ସିଆଇଆଇ ଏମଏସଏମଇ କନେକ୍ଟ : ରାଜ୍ୟରେ ଏମଏସଏମଇ ଅଭିବୃଦ୍ଧିକୁ ନୂଆ ବୁଷ୍ଟର

Share It

ପାରାଦୀପ: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଓଡିଶା ଚାପ୍ଟର ପକ୍ଷରୁ ପାରାଦୀପ ପୋର୍ଟ ଅଥୋରିଟି କ୍ୟାମ୍ପସର ବିଜୁ କନ୍‌ଭେନ୍‌ଶନ ସେଂଟରଠାରେ ସଫଳତାପୂର୍ବକ ସିଆଇଆଇ ଏମ୍‌ଏସ୍‌ଏମ୍‌ଇ କନେକ୍ଟ ୨୦୨୪ର ଆୟୋଜନ କରାଯାଇଛି। ‘ଭେଣ୍ଡର କନେକ୍ଟ ସିରିଜ: ଏକ୍ସପାଣ୍ଡିଙ୍ଗ୍ ବିଜ୍‌ନେସ୍ ହରାଇଜୋନ୍ସ’ ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ଓଡିଶାର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବୃହତ୍ ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇଗୁଡିକ ମଧ୍ୟରେ ମଜବୁତ ସହଭାଗିତା ସ୍ଥାପନ କରିବା ଉପରେ ଗୁରୁତ୍ୱ ଦେଇଛି।

ଏହି କାର୍ଯ୍ୟକ୍ରମରେ ନିଜ ସମ୍ବୋଧନରେ ଓଡିଶାର ଶିଳ୍ପ ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଡିଶାର ଶିଳ୍ପ କ୍ଷେତ୍ରରେ ପାରାଦୀପର ରଣନୈତିକ ମହତ୍ୱ ଉପରେ ଆଲୋକପାତ କରିଥିଲେ। ସେ ବିଶ୍ୱସ୍ତରୀୟ ବନ୍ଦର ସୁବିଧା ଓ ଉତ୍କୃଷ୍ଟ ସଂଯୋଗଗୁଡିକୁ ଆଲୋକପାତ କରିଥିଲେ ଯାହା ଓଡିଶାର ଆର୍ଥିକ ବିକାଶ ପାଇଁ ପାରାଦୀପକୁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରରେ ପରିଣତ କରୁଛି। ସେ କହିଥିଲେ, “ଓଡିଶାର ଶିଳ୍ପ ଓ ଆର୍ଥିକ ଢାଂଚାରେ ପାରାଦୀପ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହାର କ୍ଷମତାକୁ ଅଧିକ ଉପଯୋଗ କରିବା ପାଇଁ ଆମକୁ ପାରାଦୀପର ଭିତିଭୂମିକୁ ଉନ୍ନତ କରିବା ଏବଂ ଏକ ଜାତୀୟ ଓ ଆନ୍ତର୍ଜାତୀୟ ଶିଳ୍ପ କେନ୍ଦ୍ର ଭାବେ ଏହାକୁ ଅବସ୍ଥାପିତ କରିବା ଉପରେ ଗୁରୁତ୍ୱ ଦେବାକୁ ହେବ। ଆମ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ଓ ବୃହତ ଶିଳ୍ପଗୁଡିକ ମଧ୍ୟରେ ଦୃଢ ସହଯୋଗିତା ସ୍ଥାପନ କରିବା ପାଇଁ ପ୍ରସ୍ତୁତ ରହିଛି, ଯାହା ଏକ ଗତିଶୀଳ ଓ ସଫଳ ଇଣ୍ଡଷ୍ଟ୍ରିଆଲ ଇକୋସିଷ୍ଟମ ସୁନିଶ୍ଚିତ କରିବ।

