ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ଉପସ୍ଥାପନ

Share It

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ଉପସ୍ଥାପନ କରାଯାଇଛି ।

ମହିଳା ଓ ଶିଶୁଙ୍କ ସୁରକ୍ଷା ଆମ ସରକାରର ସର୍ବୋଚ୍ଚ ପ୍ରାଥମିକତା। ଏହି ପରିପ୍ରେକ୍ଷୀରେ, ମହିଳା Help line ସ୍ଥାପନ ଓ ଦୃଢୀକରଣ, ପ୍ରାୟ ୧୦୦ଟି ସଂବେଦନଶୀଳ ଅଞ୍ଚଳରେ ସିସିଟିଭି ସ୍ଥାପନା, ଶିଶୁ ଅନୂକୁଳ ଥାନା ସ୍ଥାପନ ଆଦି ବିଭିନ୍ନ କାର୍ଯ୍ୟକୁ ସମନ୍ଵିତ କରି ସୁଭଦ୍ରା ସୁରକ୍ଷା ଯୋଜନାରେ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୧୫୨.୬ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ଯାହା ମହିଳା ସୁରକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି Cyber crime ଆଜି ସମାଜ ସମ୍ମୁଖରେ ଏକ ବିରାଟ ଆହ୍ଵାନ। ବୈଷୟିକ ବିଦ୍ୟାର ପ୍ରଚାର ଓ ପ୍ରସାର ବୃଦ୍ଧି ସଙ୍ଗେ ସଙ୍ଗେ Cyber crime ରେ ମାତ୍ରାଧିକ ବୃଦ୍ଧି ପରିଲକ୍ଷିତ ହେଉଛି । ରାଜ୍ୟରେ ବୃଦ୍ଧି ପାଉଥିବା ଏହି ସାଇବର ଅପରାଧକୁ ଦୃଢତାର ସହ ମୁକାବିଲା କରିବା ଉପରେ ଆମ ସରକାର ବିଶେଷ ଗୁରୁତ୍ଵ ଦେଉଛନ୍ତି । ସଂପ୍ରତି ୧୪ଟି ଜିଲ୍ଲାରେ ସାଇବର ଥାନା ଚାଲୁଅଛି । ଅବଶିଷ୍ଟ ୨୦ ଟି ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏଁ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ତୁରନ୍ତ ପ୍ରତିଷ୍ଠା କରିବା ପାଇଁ ଆମ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଏତଦବ୍ୟତୀତ, ଭୁବନେଶ୍ଵରସ୍ଥିତ ସାଇବର କମ୍ପ୍ଲେକ୍ସ ଠାରେ ୧୯୩୦ ସାଇବର୍‌ କ୍ରାଇମ୍ ହେଲ୍ପଲାଇନ୍ କାର୍ଯ୍ୟ କରୁଛି। ତା ୧.୦୬.୨୦୨୪ ରିଖରୁ ୨୮.୦୨.୨୦୨୫ ମଧ୍ୟରେ ସାଇବର ଠକେଇର ଶିକାର ହୋଇଥିବା ଲୋକଙ୍କୁ ପ୍ରାୟ ୩ କୋଟି ୧୯ ଲକ୍ଷ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ସେହି ସମୟ ମଧ୍ୟରେ ଠକେଇ ହୋଇଥିବା ପ୍ରାୟ ୨୭ କୋଟି ୦୬ ଲକ୍ଷ ଟଙ୍କାର କାରବାର ଉପରେ ରୋକ ଲଗାଯାଇ ପାରିଛି ।

