ଡାଲି ଓ ତୈଳବୀଜର ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱ

Share It

କୋଭିଡ-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ଓ ମାର୍ଗଦର୍ଶିକାକୁ ବଜାୟ ରଖି ରାଜ୍ୟରେ ଡାଲି ଓ ତୈଳବୀଜର ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ରାଜ୍ୟରେ ମଇ ମାସ ୭ ତାରିଖରୁ ମାର୍କଫେଡ ଦ୍ୱାରା ସରକାରଙ୍କ ମୂଲ୍ୟ ସହାୟକ ଯୋଜନା (ପିଏସ୍‌ଏସ୍‌) ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କ ଠାରୁ ଡାଲି ଓ ତୈଳବୀଜ ସଂଗ୍ରହ କରାଯିବ ।  ଭାରତ ସରକାରଙ୍କ ଦ୍ୱାରା ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଂଜି ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଇଛି ।

ଚଳିତ ରବି ଋତୁ ୨୦୧୯-୨୦ରେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ରାଜ୍ୟରେ ୧୪,୧୨୧ ମେଟ୍ରିକ ଟନ ମୁଗ, ୫୪୨୫ ମେଟ୍ରିକ ଟନ ଚିନାବାଦାମ, ୮୭୫୦ ମେଟ୍ରିକ ଟନ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯିବ । ଭାରତ ସରକାରଙ୍କ ଅନୁମତି ପ୍ରାପ୍ତ ପରେ ବିରିର ସଂଗ୍ରହ କରାଯିବ । ପ୍ରକତୃ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କର ନାମ ପଞ୍ଜୀକରଣ ପ୍ରକ୍ରିୟା ମେ ୭ ତାରିଖ ମଧ୍ୟରେ ସଂପନ୍ନ କରିବା ପାଇଁ କୁହାଯାଇଛି ।

ଏଫ.ଏ.କ୍ୟୁ ମାନର ମୁଗର ସର୍ବନିମ୍ନ ସହାୟକ ମୂଲ୍ୟ କିଣ୍ଟାଲ ପିଛା ୭,୦୫୦ ଟଙ୍କା, ବିରି କ୍ୱିଣ୍ଟାଲ ପିଛା ୫,୭୦୦ ଟଙ୍କା, ସୂର୍ଯ୍ୟମୁଖୀ ମଞ୍ଜି କ୍ୱିଣ୍ଟାଲ ପିଛା ୫୬୫୦ ଟଙ୍କା, ଏବଂ ତିନାବାଦାମର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୫,୦୯୦ ଟଙ୍କା ସ୍ଥିର କରାଯାଇଛି । ଚାଷୀ ଚିହ୍ନଟ ଏବଂ ପଞ୍ଜୀକରଣ ନିମନ୍ତେ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପରିଚୟ ପତ୍ର ଯଥା ବ୍ୟାଙ୍କ ପାସବୁକରେ ପ୍ରଥମ ପୃଷ୍ଠା, ଚାଷ ଜମିର ଦଲିଲ ଏବଂ ପରିମାଣର କାଗଜପତ୍ର ଜରୁରୀ ଅଟେ ।

ରାଜ୍ୟର ୧୬ଟି ଜିଲ୍ଲାରେ ଡାଲି ଓ ତୈଳବୀଜ ସଂଗ୍ରହ କରାଯିବ । ଏହି ଜିଲ୍ଲାଗୁଡିକ ହେଉଛି ନୂଆପଡା, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ପୁରୀ, ରାୟଗଡା, କଳାହାଣ୍ଡି, ମାଲକାନଗିରି, ବରଗଡ, ଯାଜପୁର, ଖୋର୍ଦ୍ଧା ଏବଂ କେନ୍ଦୁଝର । ଏହିସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜିଲ୍ଲାରେ ଇତ୍ପାଦିତ ଓ ବଳକା ଡାଲି ଏବଂ ତୈଳବୀଜକୁ ଆକଳନ କରି ସଂଗ୍ରହ କେନ୍ଦ୍ର ଓ ଏହାର ସ୍ଥାନ ନିର୍ଦ୍ଧାରଣ କରିବେ । ଆବଶ୍ୟକତାକୁ ଦୃଷ୍ଟିରେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାଗୁଡିକୁ ଏହାକୁ ସଂପ୍ରସାରିତ କରାଯାଇପାରେ ।


Share It

Comments are closed.