡିପୋଜିଟ୍)ର ଫାଟିବା, ଯାହାକି ଗମ୍ଭୀର କୋରୋନାରୀ ସିଣ୍ଡ୍ରୋମ୍ (ହଦୃଘାତ)ର କାରଣ ସାଜିଥାଏ । ଭୁତାଣୁ ସଂକ୍ରମଣ କାରଣରୁ ପ୍ରଦାହଜନକ ପରିସ୍ଥିତି ଅସ୍ୱଭାବିକ ହୃଦ୍ଗତି ସୃଷ୍ଟି କରିପାରେ । ଏହାଛଡା ଏହି ସଂକ୍ରମଣ କାରଣରୁ ହୃଦ୍ଘାତ ବା ହାର୍ଟ ଫେଲ୍ୟୋର ମଧ୍ୟ ହୋଇପାରେ ।
ଆପୋଲୋ ଭୁବନେଶ୍ୱରର ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ବିଭାଗର ନିର୍ଦ୍ଦେଶକ ଡାକ୍ତର ପି.କେ ସାହୁ ଆହୁରୀ ମଧ୍ୟ କହିଛନ୍ତି ଯେ, ତେବେ ଏହି ସମସ୍ୟାଗୁଡିକ ରୋକିବା ପାଇଁ ଆପଣ କିଛି କରିପାରିବେ ନାହିଁ । ଆପଣଙ୍କୁ ସଂକ୍ରମିତ ହେବାରୁ ବଂଚିବା ପାଇଁ ଡାକ୍ତରଙ୍କ ପରାମର୍ଶର କଡାକଡି ଭାବେ ଅନୁପାଳନ କରିବାକୁ ହେବ ଯେପରିକି ସାମାଜିକ ଦୂରତା, ଆତ୍ମ-ବିଚ୍ଛିନ୍ନତା ବା ସେଲ୍ଫ ଆଇସୋଲେସନ ଓ ବାରମ୍ବାର ହାତ ଧୋଇବା ଇତ୍ୟାଦି । ତେବେ ଯଦି ଆପଣଙ୍କର ହୃଦ୍ରୋଗ ରହିଛି ତେବେ ନିୟମିତ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇନଥାଏ କାରଣ ଏହାଦ୍ୱାରା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ । କିନ୍ତୁ ବାହାରକୁ ଯିବା ସମୟରେ ଆପଣ ଏକ ସାଧାରଣ ମାସ୍କ ପିନ୍ଧିପାରିବେ । ଆପଣ ନେଉଥିବା ନିୟମିତ ଔଷଧ ଯେପରିକି ହୃଦ୍ରୋଗ, ମଧୁମେହ ଓ ଉଚ୍ଚ ରକ୍ତରାପ ଭଳି ରୋଗ ପାଇଁ ସେବନ କରୁଥିବା ନିୟମିତ ଔଷଧକୁ ଆପଣ ବନ୍ଦ କରନ୍ତୁ ନାହିଁ । ଏହି ଔଷଧଗୁଡିକୁ ବନ୍ଦ କରିବା କିମ୍ବା ବଦଳାଇବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।
ଡାକ୍ତର ପି.କେ ସାହୁ
ନିର୍ଦ୍ଦେଶକ, ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ବିଭାଗ
ଆପୋଲୋ ଭୁବନେଶ୍ୱର
ଗଣମାଧ୍ୟମରେ କିଛି ଖବର ପ୍ରକାଶିତ ହୋଇଥିଲା ଯେ, ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ସାଧାରଣରେ ବ୍ୟବହାର କରାଯାଉଥିବା ଔଷଧ (ଏସିଇ-ଇନ୍ହିବିଟର୍ସ ଆଣ୍ଡ ଆଞ୍ଜିଓଟେନ୍ସିନ୍ ରିସେପ୍ଟର ବ୍ଲକର୍) ସଂକ୍ରମଣର ଆଶଙ୍କା ଓ ଗମ୍ଭୀରତାକୁ ବଢାଇପାରେ । କିନ୍ତୁ ବାସ୍ତବରେ ଏହା ଏକ ଗୁଜବ ଏବଂ ଏହାର କୌଣସି ବୈଜ୍ଞାନିକ ଆଧାର ନାହିଁ କି କୌଣସି ନିର୍ଦ୍ଦେଶାବଳୀରେ ଏହାକୁ ଉଲ୍ଲେଖ କରାଯାଇନାହିଁ । ହାର୍ଟ ଟ୍ରାନ୍ସପ୍ଲାଂଟ୍ କରାଇଥିବା କିମ୍ବା ରୋଗ ପ୍ରତିରୋଧକାରୀ ଔଷଧ ଉପରେ ନିର୍ଭର କରୁଥିବା ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ମୁତାବକ ଔଷଧ ସେବନ କରିବା ଜାରି ରଖିବା ଉଚିତ ।