ନିଶା ବିରୋଧରେ କଠୋର ପଦକ୍ଷେପ ନେବାପାଇଁ ଆମ ସରକାର ସର୍ବଦା ସଂକଳ୍ପବଦ୍ଧ।  ଗତବର୍ଷ ନଭେମ୍ବର ୦୧ ତାରିଖରୁ ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ଏକ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା । ୨୦୨୫ ମସିହା ୧୯ ମାର୍ଚ୍ଚ ସୁଦ୍ଧା ସର୍ବମୋଟ ୨୫୩ଟି ମାମଲା ରୁଜୁ କରାଯାଇ ୮୯୮ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯିବା ସହ ୩୦୮ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟସୀମା ମଧ୍ୟରେ ଗଞ୍ଜେଇ ଚାଷର ସମ୍ପୁର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ ପୋଲିସ ପ୍ରଚେଷ୍ଟା କରୁଛି। ୨୦୨୫ ମସିହା ୧୯ ମାର୍ଚ୍ଚ ପର୍ଯ୍ୟନ୍ତ ରେକର୍ଡ ପରିମାଣର ୨୭୭୨୧ ଏକର ଗଞ୍ଜେଇ ଚାଷକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ । ସେହିପରି ବ୍ରାଉନ ସୁଗାର ଚୋରା କାରବାର ଉପରେ ରୋକ ଲଗାଇବାକୁ ରାଜ୍ୟ ପୋଲିସ ନିୟମିତ ବ୍ଯବଧାନରେ ଚଢାଉ ଜାରି ରଖିଛି।

ଓଡିଶା ପୋଲିସକୁ ଆହୁରି ସଶକ୍ତ କରିବା ପାଇଁ ରାଜ୍ୟ ସରକାର ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି l ଆମ ସରକାର ଶାସନକୁ ଆସିବା ପରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ବର୍ଗରେ ଖାଲି ପଡିଥିବା ୨୯୨୨ ଗୋଟି ପଦବୀକୁ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ କରିବାକୁ ଅନୁମୋଦନ କରିବା ସହ ଦ୍ଵିତୀୟ ପର୍ଯ୍ୟାୟରେ ବିଭିନ୍ନ ବର୍ଗରେ ୯୫୫ ପଦବୀ ପୂରଣ କରିବାକୁ ମଧ୍ୟ ଅନୁମୋଦନ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଉକ୍ତ ପଦବୀଗୁଡିକର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ସାରା ରାଜ୍ୟରେ ଦେଖା ଦେଇଥିବା ଟ୍ରାଫିକ ସମସ୍ୟାକୁ ସୁଧାରିବାକୁ ଟ୍ରାଫିକ ପୋଲିସରେ ଅତିରିକ୍ତ ୨୦୦୦ ଗୋଟି ପଦବୀ ସୃଷ୍ଟି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୂଚାରୁରୂପେ ମୁକାବିଲା କରିବା ପାଇଁ ଆମ ସରକାର ସଦାସର୍ବଦା ଉଦ୍ୟମ ଜାରି ରଖିଛନ୍ତି । ଏଥିପାଇଁ ପୋଲିସ ବିଭାଗକୁ ଅଧିକ ଶକ୍ତିଶାଳୀ କରିବା ନିମନ୍ତେ ଅଧିକ ଆଇ.ଆର ବାଟାଲିୟନ ଓ ଓ.ଆଇ.ଏସ.ଏଫ. ବାଟାଲିୟନ ପ୍ରତିଷ୍ଠା କରିବାକୁ ସରକାର ବିଚାର କରୁଛନ୍ତି। ଏହା ଛଡା ୩ ଟି OSSF ବାଟାଲିୟନ (ଓଡିଶା ସ୍ପେଶାଲ ଷ୍ଟ୍ରାଇକିଙ୍ଗ ଫୋର୍ସ) ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ଏହାର ୩୦୦୯ଟି ବିଭିନ୍ନ ବର୍ଗର ପଦବୀକୁ ପୂରଣ କରିବା ପ୍ରକ୍ରିୟା ଜାରି ରହିଛି ।

