ଟୋକିଓ ଅଲିମ୍ପିକ୍‌ସ ଉପରେ କରୋନାର କଳାବାଦଲ, ସ୍ଥଗିତ ପାଇଁ ବିଶ୍ୱ ଆଥ୍‌ଲେଟ୍‌ ଗ୍ରୁପର ଚାପ


ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାଇରସ୍‌ ସମଗ୍ର କ୍ରୀଡ଼ା ଜଗତକୁ ନିସ୍ତବ୍ଧ କରିଦେଇଛି। ଚୀନରୁ ଇଟାଲୀ, ସ୍ପେନରୁ ଫ୍ରାନ୍ସ, ଆମେରିକାରୁ ଭାରତ ପର୍ଯ୍ୟନ୍ତ ବଡବଡ ଦେଶଙ୍କ ନିଦ ହଜାଇ ଦେଇଥିବା କରୋନା ଭାଇରସ ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଚାଲିଛି। ଏଭଳି ଏକ ମହାମାରୀକୁ ରୋକିବା ନେଇ ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଥିବାବେଳେ ଟୋକିଓ ଅଲିମ୍ପିକ୍‌ସକୁ ନେଇ ଆଶା ଆଶଙ୍କା ସୃଷ୍ଟି ହେବାରେ ଲାଗିଛି। କରୋନାକୁ ନେଇ ପ୍ରତିଯୋଗିତା ନିର୍ଦ୍ଧାରିତ ସମୟରେ ଆୟୋଜନକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲେ ମଧ୍ୟ ଆୟୋଜନଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଅଲିମ୍ପିକ୍‌ସର ଜନ୍ମଦାତା ଗ୍ରୀସ୍‌ରୁ ଅଲିମ୍ପିକ୍‌ସ ମଶାଲ ଜାପାନରେ ଆସି ପହଞ୍ଚିବା ପରେ ପ୍ରତିଯୋଗିତା ନେଇ ମଧ୍ୟ ଉତ୍ସାହ ବଢିଛି। ଏଭଳି ସ୍ଥିତି ମଧ୍ୟରେ କରୋନା ସଂକ୍ରମଣ ବଡ ସମସ୍ୟା ​‌େ​‌ହାଇ ଛିଡ଼ା ହୋଇଛି। ଆୟୋଜକ ଜାପାନ ପକ୍ଷରୁ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟରେ ପ୍ରତିଯୋଗିତା ହେବା ନେଇ ଦୃଢୋକ୍ତି ପ୍ରକାଶ କରାଯାଇଛି । ତେବେ ବିଭିନ୍ନ ଯୋଗ୍ୟତା ପର୍ୟ୍ୟାୟ ପ୍ରତିଯୋଗିତା ସ୍ଥଗିତ ଓ ବାତିଲ ହୋଇଥିବାରୁ ଅଲିମ୍ପିକ୍‌ସ ସ୍ଥଗିତ କିମ୍ବା ଘୁଞ୍ଚାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅଲିମ୍ପିକ୍‌ସ ପ୍ରସ୍ତୁତି ନେଇ ଗ୍ରୀସ୍‌ର ଅଲିମ୍ପିଆଠାରେ ୧୨ରେ ପାରମ୍ପରିକ ମଶାଲ ପ୍ରଜ୍ବଳନ ଅନୁଷ୍ଠିତ ହୋଇଥିଲା। ୧୯୮୪ ପରେ ପ୍ରଥମ ଥର ପାଇଁ ବିନା ଦର୍ଶକରେ ମଶାଲ ପ୍ରଜ୍ବଳନକୁ ଆୟୋଜନ କରାଯାଇଥିଲା। ୧୯ରେ ମଶାଲ ହସ୍ତାନ୍ତର ପକ୍ରିୟା ଏଥେନ୍ସର ପାନାଥେନାକ୍‌ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିଲା। ଏବେ ଜାପାନରେ ଅଲିମ୍ପିକ୍‌ସ ମଶାଲ ପହଞ୍ଚି ସାରିଥିବାବେଳେ ପରବର୍ତ୍ତୀ ପ୍ରସ୍ତୁତିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅଲିମ୍ପିକ୍‌ସ ଲାଗି ବିଭିନ୍ନ ପ୍ରକାର ଯୋଗ୍ୟତା ପର୍ଯ୍ୟାୟକୁ ବାତିଲ ଓ ସ୍ଥଗିତ ରଖାଯାଇଛି। ବିଶ୍ୱ ତୀରନ୍ଦାଜୀ ଚମ୍ପିଆନ ହେଉ କି ବନ୍ଧୁକଚାଳନା ବିଶ୍ବକପକୁ ମଧ୍ୟ ସ୍ଥଗିତ ରଖାଯାଇଛି।

