କୋରାପୁଟ ଜିଲ୍ଲା ପୋଲିସକୁ ବଡ଼ ସଫଳତା,୨୨୫ କୋଟିର ଗଞ୍ଜେଇ ତେଲ ଜବତ
କୋରାପୁଟ,୨୬/୦୨:ଆଜି କୋରାପୁଟ ଜିଲ୍ଲା ପୋଲିସ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଓଡ଼ିଶା–ଆନ୍ଧ୍ରପ୍ରଦେଶ ସୀମା ନିକଟସ୍ଥ ପାଡୁଆ ଥାନା ଅଧୀନ ଝୋଲାପୁଟ ଜଙ୍ଗଲ ଅଞ୍ଚଳରେ ଚାଲୁଥିବା ଏକ ଅସ୍ଥାୟୀ ମାନୁଫ୍ୟାକ୍ଚରିଂ ୟୁନିଟ୍ ଉପରେ ଚଢ଼ାଉ କରି ୧୮୦ ଲିଟରରୁ ଅଧିକ ହାଶିଶ ତେଲ (ଗଞ୍ଜେଇରୁ ପ୍ରସ୍ତୁତ) ଜବତ କରାଯାଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୨୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଡିଆଇଜି (ଦକ୍ଷିଣାଞ୍ଚଳ)ଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଯୋଜନାବଦ୍ଧ ଚଢ଼ାଉ କରାଯାଇଥିଲା। ଅଭିଯାନ ସମୟରେ ହାଶିଶ ତେଲ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ଉପକରଣ ମଧ୍ୟ ଜବତ କରାଯାଇଛି। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କୁ ଗିରଫ କରିବା ପାଇଁ ଚଢଉ ଜାରି ରହିଛି ।
ସେହିପରି ଅନ୍ୟ ଏକ ଅଭିଯାନରେ ନନ୍ଦପୁର ଥାନା ପୋଲିସ ୧୧୪୩ କେ.ଜି. ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ। ୨ଟି ମହିନ୍ଦ୍ରା ପିକଅପ୍ ଗାଡ଼ିରେ ଚୋରା ଚାଲାଣ ହେଉଥିବା ସମ୍ପର୍କରେ ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଗିରଫ ହୋଇଥିବା ୨ ଜଣ ବ୍ୟକ୍ତି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ ଜଣ ହରିୟାଣାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମାମଲାର ତଦନ୍ତ ଜାରି ରହିଛି।
ଓଡ଼ିଶା ପୋଲିସ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଗଞ୍ଜେଇ ଚାଷ ଓ ମାଦକଦ୍ରବ୍ୟ କାରବାରକୁ ରୋକିବା ପାଇଁ ସ୍ୱତନ୍ତ୍ର ଓ ସଂଗଠିତ ଅଭିଯାନ ଜାରି ରଖିଛି। ଏହି ଅଭିଯାନର ଫଳସ୍ଵରୂପ ଅପରାଧୀମାନେ ତାଙ୍କର କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରୁଛନ୍ତି। ଗଞ୍ଜେଇ ପରିମାଣରେ ବହୁଳ ଓ ଆୟତନରେ ବଡ଼ ହେତୁ ଏହାର ପରିବହନ କଷ୍ଟସାଧ୍ୟ ହେବା ସହିତ ସହଜରେ ଧରାପଡ଼ିବାର ସମ୍ଭାବନା ବେଶି ରହେ। ଏହାର ପ୍ରଭାବରେ ଅପରାଧୀମାନେ ଗଞ୍ଜେଇରୁ ହାଶିଶ ତେଲ ପ୍ରସ୍ତୁତ କରି ସ୍ୱଳ୍ପ ପରିମାଣରେ ଉଚ୍ଚ ମୂଲ୍ୟର ମାଦକଦ୍ରବ୍ୟ ପରିବହନ କରିବା ପରି ନୂତନ କୌଶଳ ଆପଣାଇବାକୁ ଚେଷ୍ଟା କରୁଛନ୍ତି। ୧ ଲିଟର ହାଶିଶ ତେଲର ବଜାର ମୂଲ୍ୟ ପ୍ରାୟ ୧ କେଜି ଗଞ୍ଜେଇ ମୂଲ୍ୟଠାରୁ ପ୍ରାୟ ୨୫ ଗୁଣ ଅଧିକ ଥିବାରୁ ଅପରାଧୀମାନେ ଅଧିକ ଟଙ୍କା ରୋଜଗାର କରିବା ଆଶାରେ ଏହା ପ୍ରସ୍ତୁତ କରୁଛନ୍ତି ।
ପୂର୍ବରୁ ଚିତ୍ରକୋଣ୍ଡା ଥାନା କେଶ ନମ୍ବର 213/25 ଅନୁଯାୟୀ 60 କେଜି ହାଶିଶ ତେଲ ଜବତ କରାଯିବା ସହ ଘଟଣାରେ ସମ୍ପୃକ୍ତ ଥିବା 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେହିପରି ଚିତ୍ରକୋଣ୍ଡା ଥାନା କେଶ ନମ୍ବର 40 /26 ଅନୁଯାୟୀ 2 କେଜି ହାଶିଶ ତେଲ ଜବତ କରାଯାଇ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
Comments are closed.