୧୧ଲକ୍ଷ ଉର୍ଦ୍ଧ୍ୱକୁ ଟପିଲା ବିଶ୍ୱରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୫୯ ହଜାର


ଜନସ୍ ହପକିନସ୍ ବିଶ୍ୱବିଦ୍ୟାଳୟ ତଥ୍ୟ ଅନୁସାରେ, ଶନିବାର ମଧ୍ୟାହ୍ନ ସୁଦ୍ଧା ସମଗ୍ର ବିଶ୍ୱରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ଟପିଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୫୯ହଜାର ହେବାକୁ ଯାଉଛି । ମହାମାରୀ ବିପକ୍ଷରେ ସମଗ୍ର ବିଶ୍ୱ ସଂଗ୍ରାମ ଚଳାଇଥିଲେ ସୁଦ୍ଧା ଗତ ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ “କୋଭିଡ୍-୧୯’ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ବୃଦ୍ଧି ପାଇଛି । କରୋନାଭାଇରସ୍ ସଂକ୍ରମଣକୁ ପ୍ରତିହତ କରିବାକୁ ବିଶ୍ୱର ଅଧିକାଂଶ ଦେଶ ଲକଡାଉନ ଜାରି କରିଛନ୍ତି ।

ସମ୍ପ୍ରତି ୨, ୭୭, ୯୬୫ ସଂକ୍ରମିତ ବ୍ୟକ୍ତି ଥିବା ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର ଏକ ନମ୍ବର କରୋନାଭାଇରସ୍ ଅଧ୍ୟୁଷିତ ଦେଶ ପାଲଟି ଯାଇଛି । ସେଠାରେ ମୃତ୍ୟୁସଂଖ୍ୟା ୭, ୧୫୯ ହୋଇଥିବା ଜଣାପଡ଼ିଛି । ଇଉରୋପ୍ ମହାଦେଶରେ ଉଭୟ ଇଟାଲି ଓ ସ୍ପେନରେ ଯଥାକ୍ରମେ ସଂକ୍ରମିତଙ୍କ ସଂଖ୍ୟା୧, ୧୯, ୮୨୭ ଏବଂ ୧, ୧୯, ୧୧୯ରେ ପହଞ୍ଚିଛି । ଇଟାଲିରେ ମୃତ୍ୟୁସଂଖ୍ୟା ୧୪, ୬୮୧ ଥିବା ବେଳେ ସ୍ପେନରେ ମୃତ୍ୟୁସଂଖ୍ୟା ୧୧, ୧୯୮ରେ ପହଞ୍ଚିଛି । ସଂକ୍ରମଣ ରୋକିବାକୁ ଉଭୟ ଦେଶ ପାରୁପର୍ଯ୍ୟନ୍ତ ଉଦ୍ୟମ ଚଳାଇଛନ୍ତି ।
କରୋନାଭାଇରସର ଉତ୍ପତ୍ତିସ୍ଥଳ ଚୀନ୍ ଅପେକ୍ଷା ଫ୍ରାନସ୍, ଇଂଲଣ୍ଡ୍ ଏବଂ ଇରାନରେ ମୃତ୍ୟୁସଂଖ୍ୟା ଅଧିକ ହୋଇଥିବା କଥା ବିଶ୍ୱର ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।


Share It

Comments are closed.