ବ୍ରେଣ୍ଡନ ଟେଲରଙ୍କୁ ସାଢ଼େ ତିନି ବର୍ଷ ବାସନ୍ଦ କଲା ଆଇସିସି
ଜିମ୍ବାୱେର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲର ଆଇସିସିର ଦୁର୍ନୀତି ନିବାରଣ ସଂହିତା ଉଲ୍ଲଂଘନ କରି ସମସ୍ତ ପ୍ରକାର କ୍ରିକେଟରୁ ସାଢ଼େ ତିନିବର୍ଷ ବାସନ୍ଦ ହୋଇଛନ୍ତି । ଗତ ୨୪ ତାରିଖରେ ଟେଲର ଟ୍ୱିଟରରେ ଜଣେ ଭାରତୀୟ ବ୍ୟବସାୟୀ ୨୦୧୯ରେ ତାଙ୍କୁ ସ୍ପଟ୍ ଫିକ୍ସିଂ କରିବାକୁ ପ୍ରସ୍ତାବ ଦେଇଥିବା ଏବଂ ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ବିଷୟ ଉଜାଗର କରିଥିଲେ । ଏହାର ୩ଦିନ ପରେ ଆଜି ଆଇସିସିର ଦୁର୍ନୀତି ନିବାରଣ ୟୁନିଟ୍ ପକ୍ଷରୁ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଟେଲରଙ୍କୁ ବାସନ୍ଦ ବ୍ୟତୀତ ଡ୍ରଗ୍ସ ସେବନ ପାଇଁ ଗୋଟିଏ ମାସ ସସ୍ପେଣ୍ଡ କରାଯାଇଛି ।
ଆଇସିସି ପକ୍ଷରୁ କୁହାଯାଇଛି ଯେ, ଟେଲର ପୂର୍ବରୁ ସ୍ପଟ୍ ଫିକ୍ସିଂ ପ୍ରସ୍ତାବ ବିଷୟରେ କୌଣସି ସୂଚନା ଦେଇନଥିଲେ । ଏହା ଦୁର୍ନୀତି ନିବାରଣ ସଂହିତା ଉଲ୍ଲଂଘନ କରୁଥିବାରୁ ତାଙ୍କୁ ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ କରାଯାଇଛି । ସେ ନିଜ ଦୋଷ ସ୍ୱୀକାର କରିବା ସହ ବାସନ୍ଦାଦେଶ ଗ୍ରହଣ କରିଥିବାରୁ ଏହି ମାମଲାରେ ଆଉ ପରବର୍ତ୍ତୀ ଶୁଣାଣି ହେବନି । ସେ ୨୦୨୫ ଜୁଲାଇ ୨୮ ତାରିଖରେ ପୁଣିଥରେ କ୍ରିକେଟ୍କୁ ଫେରିପାରିବେ ।’
ଟେଲର କହିଥିଲେ ଯେ, ଜଣେ ଭାରତୀୟ ବ୍ୟବସାୟୀ ୨୦୧୯ରେ ଜିମ୍ବାୱେରେ ଟିଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଆୟୋଜନ ଏବଂ ପ୍ରାୟୋଜକ ପାଇଁ ମୋତେ ଭାରତ ଡକାଇଥିଲେ । ତାଙ୍କ ସହ ବୈଠକ ବେଳେ ମୁଁ ଭୁଲରେ ଡ୍ରଗ୍ସ ସେବନ କରିଥିଲି । ଏହାପରେ ସେ ମୋତେ ୨୦୨୦ ବାଂଲାଦେଶ ଗସ୍ତରେ ସ୍ପଟ୍ ଫିକ୍ସିଂ କରିବାକୁ କହିଥିଲେ । କିନ୍ତୁ ମୁଁ ଫିକ୍ସିଂ କରିବାକୁ ମନା କରିଥିଲି ।’ ସୂଚନାଯୋଗ୍ୟ, ଟେଲର ଗତବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।
Comments are closed.