ରାଜ୍ୟ ପୋଲିସ ବିଭାଗର ଆଧୂନିକୀକରଣ ପାଇଁ Assistance to States & UTs for Modernization of Police (ASUMP) ଯୋଜନାରେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ନିମନ୍ତେ ସର୍ବ ମୋଟ ₹୨୫.୫୫ କୋଟି ଟଙ୍କା (କେନ୍ଦ୍ରୀୟ ଅନୁଦାନ ₹୧୫.୩୩ କୋଟି ଟଙ୍କା + ରାଜ୍ୟ ଅଂଶ ₹୧୦.୨୨କୋଟି ଟଙ୍କା) କେନ୍ଦ୍ର ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଥିଲା । ଉକ୍ତ ଅନୁମୋଦିତ ରାଶିରୁ ₹୧୨.୭୭୫୦ କୋଟି ଟଙ୍କା (କେନ୍ଦ୍ରୀୟ ଅନୁଦାନ ₹୭.୬୬୫୦ କୋଟି ଟଙ୍କା + ରାଜ୍ୟ ଅଂଶ ₹୫.୧୧ କୋଟି ଟଙ୍କା) ରାଜ୍ୟ ସରକାରଙ୍କ ଦ୍ଵାରା ତା ୨୭.୦୨.୨୦୨୫ ରିଖରେ ପ୍ରଦାନ କରାଗଲା। ଉକ୍ତ ରାଶିରୁ ତା ୨୦.୦୩.୨୦୨୫ ରିଖ ପର୍ଯ୍ୟନ୍ତ ₹୭,୫୭,୧୭,୦୭୮ ଟଙ୍କା ବିନିଯୋଗ କରି Smart Policing ଉପକରଣ ଯଥା ଯୋଗାଯୋଗ ଉପକରଣ, ଫରେନସିକ ତାଲିମ, ଗୁଇନ୍ଦା ସୁରକ୍ଷା ଉପକରଣ, ସାଇବର ପୋଲିସିଂ, ସ୍ମାର୍ଟ ପୋଲିସିଂ ଉପକରଣ, ନିରାପତ୍ତା ଉପକରଣ, ଅତ୍ୟାଧୁନିକ ଯାନବାହନ ଆଦି କ୍ରୟ କରାଯାଉଛି ।

ଚଳିତ ବର୍ଷ ୧୬ଟି ଥାନାର ନବନିର୍ମିତ ଗୃହକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏହି ଥାନା ଗୁଡିକରେ ସମସ୍ତ ଆଧୁନିକ ବ୍ୟବସ୍ଥା ନିହିତ ରହିଛି। ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ନିରାକରଣ ପାଇଁ ଆମ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ଥାନା ଗୁଡିକୁ ଅଧିକ କ୍ରିୟାଶୀଳ ଏବଂ ପୋଲିସକୁ ଆହୁରି ଲୋକାଭିମୁଖୀ କରିବାକୁ ଆଗାମୀ ଦିନରେ ସମସ୍ତ ଥାନାମାନଙ୍କରେ ଅତିରିକ୍ତ ଯାନ ହିସାବରେ ଦ୍ରୁତ ଗାମୀ ସ୍କର୍ପିଓ ଗାଡି ଯୋଗାଇ ଦିଆଯାଉଛି । ଏତଦ ବ୍ୟତୀତ ପ୍ରତ୍ୟେକ ଥାନାକୁ ୬ ଗୋଟି ନୂଆ ମୋଟର ସାଇକେଲ ମଧ୍ୟ ଦିଆ ଯିବାକୁ ପଦକ୍ଷେପ ନିଆ ଯାଇଛି ।

୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ ଅନୁଦାନରେ ବିଭିନ୍ନ କିସମର ଯାନବାହାନ କ୍ରୟ ନିମନ୍ତେ ରାଜ୍ୟ ସରକାର ମୋଟ ୬୩.୮୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । ସେହିଭଳି, କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷରେ ASUMP ଯୋଜନାରେ ବିଭିନ୍ନ କିସମର ଯାନବାହାନ କ୍ରୟ କରିବା ପାଇଁ ୩.୭୮ କୋଟି ଟଙ୍କା ( କେନ୍ଦ୍ରୀୟ ଅନୁଦାନ ୨.୨୭ କୋଟି ଟଙ୍କା + ରାଜ୍ୟ ଅନୁଦାନ ୧.୫୧ କୋଟି ଟଙ୍କା ) ଅନୁମୋଦନ ପ୍ରଦାନ କରିଛନ୍ତି ।ଆବଶ୍ୟକତାକୁ ଦୃଷ୍ଟିରେ ରଖି , ଉପରୋକ୍ତ ପାଣ୍ଠିକୁ ବିନିଯୋଗ କରି ୪୪ ଟି ବସ୍ , ୧୨ ଟି ଟ୍ରକ୍ , ୩ ଟି ବୁଲେଟ ପୃଫ ଯାନ, ୬ ଟି ମଧ୍ୟମ ଯାନ, ୧ ଟି ଆମ୍ବୁଲାନ୍ସ , ୧୦ ଟି ପ୍ରିଜନ୍ ଭ୍ୟାନ,୦୯ ଟି ଦ୍ରୁତଗାମୀ ହାଲୁକା ଯାନ , ୮୨ ଟି ହାଲୁକା ମୋଟର ଯାନ , ୨୭୦୦ ଟି ମୋଟର ସାଇକେଲ୍, ୨୦୦ ଟି ବୁଲେଟ ମଟର ସାଇକଲ, ୭୫୫ ଗୋଟି ସ୍କୁଟି ଏବଂ ୦୨ ଟି ରକ୍ଷକ ଯାନ କ୍ରୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏତଦବ୍ୟତୀତ, ୨୫୫ଟି ହାଲୁକା ମଟରଯାନ କ୍ରୟ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ଅପରାଧ ନିୟନ୍ତ୍ରଣ କରିବା ହେଉଛି ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା । ସାମୂହିକ ପ୍ରୟାସ , ଜ୍ଞାନ କୌଶଳ ଏବଂ ଦୁରଦୃଷ୍ଟି ଦ୍ଵାରା ରାଜ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ଆମ ସରକାର ପ୍ରତିଶୃତିବଦ୍ଧ ।

