ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ ର ଚମତ୍କାରତା ଏବଂ ସ୍ପିନରମାନଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି ରେକର୍ଡ ତୃତୀୟ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ଜିତିଛି। ଏହି ମ୍ୟାଚ୍ ପୂର୍ବରୁ ରୋହିତଙ୍କ ଅବସରକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ସେ ନିଜ ପରିଚିତ ଫର୍ମକୁ ଫେରି ନିଜ ସମାଲୋଚକଙ୍କୁ ଚୁପ୍ କରାଇ ଦେଇଥିଲେ। ତାଙ୍କ ଅଧିନାୟକତ୍ୱରେ ଟି-୨୦ ବିଶ୍ୱକପ୍ ପରେ ଏହା ଭାରତର ଦ୍ବିତୀୟ ଆଇସିସି ଟାଇଟଲ୍ ଥିଲା।
୨୦୦୨ ଓ ୨୦୧୩ ପରେ ଭାରତ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ନ ହରାଇ ତୃତୀୟ ଥର ପାଇଁ ଟାଇଟଲ ଜିତିଥିଲା। ଅନ୍ୟ କୌଣସି ଦଳ ୩ ଥର ଏହି ଟ୍ରଫି ଜିତି ନାହାନ୍ତି। ବିଜେତା ଦଳ ଭାରତକୁ ବିପୁଳ ସଫଳତା ମିଳିଛି। ଭାରତୀୟ ଦଳକୁ ୨.୪ ନିୟୁତ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୧୯.୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଗତଥର ତୁଳନାରେ ଚାମ୍ପିୟନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି୫୩ ପ୍ରତିଶତ ବୃଦ୍ଧି କରିଛି।
ଉପବିଜେତା ଦଳ ୯.୭୨ କୋଟି ଟଙ୍କା ପାଇଛି। ବିଜେତାଙ୍କ ବ୍ୟତୀତ ଉପବିଜେତା ନ୍ୟୁଜିଲାଣ୍ଡ ଦଳକୁ ୧.୧୨ ମିଲିୟନ ଡଲାର (ପାଖାପାଖି ୯.୭୨ କୋଟି ଟଙ୍କା) ମିଳିଥିବା ବେଳେ ସେମିଫାଇନାଲରେ ବାଦ୍ ପଡ଼ିଥିବା ଉଭୟ ଦଳ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ୫୬,୦୦୦ ଡଲାର (୪.୮୬ କୋଟି ଟଙ୍କା) ମିଳିଥିଲା। ଏହି ଟୁର୍ଣ୍ଣାମେଣ୍ଟର ମୋଟ ପୁରସ୍କାର ରାଶି ୬.୯ ମିଲିୟନ ଡଲାର (ପାଖାପାଖି ୬୦ କୋଟି ଟଙ୍କା)କୁ ବୃଦ୍ଧି ପାଇଛି। ଆଇସିସି ସଭାପତି ଜୟ ଶାହା ଏକ ବିବୃତିରେ କହିଛନ୍ତି ଯେ ଏହି ପୁରସ୍କାର ରାଶି କ୍ରୀଡ଼ାରେ ପୁଞ୍ଜିନିବେଶ ଏବଂ ଆମ ଇଭେଣ୍ଟର ବିଶ୍ୱସ୍ତରୀୟ ଖ୍ୟାତି ବଜାୟ ରଖିବା ପାଇଁ ଆଇସିସିର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଅନ୍ୟ ଦଳକୁ କେତେ ଟଙ୍କା ମିଳିଥିଲା?
ଗ୍ରୁପ୍ ପର୍ଯ୍ୟାୟରେ ବିଜୟ ହାସଲ କରିଥିବା ଦଳକୁ ୩୪,୦୦୦ ଡଲାର (୩ ନିୟୁତ ଟଙ୍କା) ପୁରସ୍କାର ପ୍ରଦାନ କରାଯାଇଥିଲା। ପଞ୍ଚମ ଓ ଷଷ୍ଠ ସ୍ଥାନରେ ଥିବା ଦଳକୁ ୩,୫୦,୦୦୦ ଡଲାର (ପାଖାପାଖି ୩ କୋଟି ଟଙ୍କା) ମିଳିଥିବା ବେଳେ ସପ୍ତମ ଓ ଅଷ୍ଟମ ସ୍ଥାନରେ ଥିବା ଦଳକୁ ୧,୪୦,୦୦୦ ଡଲାର (ପ୍ରାୟ ୧.୨ କୋଟି ଟଙ୍କା) ପ୍ରଦାନ କରାଯାଇଛି। ଏହାବ୍ୟତୀତ ଏହି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ସମସ୍ତ ୮ଟି ଦଳକୁ ୧,୨୫,୦୦୦ ଡଲାର (ପାଖାପାଖି ୧.୦୮ କୋଟି ଟଙ୍କା) ପ୍ରଦାନ କରାଯାଇଥିଲା।
Comments are closed.