୧.୩୧ ଲକ୍ଷ କୋଟି ବ୍ୟୟରେ ପିଏମ୍ ପୋଷଣ ଯୋଜନାରେ ୧୧.୨୦ ଲକ୍ଷ ସ୍କୁଲର ୧୧.୮୦ କୋଟି ଛାତ୍ରଛାତ୍ରୀ ହେବେ ଉପକୃତ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର – ପୋଷଣର ବିକାଶ, ଶିକ୍ଷା ତଥା ପାଠପଢ଼ାକୁ ପ୍ରୋତ୍ସାହନ, ବିଦ୍ୟାଳୟରେ ନାମଲେଖା ବୃଦ୍ଧି, ପିଲାଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୫ ବର୍ଷ ପାଇଁ ୧,୩୧,୦୦୦ କୋଟି ଟଙ୍କା ବ୍ୟୟବରାଦରେ ପିଏମ ପୋଷଣ ଶକ୍ତି ନିର୍ମାଣ ଯୋଜନା(ପିଏମ ପୋଷଣ)କୁ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ ପୋଷଣଯୁକ୍ତ ଖାଦ୍ୟକୁ ପ୍ରାଥମିକତା ଦେଉଥିବା ବେଳେ କ୍ୟାବିନେଟ ମଞ୍ଜୁରୀପ୍ରାପ୍ତ ଏହି ଯୋଜନା ଆଗାମୀ ଦିନରେ ଜନଆନ୍ଦୋଳନରେ ପରିଣତ ହେବ । ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିରୋ ହଙ୍ଗର ସହ ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପୋଷଣ ପାଇଁ ଭାରତ ସରକାର ଖାଦ୍ୟାନ୍ନର ମୂଲ୍ୟ ସହ ୯୯,୦୬୧.୭୩ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ । ତିଥି ଭୋଜନ, ସୋସିଆଲ ଅଡ଼ିଟ, ବିଦ୍ୟାଳୟରେ ପୃଷ୍ଟିକର ଉଦ୍ୟାନ ଭଳି ଅନେକ ପଦକ୍ଷେପ ଏହି ଯୋଜନାର ସଠିକ୍ କାର୍ଯ୍ୟକାରିତାରେ ସହାୟକ ହେବ ଓ ପାଠପଢ଼ା ଏବଂ ପୋଷଣକୁ ମଧ୍ୟ ଗତି ଦେବ ।
ପିଏମ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନରେ ବାଲବାଟିକା ଶିଶୁଙ୍କ ସହ ଦେଶର ସରକାରୀ ଏବଂ ସରକାର ଅନୁଦାନ ପ୍ରାପ୍ତ ସ୍କୁଲ ଗୁଡ଼ିକ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ଣ ଭୋଜନ ଦିଆଯିବ । ଦେଶର ୧୧.୨୦ ଲକ୍ଷ ସ୍କୁଲରେ ପାଠ ପଢ଼ୁଥିବା ୧୧.୮୦ କୋଟି ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହେବେ । ଏହି ଯୋଜନାରେ ଡିବିଟି ମାଧ୍ୟମରେ ସ୍କୁଲକୁ ସିଧାସଳଖ ଟଙ୍କା ପହଁଚାଇବାରେ ବ୍ୟବସ୍ଥା କରାଯାଇଛି ।
ଭୋକାଲ ଫର୍ ଲୋକାଲକୁ ସହଯୋଗ ଓ ଆତ୍ମନିର୍ଭର ଭାରତ ଅଭିଯାନର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପୋଷଣ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ଏଫପିଓ ଏବଂ ମହିଳା ଏସଏଚଜିଙ୍କୁ ଯୋଡ଼ିବ । ପ୍ରଧାନମନ୍ତ୍ରୀ ଜିରୋ ହଙ୍ଗର ସହ ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟକୁ ପୂରଣ କରିବା ପାଇଁ ନିରନ୍ତର ସହଯୋଗ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।
Comments are closed.