ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଟ୍ରେନ ଖର୍ଚ୍ଚ ବହନ କରିବ କଂଗ୍ରେସ

Share It

ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ନିଷ୍ପତି ନିଆଯାଇଛି ଯେ, ପ୍ରତ୍ୟେକ ରାଜ୍ୟର କଂଗ୍ରେସ କମିଟି ନିଜ ରାଜ୍ୟର ସମସ୍ତ  ଅଭାବୀ ଏବଂ ପ୍ରବାସୀ ଶ୍ରମିକଙ୍କ ରେଳ ଖର୍ଚ୍ଚ ବହନ କରିବ ଏବଂ ଏ ସମ୍ବନ୍ଧରେ ସମସ୍ତ ଆବଶ୍ୟକ ପଦକ୍ଷେପ ଦଳ ପକ୍ଷରୁ ନିଆଯିବ । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଦିନମଜୁରିଆ ଏବଂ ଶ୍ରମିକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ । ରାଷ୍ଟ୍ରର ଉନ୍ନତି ଏମାନଙ୍କର ସବୁଠାରୁ ପ୍ରମୁଖ ଭୂମିକା ରହିଥାଏ । କରୋନା ଯୋଗୁଁ ଦେଶରେ ଲକ୍‌ଡାଉନ ବଳବତ୍ତର ରହିଥିବା ହେତୁ ଶ୍ରମିକ ଏବଂ ଦିନ ମଜୁରିଆ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସେ ଆହୁରୀ କହିଛନ୍ତି, ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ଦେଶ ପ୍ରଥମଥର ପାଇଁ ଏଭଳି ହୃଦୟବିଦାରକ ଘଟଣା ଦେଖିଥିଲା ଯେତେବଳେ ହଜାର ହଜାର ଶ୍ରମିକ ଏବଂ ଦିନମଜୁରିଆ ରାଜରାସ୍ତାରେ ଶହ ଶହ କିଲୋମିଟର ପାଦରେ ଚାଲି ଘରକୁ ଯିବା ପାଇଁ ବାଧ୍ୟ ହୋଇପଡିଥିଲେ । ନା’ ରାସନ, ନା’ ଔଷଧ, ନା’ଟଙ୍କା, କେବଳ ନିଜ ପରିବାର ପାଖରେ ପହଞ୍ଚିବାର ଇଚ୍ଛା ଥିଲା ଶ୍ରମିକଙ୍କ ପାଖରେ । ଶ୍ରମିକଙ୍କର ଯନ୍ତ୍ରଣା ବିଷୟରେ ଚିନ୍ତା କରି ପ୍ରତ୍ୟେକଙ୍କ ମନ ଦୁଃଖିତ ହେବା ପରେ ଦେଶର ଉନ୍ନତିରେ ତାଙ୍କର ଯୋଗଦାନ ଏବଂ ନିଷ୍ଠାକୁ ସମସ୍ତ ଭାରତୀୟ ପ୍ରଶଂସା ମଧ୍ୟ କରିଥିଲେ ।

ସୋନିଆ ଗାନ୍ଧୀ କହିଛନ୍ତି, ’ବିଭିନ୍ନ ରାଜ୍ୟରେ ଫଶି ରହିଥିବା ଶ୍ରମିକମାନଙ୍କ ପାଖରେ ଅର୍ଥ ଅଭାବ, ମେଡିସିନ, ରାସନ ସମାଗ୍ରୀର ଅଭାବ ଥିବା କାରଣରୁ ନିଜ ପରିବାର ପାଖକୁ ଫେରିଯିବାପାଇଁ ଚାହୁଁଛି । ଏପରି ପରିସ୍ଥିତିରେ ସରକାର ଶ୍ରମିକମାନଙ୍କ ପ୍ରତି ଥିବା ନିଜ କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି । ଆଜି ବି ଦେଶର ବିଭିନ୍ନ କୋଣରେ ଲକ୍ଷ ଲକ୍ଷ ଶ୍ରମିକ ଘରକୁ ଫେରିବାକୁ ଚାହୁଁଛନ୍ତି କିନ୍ତୁ ସେମାନଙ୍କ ପାଖରେ ସମ୍ବଳ ନଥିବା କାରଣୁ ଫେରିପାରୁ ନାହାନ୍ତି । ଏଇଥି ପାଇଁ କଂଗ୍ରେସ ଦେଶର ବିଭିନ୍ନ ରାଜ୍ୟରୁ ନିଜ ରାଜ୍ୟକୁ ଫେରିବାକୁ ଥିବା ସମସ୍ତ ଶ୍ରମିକଙ୍କ ଟ୍ରେନ ଟିକେଟ ମୂଲ୍ୟ ବହନ କରିବ ବୋଲି ନିଷ୍ପତ୍ତି ନେଇଥିବା ସୋନିଆ ଗାନ୍ଧୀ କହିଛନ୍ତି ।

ସୋନିଆ ଗାନ୍ଧୀ ଆହୁରୀ ମଧ୍ୟ କହିଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ବାରମ୍ବାର ଶ୍ରମିକ ମାନଙ୍କ ପାଇଁ ମାଗଣା ଟ୍ରେନ୍ ଯାତ୍ରା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛି, କିନ୍ତୁ ଦୁର୍ଭାଗ୍ୟବଶତଃ ନା ସରକାର ନା ରେଳ ମନ୍ତ୍ରଣାଳୟ କେହି ଶୁଣିଲେ ନାହିଁ। ତେଣୁ ଭାରତୀୟ ଜାତୀୟ କଂଗ୍ରେସ ନିଷ୍ପତ୍ତି ନେଇଛି ଯେ ରାଜ୍ୟ କଂଗ୍ରେସ କମିଟିର ପ୍ରତ୍ୟେକ ୟୁନିଟ୍ ପ୍ରତ୍ୟେକ ଅଭାବୀ ଶ୍ରମିକଙ୍କ ଘରକୁ ଫେରିବା ପାଇଁ ଟ୍ରେନ୍ ଯାତ୍ରାର ଟିକେଟ୍ ମୂଲ୍ୟ ବହନ କରିବେ ଏବଂ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ଶ୍ରମିକମାନଙ୍କ ଏହି ଅସୁବିଧା ସମୟରେ ସେମାନଙ୍କ କାନ୍ଧକୁ କାନ୍ଧ ମିଶାଇ ଏହି ମାନବ ସେବା ସଂକଳ୍ପରେ କଂଗ୍ରେସ ସାମିଲ ହେବ ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।


Share It

Comments are closed.