ଗତ କାଲି ପୌର ନିର୍ବାଚନ, ସହର ସୀମା ସିଲ୍‌, ୧୯ ପ୍ଲାଟୁନ୍‌ ଫୋର୍ସ ମୁତୟନ

Share It

ପୌର ନିର୍ବାଚନ ପ୍ରଚାର ସରିଛି । ରାଜନୈତିକ ଦଳ ପ୍ରଚାର ମଇଦାନରେ ଶକ୍ତି ପ୍ରଦର୍ଶନ କରିବା ପରେ ଏବେ ବିଜୟ ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି । ପ୍ରାର୍ଥୀ ବିନା ମାଇକ୍‌ରେ ଘରେ ଘରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି । ସେପଟେ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ ସରିଛି । ବ୍ରହ୍ମପୁର ସରକାରୀ ପଲିଟେକ୍ନିକ୍‌ ଅସ୍ଥାୟୀ ଷ୍ଟ୍ରଙ୍ଗ୍‌ ରୁମ୍‌ରେ ଇଭିଏମ୍‌ କଡ଼ା ସୁରକ୍ଷା ଭିତରେ ରଖାଯାଇଛି । ଜିଲ୍ଲା ସ୍ତରରେ ପ୍ରଥମେ କମିଶନିଂ କରାଯିବା ପରେ ବ୍ରହ୍ମପୁର ଉପଖଣ୍ଡରେ ଇଭିଏମ୍‌ କମିଶନିଂ କରାଯାଇଥିବା କହିଛନ୍ତି ନିର୍ବାଚନ ଅଧିକାରୀ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍‌ । ସହରରେ ୨୫୦ଟି ବୁଥ୍‌ ହୋଇଥିବା ବେଳେ ଗୋଟିଏ ବୁଥ୍‌ରେ ମେୟର ଓ କର୍ପୋରେଟର ପାଇଁ ଦୁଇଟି ଅଲଗା ଇଭିଏମ୍‌ ରହିବ । କୌଣସି ଜାଗାରେ ଇଭିଏମ୍‌ ଅଚଳ ହେଲେ ସଙ୍ଗେ ସଙ୍ଗେ ମହଜୁଦ୍‌ ଇଭିଏମ୍‌ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ମେୟରଙ୍କ ପାଇଁ ଅତିରିକ୍ତ ୩୦ଟି ଏବଂ ୩୯ଟି ୱାର୍ଡରେ କର୍ପୋରେଟରଙ୍କ ପାଇଁ ୩୯ଟି ଇଭିଏମ୍‌ ମହଜୁଦ୍‌ ରହିଛି । ବୁଧବାର ସକାଳ ୭ଟାରୁ ପଲିଟେକ୍ନିକ୍‌ରୁ ପ୍ରିଜାଇଡିଂ ଅଫିସର ମାନଙ୍କୁ ଇଭିଏମ୍‌ ଦିଆଯିବ । ପ୍ରତି ବୁଥ୍‌ରେ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୪ଜଣ ପୋଲିଂ ଅଫିସର ରହିବେ । ଏହାସହ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ୧୫୫ଟି ବୁଥ୍‌ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି କରାଯାଇଛି । ପ୍ରଶାସନ ପକ୍ଷରୁ ୬ଟି ଟିମ୍‌ କରାଯାଇଛି । ଏହି ଟିମ୍‌ ବିଭିନ୍ନ ବୁଥ୍‌କୁ ବୁଲି ସ୍ଥିତି ଅନୁଧ୍ୟାନ କରିବେ । ଟିମ୍‌ ସହ ଭିଡ଼ିଓଗ୍ରାଫର ମଧ୍ୟ ରହିବେ ବୋଲି ନିର୍ବାଚନ ଅଧିକାର ଭି.କୀର୍ତ୍ତିଭାସନ୍‌ କହିଛନ୍ତି । ୨ଟି ୱାର୍ଡରେ ଜଣେ ସେକ୍ଟର ଅଫିସର ରହି ତଦାରଖ କରିବେ ।

ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା କହିଛନ୍ତି ଏଏସ୍‌ପି ଅସୀମ କୁମାର ପଣ୍ଡା । ବୁଧବାର ସନ୍ଧ୍ୟାର ସହର ସୀମା ସିଲ୍‌ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଅପରାଧୀ ମାନେ ଯେପରି ସହର ଭିତରକୁ ପ୍ରବେଶ କରିପାରିବେ ନାହିଁ ଏବଂ ଅବାଧ ମତଦାନ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଭୋଟ ଦିନ ୧୯ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି । ଏହାସହ ୨୩ଟି ମୋବାଇଲ୍‌ ଟିମ୍‌, ବାଇକ୍‌ ପାଟ୍ରୋଲିଂ, କମାଣ୍ଡୋ ବାଇକ୍‌ ପାଟ୍ରୋଲିଂ ବ୍ୟବସ୍ଥା ହୋଇଛି । ୧୨୦ ଅଫିସର ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି । ସେକ୍ଟର ଅଫିସର ୮ଜଣ, ଜୋନାଲ୍‌ ଅଫିସର ୪ଜଣ ନିୟୋଜିତ ହୋଇଥିବା ବେଳେ ଜଣେ ଏଏସ୍‌ପି ତଦାରଖ କରିବାକୁ ନିୟୋଜିତ ରହିଛନ୍ତି ବୋଲି ଏଏସ୍‌ପି ପଣ୍ଡା କହିଛନ୍ତି ।

ସହରରେ ପ୍ରଚାର ଶେଷ ହୋଇଛି । ଶେଷ ଦିନରେ ସବୁ ରାଜନୈତିକ ଦଳ ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରାର୍ଥୀ ମାନେ ଏବେ ଭୋଟରଙ୍କ ଘରକୁ ଘର ବୁଲି ଚିରକୁଟ୍‌ ବାଣ୍ଟୁଛନ୍ତି । ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି । ସେପଟେ ମଙ୍ଗଳବାର ସନ୍ଧ୍ୟାରୁ ମଦ ଦୋକାନ ବନ୍ଦ ହୋଇଛି । ସହରରେ ମଦ ବିକ୍ରି ହୋଇପାରିବ ନାହିଁ । ସମସ୍ତ ଠିପି ବନ୍ଦ, ଠିପି ଖୋଲା ଏବଂ ବାର୍‌କୁ ସିଲ୍‌ କରାଯାଇଛି ।


Share It

Comments are closed.