ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣିବେ

Share It

ଭୁବନେଶ୍ୱର, ତା-୨୯/୧୨/୨୦୨୫ : ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ।  ମାନ୍ୟବର ମୁଖ୍ୟମନ୍ତ୍ରୀ ସେଦିନ  ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି  କରିବେ । 

ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ ଟା  ଠାରୁ ଆରମ୍ଭ ହୋଇ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ । ଏଥି ନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି  ପୋର୍ଟାଲଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ ।

ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ  ଜଣାଇପାରିବେ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।


Share It

Comments are closed.