ଅପରାଧ ଓ ଜରୁରୀ ସମୟରେ ତୁରନ୍ତ ସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ( Emergency Response Support System) ERSS ୨୦୨୧ ମସିହାରେ କେନ୍ଦ୍ର ସରକାରଙ୍କ ସହାୟତାରେ କାର୍ଯ୍ୟକାରୀ କରିଛନ୍ତି । ଯେଉଁଥିରେ , ଡାଏଲ୍ ୧୧୨ ହେଲ୍ପଲାଇନ ଓଡିଶାର ସମସ୍ତ ଜିଲ୍ଲାରେ କାର୍ଯ୍ୟ କରିବା ସହିତ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଯେପରିକି ପୋଲିସ (୧୦୦)ଅଗ୍ନିଶମ (୧୦୧)ରେଳ ମଦଦ (୧୩୯)ବିପର୍ଯ୍ୟୟ ପରିଚାଳନା (୧୦୭୦) ଆମ୍ବୁଲାନ୍ସ ସେବା (୧୦୮) ଏବଂ ଶିଶୁ ହେଲ୍ପଲାଇନ ସେବା (୧୦୯୮) ସହିତ ସମନ୍ଵିତ ହୋଇଛି । ଜରୁରୀକାଳିନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା କୁ ଅଧିକ ସୁଦୃଢ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।
ERSS ର କାର୍ଯ୍ୟକାରିତା ବୃଦ୍ଧି ନିମନ୍ତେ ଏହାର ଦ୍ଵିତୀୟ ପର୍ଯ୍ୟାୟ ସଂପ୍ରସାରଣ ୨୦୨୫-୨୬ ରୁ ୨୦୨୮-୨୯ ମଧ୍ୟରେ କରିବାକୁ ସରକାର ବିଚାର କରୁଛନ୍ତି । ପ୍ରତିଶୃତି ମୁତାବକ ୧୨୪୩ ଗୋଟି ନୂଆ ପଦବୀ ସୃଷ୍ଟିର ପ୍ରକ୍ରିୟା ଆରମ୍ଭ ହୋଇଛି ।

ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାରେ ୯୪୧ ଜଣ ଅଗ୍ନିଯୋଦ୍ଧା ଓ ଅଗ୍ନୀଯୋଦ୍ଧା ଗାଡିଚାଳକଙ୍କୁ ନିଯୁକ୍ତି ଦିଆଯାଇଅଛି ଓ ସେମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଉଅଛି ।

ସରକାର ଗୃହରକ୍ଷୀ ମାନଙ୍କ ନିଯୁକ୍ତି ବନ୍ଦ କଟକଣାକୁ ଉଠାଇଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଗୃହରକ୍ଷୀ ମାନଙ୍କ ମଞ୍ଜୁରିପ୍ରାପ୍ତ ସଂଖ୍ୟା ୧୭୬୭୫, ଅଧୁନା ୧୫,୦୫୯ ଜଣ ଗୃହରକ୍ଷୀ କାର୍ଯରତ ଅଛନ୍ତି ଏବଂ ଖାଲିଥିବା ପଦବୀ ସଂଖ୍ୟା ୨୬୧୬ ପୂରଣ କରିବା ପାଇଁ ଜିଲ୍ଲା ସ୍ତରରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ।