ଅତିରିକ୍ତ ଭାବେ ଡାକ୍ତର ପି.କେ ସାହୁ କହିଛନ୍ତି ଯେ, ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ (ଏଚ୍ସିକ୍ୟୁଏସ୍)କୁ ନେଇ ଏବେ ଅନେକ ବିବାଦ ଦେଖାଦେଇଛି । ତେବେ ଏହାର ନିୟମିତ ବ୍ୟବହାର ପାଇଁ ସୁପାରିଶ କରାଯାଏନାହିଁ । ଏହା ହୃତ୍ପିଣ୍ଡ ପାଇଁ ଏକ ସମ୍ଭାବ୍ୟ ବିଷାକ୍ତ ଔଷଧ ଏବଂ ଏହା ଅକସ୍ମାତ ହୃତ୍ପିଣ୍ଡରେ ଅସ୍ଥିରତା ସୃଷ୍ଟି କରିପାରେ ଯାହାଫଳରେ ହଠାତ୍ ମୃତ୍ୟୁ ଘଟିବାର ସମ୍ଭାବନା ରହିଥାଏ । କିଛି ଲୋକେ ଏହାକୁ ଏକ ଆଂଟିବାୟୋଟିକ୍ ଆଜିଥ୍ରୋମାୟସିନ୍ ସହ ମିଶାଇ ସେବନ କରୁଛନ୍ତି । କିନ୍ତୁ ଏହି ଦୁଇଟି ଔଷଧ ସମ୍ଭବତଃ ବିପଦ୍ଜନକ ମିଶ୍ରଣ ଅଟେ । ଏଗୁଡିକୁ କିଛି ନିର୍ଦ୍ଧିଷ୍ଟ ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ଏବଂ ଏହାର ବ୍ୟବହାର ଫଳପ୍ରଦ ବୋଲି କୌଣସି ପ୍ରମାଣ ନାହିଁ । ତେବେ ଏହି ଔଷଧଗୁଡିକୁ କେବଳ ଡାକ୍ତରଙ୍କ ପରାମର୍ଶକ୍ରମେ ସ୍ୱାସ୍ଥ୍ୟକର୍ମୀ କିମ୍ବା ରୋଗୀଙ୍କ ଦ୍ୱାରା ଗ୍ରହଣ କରାଯିବା ଉଚିତ ।
ବିପଦକୁ ନିୟନ୍ତ୍ରଣ କରିବା ପାଇଁ କିଛି ନିୟମ ରହିଛି ଯାହାକୁ ପ୍ରତ୍ୟେକ ବ୍ୟକ୍ତି ଅନୁପାଳନ କରିବା ଉଚିତ । ଯଦି ଆପଣଙ୍କର ହୃଦ୍ରୋଗ କିମ୍ବା ଉଚ୍ଚ ରକ୍ତଚାପ କିମ୍ବା ମଧୁମେହ ରହିଛି ତେବେ ନିମ୍ନଲିଖିତଗୁଡିକ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ:ଅସୁସ୍ଥ ଥିବା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ । ଯେତେ ସମ୍ଭବ ଅନ୍ୟ ବ୍ୟକ୍ତିଙ୍କଠାରୁ ଦୁଇ ମିଟର ଦୂରତାରେ ରୁହନ୍ତୁ । ହାତକୁ ବାରମ୍ବାର ସାବୁନ ଓ ଉଷୁମ ପାଣିରେ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ଧୁଅନ୍ତୁ । କାଶିବା ସମୟରେ ମୁହଁକୁ ଏକ ଟିସ୍ୟୁ ଦ୍ୱାରା କଭର୍ କରନ୍ତୁ କିମ୍ବା କହୁଣୀ ଭିତରେ ମୁହଁକୁ ବନ୍ଦ କରି କାଶନ୍ତୁ । ଛିଙ୍କିବା ସମୟରେ ନାକକୁ ଏକ ଟିସ୍ୟୁ ଦ୍ୱାରା କଭର୍ କରନ୍ତୁ କିମ୍ବା କହୁଣୀର ଭିତର ପାଶ୍ୱର୍କୁ ବ୍ୟବହାର କରନ୍ତୁ । ଆଖି, ନାକ ଓ ପାଟିକୁ ବାରମ୍ବାର ଛୁଇଁବାରୁ ନିବୃତ ରୁହନ୍ତୁ । ବାରମ୍ବାର ସ୍ପର୍ଶ ହେଉଥିବା ପୃଷ୍ଠଗୁଡିକୁ ଯେପରିକି ଡୋର୍ନବ୍, ହ୍ୟାଣ୍ଡେଲ, ଷ୍ଟିଅରିଙ୍ଗ୍ ହ୍ୱିଲ୍ କିମ୍ବା ଲାଇଟ୍ ସ୍ୱିଚ୍କୁ ଭୁତାଣୁକୁ ନଷ୍ଟ କରିବା ପାଇଁ ଏକ ଡିସ୍ଇନ୍ଫେକ୍ଟାଂଟ୍ରେ ସଫା କରନ୍ତୁ । ଯେତେସମ୍ଭବ ଘରେ ରହିବା ପାଇଁ ଚେଷ୍ଟା କରନ୍ତୁ ଏବଂ ସମ୍ଭବ ହେଉଥିଲେ ଘରୁ କାମ କରନ୍ତୁ । ଯଦି ଆପଣଙ୍କୁ ଜ୍ୱର ହୋଇଛି (୩୭.୮ ଡିଗ୍ରୀ ସେଲ୍ସିୟସ୍ କିମ୍ବା ତାହାଠାରୁ ଅଧିକ ତାପମାତ୍ରା ରହିଛି), କାଶ ହେଉଛି କିମ୍ବା ଛାତିରେ ସଂକ୍ରମଣ ହୋଇଛି ତେବେ ଆପଣ ସେଲ୍ଫ-ଆଇସୋଲେସନରେ ରହିବା ଉଚିତ ବୋଲି ଡାକ୍ତର ପି.କେ ସାହୁ କହିଛନ୍ତି ।
Comments are closed.