ସେହିପରି ବେସବଲ ଅନ୍ତିମ ପର୍ୟ୍ୟାୟ ଯୋଗ୍ୟତା, ୨୦୨୦ ଫିବା ୱାଲ୍ଡ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ଯ୍ୟାୟ, ୨୦୨୦ ଏସିଆ ଏବଂ ଓସେନିଆ ବକ୍ସିଂ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ, ୨୦୨୦ ଫୁଟବଲ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ଯ୍ୟାୟ, ଅନ୍ତର୍ଜାତୀୟ ମହିଳା ହ୍ୟାଣ୍ଡବଲ ଅନ୍ତର୍ଜାତୀୟ ପ୍ରତିଯୋଗିତା, ସାଇକଲ ଚାଳନା ଅଲିମ୍ପିକ୍‌ସ ଯୋଗ୍ୟତା ପର୍ଯ୍ୟାୟକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଜୁଡୋରେ ସମସ୍ତ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚ ଗୁଡ଼ିକୁ ଜୁନ୍‌ ୩୦ ପର୍ୟ୍ୟନ୍ତ ଘୁୁଞ୍ଚାଇ ଦିଆଯାଇଥିବାବେଳେ ନୌଚାଳନା, ସେଲିଂ, ୱାଟରପୋଲୋ ଆଦି ବିଭାଗରେ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ କରୋନା ଭାଇରସ୍‌ ଏବେ ୧୮୦ ଦେଶରେ ପହଞ୍ଚି ସାରିଥିବାବେଳେ ଅନେକ କ୍ରୀଡ଼ାରେ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ଯ୍ୟାୟ ସ୍ଥଗିତ ରହିଛି। ଏଭଳି ସ୍ଥଳେ ଅଲିମ୍ପିକ୍‌ସକୁ ସ୍ଥଗିତ ରଖିବା ନେଇ ମଧ୍ୟ ଚାପ ପଡ଼ିବା ଆରମ୍ଭ ହୋଇଛି। ଆୟୋଜକ ଜାପାନ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି (ଆଇଓସି ) ସଭାପତି ଥୋମାସ ବ୍ୟାଚ୍‌ କିନ୍ତୁ ପ୍ରତିଯୋଗିତାର ଆୟୋଜନ ନେଇ ଦୃଢ ଆଶାବାଦୀ ରହିଥିବାବେଳେ ସ୍ଥଗିତ ନେଇ ଅନେକ ଦେଶ ପକ୍ଷରୁ ଚାପ ପଡ଼ିବା ଆରମ୍ଭ ହୋଇଛି। ସମଗ୍ର ବିଶ୍ବରେ କରୋନା ବ୍ୟାପିବା ସହିତ କଟକଣା ଲାଗୁ କରାଯାଇଛି ।
ଏଭଳି ସ୍ଥଳେ ଖେଳାଳିମାନଙ୍କ ଯୋଗ୍ୟତା, ପ୍ରସ୍ତୁତି ନେଇ ମଧ୍ୟ ବଡ ସମସ୍ୟା ମୁଣ୍ଡ ଟେକିଛି। କିଭଳି ପ୍ରତିଯୋଗିତା ନିର୍ଦ୍ଧାରିତ ସମୟରେ ଆୟୋଜନ ହେବ ତାହାକୁ ନେଇ ପୂର୍ବତନ ଅଲିମ୍ପିଆନ ମାନେ ମତ ପ୍ରକାଶ କରିଛନ୍ତି। ଏବେ ଅଲିମ୍ପିକ୍‌ସ ନିର୍ଦ୍ଧାରିତ ସମୟରେ ଆୟୋଜନ ହେବ କି ସ୍ଥଗିତ ରହିବ ତାହାକୁ ନେଇ ମଧ୍ୟ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ କରୋନା ମହାମାରୀ ସତ୍ତ୍ବେ ରବିବାର ନର୍ଥ ଇଷ୍ଟ ଜାପାନରେ ଅନୁଷ୍ଠିତ ମଶାଲ କାର୍ଯ୍ୟକ୍ରମରେ ୫୦ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ସମାଗମ ହୋଇଥିଲା। ଅନ୍ୟପକ୍ଷରେ ଅଲିମ୍ପିକସକୁ ସ୍ଥଗିତ ରଖିବା ନେଇ ଗ୍ଲୋବାଲ ଆଥ୍‌ଲେଟ୍‌ ଗ୍ରୁପ ପକ୍ଷରୁ ଆହ୍ବାନ କରାଯାଇଛି। କରୋନା ଭାଇରସ୍‌ ବିଶ୍ବର ୧୮୮ ଦେଶରେ ବ୍ୟାପିଛି। ଯାହାକୁ ନେଇ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏଭଳି ସ୍ଥଳେ ଅଲିମ୍ପିକ୍‌ସକୁ ସ୍ଥଗିତ ରଖାଯିବା ଏକମାତ୍ର ବିକଳ୍ପ ବୋଲି ଆଥ୍‌ଲେଟ୍‌ମାନଙ୍କ ପକ୍ଷରୁ ଆହ୍ବାନ କରାଯାଇଛି।


Share It

Comments are closed.