ସେହିପରି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓଡିଶାର ରପ୍ତାନୀ ଅର୍ଥନୀତି ପ୍ରତି ଏହି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସମ୍ପର୍କରେ କହିଥିଲେ। “ ଏମ୍‌ଏସ୍‌ଏମ୍‌ଇ ରପ୍ତାନୀର ଓଡିଶାର ମୋଟ ରପ୍ତାନୀରେ ୪୫% ଯୋଗଦାନ ରହିଛି। ବରଗଡ, ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁରଠାରେ ଫୁଡ୍ ପାର୍କର ସ୍ଥାପନା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ବହୁମାତ୍ରାରେ ପ୍ରୋତ୍ସାହିତ କରିଛି, ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇଗୁଡିକ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି। ଓଡିଶା ଷ୍ଟାର୍ଟଅପ୍ ଗ୍ରୋଥ୍ ଫଣ୍ଡ୍ ମଧ୍ୟ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ମଧ୍ୟରେ ଷ୍ଟାର୍ଟଅପ୍‌ଗୁଡିକୁ ସମର୍ଥନ କରିବା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ କହିଥିଲେ।”

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି, “ରାଜ୍ୟରେ ଏମଏସଏମଇ କ୍ଷେତ୍ରର ବିକାଶ ପାଇଁ ଆମ ସରକାର ଗଭୀର ରୂପେ ପ୍ରତିଶ୍ରୁତିବଦ୍ଧ। ଏହି ପ୍ରୟାସର ଏକ ଅଂଶ ଭାବରେ ଆମେ ଝାରସୁଗୁଡ଼ା ଓ ଅନୁଗୁଳ ସମେତ ବିଭିନ୍ନ ଜିଲ୍ଲାରେ ଏମଏସଏମଇ ସଂଯୋଗ କାର୍ଯ୍ୟକ୍ରମ ଆୟୋଜନ କରୁଛୁ ଏବଂ ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ଗଞ୍ଜାମ, ରାୟଗଡ଼ା ଏବଂ କଳାହାଣ୍ଡିରେ ଅନୁରୂପ ପଦକ୍ଷେପ ନେବାକୁ ଯୋଜନା କରୁଛୁ ।”

ଏହି ଅବସରରେ ସିଆଇଆଇ ଓଡିଶା ଷ୍ଟେଟ୍ କାଉନ୍ସିଲର ଅଧ୍ୟକ୍ଷ ଡଃ ପ୍ରଦୀପ୍ତ ମହାନ୍ତି ପ୍ରତିନିଧିମାନଙ୍କୁ ସ୍ୱାଗତ କିଥିଲେ ଏବଂ ବୃହତ ଶିଳ୍ପ ଓ ସେମାନଙ୍କର ଏମ୍‌ଏସ୍‌ଏମ୍‌ଇ ପାର୍ଟନର୍‌ଙ୍କ ମଧ୍ୟରେ ସଂଯୋଗକୁ ମଜବୁତ କରୁଥିବା ଏକ ପ୍ଲାଟ୍‌ଫର୍ମ ସୃଷ୍ଟି କରିବାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, “ସିଆଇଆଇ ଏମ୍‌ଏସ୍‌ଏମ୍‌ଇ କନେକ୍ଟ ୨୦୨୪ ପ୍ରମୁଖ ଶିଳ୍ପ ସଂସ୍ଥା ଓ ସେମାନଙ୍କର ଯୋଗାଣ ଶୃଙ୍ଖଳା ସହଯୋଗୀଙ୍କ ମଧ୍ୟରେ ରହିଥିବା ଅନ୍ତରକୁ ଦୂର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପଦକ୍ଷେପ ଉଦ୍ଭାବନ, ଅଭିବୃଦ୍ଧି ଓ ଦ୍ୱିପାକ୍ଷିକ ସମୃଦ୍ଧତାକୁ ପ୍ରୋତ୍ସାହିତ କରିବା ସହିତ ରାଜ୍ୟରେ ଭେଣ୍ଡର ଇକୋସିଷ୍ଟମକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛି।”

ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ଆଇଆରଟିଏସ ପିଏଲ ହରନାଧ କହିଛନ୍ତି ଯେ, “୨୦୧୯-୨୦ରେ ଏମଏସଏମଇଠାରୁ କ୍ରୟ ୨୬ ପ୍ରତିଶତ ଥିଲା, ଯାହା କି ସରକାରଙ୍କ ଦ୍ୱାରା ବାଧ୍ୟତାମୂଳକ ୨୫ ପ୍ରତିଶତ ଅଧିକ । ବର୍ତମାନ ଆମେ ଏମଏସଏମଇଠାରୁ ୭୪ ପ୍ରତିଶତ କିଣୁଛୁ , ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏହି କ୍ଷେତ୍ରର ବିକାଶ ପାଇଁ ଆମର ଗୁରୁତ୍ୱ ଉପରେ ଯଥେଷ୍ଟ ବୃଦ୍ଧି ଦର୍ଶାଉଛି । ସେ ଏମଏସଏମଇଗୁଡ଼ିକୁ ପ୍ରତିଯୋଗିତାମୂଳକ ଏବଂ ଗୁଣାତ୍ମକ ସଚେତନ ହେବା ଏବଂ ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟାରେ ନିବେଶ କରିବାକୁ ଅନୁରୋଧ କରିଥିଲେ ।”

ଜଗତସିଂହପୁର ଜିଲ୍ଲାପାଳ ଓ ଡିଷ୍ଟିକ୍ଟ ମାଜିଷ୍ଟ୍ରେଟ ଜେ.ସୋନାଲ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭିତିଭୂମି ଏବଂ ଯୋଗାଯୋଗ ବିକାଶ ପ୍ରକଳ୍ପ ଉପରେ ଆଲୋକପାତ କରି କହିଛନ୍ତି ଯେ, “ସ୍ଥାନୀୟ ଯୁବକମାନଙ୍କୁ ରୋଜଗାର ପାଇଁ ପ୍ରସ୍ତୁତ କରିବା ପାଇଁ ଦକ୍ଷତା ଉପରେ ଆମର ଧ୍ୟାନ ରହିଛି । ଆମେ ଏମଏସଏମଇମାନଙ୍କ ମଧ୍ୟରେ ବ୍ୟବସାୟ କରିବାର ସହଜତା ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଚାହୁଁଛୁ ଏବଂ ପରିବେଶକୁ ସେମାନଙ୍କ ପାଇଁ ଅନୁକୂଳ କରିବାକୁ ଚାହୁଁଛୁ ।”

ଇଣ୍ଡିଆନ ଅଏଲ କର୍ପୋରେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ରିଫାଇନାରୀ ମୁଖ୍ୟ କୌଶିକ ବାସୁ କହିଛନ୍ତି ଯେ, “ଇଣ୍ଡିଆନ ଅଏଲ ପାରାଦୀପ ରିଫାଇନାରୀ ଏଭଳି ପଦକ୍ଷେପ ମାଧ୍ୟମରେ ଏମଏସଏମଇକୁ ସମର୍ଥନ ଏବଂ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଆସନ୍ତୁ ଏକ ଶକ୍ତିଶାଳୀ, ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନ ପାଇଁ ମିଳିତ ଭାବେ କାର୍ଯ୍ୟ ଜାରି ରଖିବା। ମିଳିତ ଭାବେ ଆମେ ଏକ ସୁଦୃଢ଼ ଇକୋସିଷ୍ଟମ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛୁ ଯେଉଁଠାରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ସମୃଦ୍ଧ ହୋଇପାରିବେ ଏବଂ ଏହି ଅଂଚଳର ସାମାଜିକ-ଅର୍ଥନୈତିକ ବିକାଶରେ ଯୋଗଦାନ କରିପାରିବେ।”