ଆମ ସରକାର ଆଇନ ଶୃଙ୍ଖଳା ରକ୍ଷା ଓ ଲୋକଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେବା ସହିତ ଜେଲ ବିଭାଗର ସୁଦୃଢୀକରଣ ତଥା ବନ୍ଦୀ ମାନଙ୍କର ସୁବିଧା ସୁଯୋଗ ଓ ସେମାନଙ୍କର ସଂସ୍କାର ପାଇଁ ନିରନ୍ତର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଏଠାରେ ଗୃହକୁ ଜଣାଇ ଦେବାକୁ ଚାହେଁ ଯେ ରାଜ୍ୟର ପ୍ରମୁଖ ସହରଗୁଡିକ ମଧ୍ୟରେ ଥିବା କାରାଗାରଗୁଡିକର ସୁରକ୍ଷାକୁ ଦୃଷ୍ଟିରେ ରଖି ସହରର ଉପକଣ୍ଠକୁ ସ୍ଥାନାନ୍ତରିତ କରିବା ପାଇଁ ପଦକ୍ଷେପ ନିଆଯାଇଛି ।

କାରାଗାରଗୁଡିକର ବନ୍ଦୀ ମାନଙ୍କୁ ଆଧୁନିକ ସୁବିଧା ଯୋଗାଇ ଦେବା ସହିତ କାରାଗାରର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଧୁନିକ ସୁବିଧା ସହିତ ସଜ୍ଜିତ ଖୋର୍ଦ୍ଧା ଜିଲ୍ଲାର ଜାମୁଝରୀରେ ୨୫୦୦ କ୍ଷମତା ବିଶିଷ୍ଟ ନୂତନ ମଡେଲ ଜେଲ ଆଧୁନିକ ସଂଶୋଧନ ମାନଦଣ୍ଡ ଅନୁସାରେ ଅତ୍ୟାଧୁନିକ ସୁବିଧା ସହିତ ଏକ ନୂତନ ଜେଲ ନିର୍ମାଣ କରାଯାଉଅଛି ଏବଂ ଯାଜପୁର ଜିଲ୍ଲାର ଏରବାଙ୍କାରେ ୫୦୦ କ୍ଷମତା ବିଶିଷ୍ଟ ଏକ ନୂତନ ଜିଲ୍ଲା କାରାଗାର ନିର୍ମାଣ କରାଯାଉଛି । ଏତଦବ୍ୟତୀତ ଭଦ୍ରକ ଜିଲ୍ଲାର ବାହୁଦରଡା ଠାରେ ୫୦୦ କ୍ଷମତା ବିଶିଷ୍ଟ ନୂତନ ଜିଲ୍ଲା ଜେଲ୍ ନିର୍ମାଣ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଅଛି ।

ରାଜ୍ୟରେ ୬୪୫ ଗୋଟି ଥାନାରେ ସି.ସି.ଟି.ଭି. ଲଗାଯାଇଥିବା ବେଳେ ୨୯୫ ଟି ଫାଣ୍ଡିରେ ସିସିଟିଭି ଲଗାଯିବାର କାର୍ଯ୍ୟ ଜାରି ରହିଛି । ଖୁବଶୀଘ୍ର ଏହି ପ୍ରକ୍ରିୟା ସମାପ୍ତ ହେବ।

