ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ପ୍ୟାକେଜର ଘୋଷଣା କଲେ କେନ୍ଦ୍ର ସରକାର
ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ପ୍ୟାକେଜର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଛୋଟ କମ୍ପାନୀ ଓ ଏହି କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ଆଜି ଘୋଷଣା କରିଛନ୍ତି । ୧୦୦ରୁ କମ୍ କର୍ମଚାରୀ କାମ କରୁଥିବା ସଂସ୍ଥାର ଇପିଏଫ୍ ସରକାର ଭରଣା କରିବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଏଥିରେ କିଛିଟା ନିର୍ଦିଷ୍ଟ ସର୍ତ ରହିଛି । ୧୦୦ରୁ କମ୍ କର୍ମଚାରୀ କାମ କରୁଥିବା କମ୍ପାନୀ ଏବଂ ଏହାର ୯୦% କର୍ମଚାରୀଙ୍କ ବେତନ ୧୫୦୦୦ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ । ଏପରି କ୍ଷେତ୍ରରେ ପୂର୍ବରୁ ସରକାର ୩ ମାସ ପାଇଁ ଇପିଏଫ୍ ଜମା କରିବାକୁ ଘୋଷଣା କରିଥିଲେ ଏବଂ ଏବେ ତାହାକୁ ୬ ମାସ ଅର୍ଥାତ୍ ଅଗଷ୍ଟ ମାସ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି ।ଦେଶରେ ସଂଗଠିତ କ୍ଷେତ୍ରକୁ ଧ୍ୟାନରେ ରଖି ସରକାର ଅଗଷ୍ଟ ପର୍ଯ୍ୟନ୍ତ କମ୍ପାନୀ ଓ କର୍ମଚାରୀଙ୍କ ପକ୍ଷରୁ ନିଜ ଆଡୁ ଇପିଏଫଓରେ ୧୨-୧୨% ଜମା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଯୋଗେ ୪ ଲକ୍ଷରୁ ଅଧିକ ସଂସ୍ଥାକୁ ଲାଭ ମିଳିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏହାଫଳରେ ସରକାରଙ୍କୁ ୨୫୦୦ କୋଟି ଟଙ୍କା ବହନ କରିବାକୁ ପଡ଼ିବ ଓ ୭୫ ଲକ୍ଷରୁ ଅଧିକ କର୍ମଚାରୀ ଏହାଦ୍ବାରା ଲାଭବାନ ହେବେ । ଏହାଛଡ଼ା ଏମଏସଏମଇଗୁଡ଼ିକରେ ପ୍ରାୟ ୫୦ ହଜାର କୋଟିର ପୁଞ୍ଜିଭର୍ତ୍ତି କରାଯିବ ଓ ୧ ହଜାର କୋଟିର କର୍ପସ ଫଣ୍ଡ ଗଠନ କରାଯିବ । ଅନ୍ୟପକ୍ଷରେ ଏଣିକି ୨୦୦ କୋଟି ଟଙ୍କା ପର୍ୟ୍ୟନ୍ତ ସରକାରୀ ଟେଣ୍ଡର ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯିବ ନାହିଁ । ଏହା ଦ୍ୱାରା ଦେଶର ଉଦ୍ୟୋଗମାନେ ଉପକୃତ ହେବେ । ୪୫ ଦିନ ମଧ୍ୟରେ କେନ୍ଦ୍ର ସରକାର ଓ ପିଏସୟୁଗୁଡ଼ିକ ପାଖରେ ଥିବା ଏମଏସଏମଇମାନଙ୍କର ବକେୟା ପରିଶୋଧ କରାଯିବ ।
Comments are closed.