ଜେଏସଡବ୍ଲୁ ବିପିଏସଏଲ ୱାର୍କସର ବାଣିଜ୍ୟ ମୁଖ୍ୟ ଗିରିଶ ନାଏକ ପାରାଦୀପ ଓ ଉତର ଓଡ଼ିଶା ଭଳି ଅଂଚଳରେ ଏମଏସଏମଇକୁ ସମର୍ଥନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ନାଏକ କହିଛନ୍ତି, ସିଆଇଆଇ ଏମଏସଏମଇ ଭେଣ୍ଡର କନେକ୍ଟ ସିରିଜ୍ ୨୦୨୪ ଏହି ସବୁ କ୍ଷେତ୍ରରେ ଏମଏସଏମଇଗୁଡ଼ିକର ଅଭିବୃଦ୍ଧି ପାଇଁ ଆବଶ୍ୟକ ସମ୍ବଳ ଓ ପ୍ଲାଟଫର୍ମ ପ୍ରଦାନ କରି ସେମାନଙ୍କୁ ସୁଦୃଢ଼ କରିବାର ସୁଯୋଗ ପ୍ରଦାନ କରୁଛି।

ପାରାଦୀପ ଫସଫେଟ୍‌ସ ଲିମିଟେଡର ସିଏମଓ ତଥା ୟୁନିଟ୍ ମୁଖ୍ୟ ପଲାନିସ୍ୱାମୀ ଭେଲୁସାମୀ ମଧ୍ୟ ପାରାଦୀପକୁ ଏକ ଶିଳ୍ପ ଏବଂ ଏମଏସଏମଇ ହବ୍ ଭାବରେ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। “ପାରାଦୀପ ଓ ଉତର ଓଡ଼ିଶାର ଅବ୍ୟବହୃତ ସମ୍ଭାବନାକୁ ଉନ୍ମୋଚନ କରିବା ପାଇଁ ସିଆଇଆଇ ଏମଏସଏମଇ କନେକ୍ଟ ୨୦୨୪ ଭଳି ପ୍ଲାଟଫର୍ମ ଗୁରୁତ୍ୱପୂର୍ଣ୍ଣ। ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଏବଂ ଏହି ଅଂଚଳରେ ଏକ ସ୍ଥାୟୀ ଭେଣ୍ଡର ଇକୋସିଷ୍ଟମ୍ ନିର୍ମାଣ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।”

ଏହି କାର୍ଯ୍ୟକ୍ରମ ଏମ୍‌ଏସ୍‌ଏମ୍‌ଇ ଓ ବୃହତ ଶିଳ୍ପଗୁଡିକ ମଧ୍ୟରେ ଏକ ମଜବୁତ ସହଭାଗିତା ବିକଶିତ କରିବା, ଓଡିଶାରେ ଅଭିବୃଦ୍ଧି, ଉଦ୍ଭାବନ ଓ ସ୍ଥାୟୀ ଆର୍ଥିକ ସମୃଦ୍ଧି ପାଇଁ ନୂତନ ମାର୍ଗ ସୃଷ୍ଟି କରିବା ପ୍ରତି ଏକ ଦୃଢ ପ୍ରତିବଦ୍ଧତା ସହିତ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମ ପରେ ମୁଖ୍ୟତଃ ପାରାଦୀପ ପୋର୍ଟ ଅଥରିଟି, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍‌, ବେଦାନ୍ତ ଲିମିଟେଡ୍‌, ଜେଏସଡବ୍ଲୁ, ଜେଏସଏଲ୍‌, ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ, ଇଫକୋ, ଟିପିସିଓଡିଏଲ୍ ଏବଂ ପିପିଏଲ୍ ସହ ବଡ଼ ବଡ଼ କମ୍ପାନିଗୁଡ଼ିକ ସହ ବି୨ବି ବୈଠକ ହୋଇଥିଲା।


Share It

Comments are closed.