ରାଜ୍ୟ ସରକାର ଉପକୂଳ ସୁରକ୍ଷାକୁ ଅଧିକ ସୁଦୃଢ ଓ କଡାକଡି କରିବା ଉପରେ ଗୁରୁତ୍ଵ ଦେଉଛନ୍ତି । ଓଡ଼ିଶା ଉପକୂଳ ସୁରକ୍ଷାର ଆଧୁନିକୀକରଣ ନିମନ୍ତେ ଆମ ସରକାର ୨୦୨୪-୨୫ ଅତିରିକ୍ତ ବଜେଟରେ ୨୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଉକ୍ତ ଅର୍ଥରାଶିକୁ ବିନିଯୋଗ କରି ସାମୁଦ୍ରିକ ପାଟ୍ରୋଲିଂ ପାଇଁ ଟ୍ରଲର ଭଡାରେ ଆଣିବା , ଭୁବନେଶ୍ଵର ଠାରେ ଉପକୂଳ ସୁରକ୍ଷା ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରିବା, ପ୍ରତ୍ୟେକ ସାମୁଦ୍ରିକ ଥାନା ପାଇଁ ଡ୍ରୋନ କ୍ରୟ କରିବା , ନୌସେନା ବିଶେଷଜ୍ଞ ଓ ବୈଷୟିକ ପରାମର୍ଶଦାତାଙ୍କୁ ନିୟୋଜିତ କରିବା , ମାଛ ଧରା ଅବତରଣ କେନ୍ଦ୍ରରେ ସ୍ୱତନ୍ତ୍ର ସାମୁଦ୍ରିକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରିବା ଏବଂ ସମସ୍ତ ସାମୁଦ୍ରିକ ଥାନା ଗୁଡିକରେ କମ୍ୟୁନିଟି ପୋଲିସିଂ କାର୍ଯ୍ୟକଳାପ ପରିଚାଳନା କରିବା ଇତ୍ୟାଦି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।

ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ୨୦୦୧ ମସିହାରେ “ ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ” (ODRAF) ନାମରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଥିଲା । ପୂର୍ବ ସରକାର ODRAF ର ୨୦ ଗୋଟି ୟୁନିଟ୍ ସୃଷ୍ଟି କରି ବିଭିନ୍ନ ସ୍ଥାନରେ ମୁତୟନ କରିଥିଲେ। ଆମ ସରକାର କ୍ଷମତାକୁ ଆସିବାର ଅଳ୍ପ ଦିନ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏହି ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ଆଉ ୧୦ ଟି ୟୁନିଟ୍ ବୃଦ୍ଧି କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି।ବର୍ତ୍ତମାନ ପ୍ରଚଳିତ ନୂତନ ଅପରାଧିକ ଆଇନ୍, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ଆହୁରି ଅଧିକ କ୍ରିୟାଶୀଳ କରିବା ପାଇଁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନୂତନ ଆଇନ ବର୍ତ୍ତମାନ ସମୟରେ ଲୋକଙ୍କୁ ତ୍ଵରିତ ନ୍ୟାୟ ଦେବାରେ ନିଶ୍ଚିତ ଭାବେ ସହାୟକ ହେବ। ନୂତନ ଅପରାଧିକ ଆଇନ ଲାଗୁ ହେବା ପରେ ଏହାର ବିଭିନ୍ନ ଦିଗ, କାର୍ଯ୍ୟକାରିତା, ଦୈନନ୍ଦିନ ଜୀବନରେ ଏହାର ପ୍ରଭାବ ସଂକ୍ରାନ୍ତରେ ଓଡିଶା ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି | ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, କଲେଜ ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ବଜାର ସଂଘର ସଦସ୍ୟମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି, ଯାହାକି ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ।

ଅପରାଧ ନିରାକରଣ, ସାଇବର ଅପରାଧ ନିୟନ୍ତ୍ରଣ, ଅପରାଧ ଅନୁସନ୍ଧାନ କ୍ଷେତ୍ରରେ ବୈଷୟିକ ବିଦ୍ୟାର ପ୍ରୟୋଗୀକରଣ, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାର ଆଧୂନିକୀକରଣ, ଅପରାଧ ଅନୁଶୀଳନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ, Anti drone technology centre of cyber excellency ସ୍ଥାପନ ଆଦି ବ୍ୟବସ୍ଥାର ଉପଯୋଗ କରି ପୋଲିସକୁ ଆଧୁନିକ ଏବଂ ବୈଷୟିକ କୌଶଳଯୁକ୍ତ କରିବା ପାଇଁ ଆମ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଏହି ବଜେଟରେ ଏଥିପାଇଁ ବ୍ୟୟ ବରାଦ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି


Share It

Comments are closed.