ଅଭଦ୍ରାମୀର ଚରମ ସୀମାରେ ବିଜେପି ସଦସ୍ୟ, ବାଚସ୍ପତିଙ୍କ ଉପରେ ଚପଲ ଫିଙ୍ଗିଲେ ବିଜେପିର ୨ ବିଧାୟକ

Share It

ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ । ଗୃହ କାର୍ଯ୍ୟ ଚାଲିଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଛନ୍ତି ବିଜେପି ସଦସ୍ୟ । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଜଣାପଡିଛି । କେବଳ ସେତିକି ନୁହେଁ ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ବାଚସ୍ପତିଙ୍କୁ ଲକ୍ଷ୍ୟ କରି ପୋଡିୟମ୍ ଉପରକୁ ଇୟରଫୋନ୍ ଓ କାଗଜ ଫିଙ୍ଗିଥିବା ଦେଖିବାକୁ ମିଳିଛି ।

ଗୃହରେ ବିରୋଧୀଙ୍କ ହଙ୍ଗାମା ଓ ହୋହଲ୍ଲା ସାଧାରଣ କଥା ହୋଇଥିବା ବେଳେ ଆଉ ପାଦେ ଟପିଯାଇ ଏପରି ଆଚରଣ ଦେଖାଇଛନ୍ତି ବିଜେପି ବିଧାୟକ । ଏହାକୁ ନେଇ ଶାସକ ଦଳ ବିଧାୟକ ଏବଂ ବିରୋଧୀ ବିଜେପି ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ଏବଂ ଆକ୍ଷେପ ପ୍ରତି ଆକ୍ଷେପରୁ ଗୃହ କମ୍ପିଛି ।

ଶନିବାର ଗୃହ କାର୍ଯ୍ୟ ଆରମ୍ଭରୁ ହୋଇଥିଲା ହଟ୍ଟଗୋଳ । ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଗତ କରି ଆଲୋଚନା ଦାବି କରିଥିଲେ କଂଗ୍ରେସ ସଦସ୍ୟ । କିନ୍ତୁ ବାଚସ୍ପତି ଏଥିପାଇଁ କଂଗ୍ରେସ ସଦସ୍ୟଙ୍କୁ ଅନୁମତି ଦେଇନଥିଲେ । ଫଳରେ କଂଗ୍ରେସ ବିଧାୟକମାନେ ଏହାର ବିରୋଧ କରି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟମାନେ କଂଗ୍ରେସ ବିଧାୟକମାନଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ କରିଥିଲେ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିନଥିଲା ଏବଂ ବାଚସ୍ପତି ଗୃହକୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏହାପରେ ମଧ୍ୟାହ୍ନରେ ସରକାର ତରବରିଆ ଭାବେ ସଂଶୋଧିତ ଲୋକାୟୁକ୍ତ ବିଲ୍ ୨୦୨୧କୁ ଗୃହୀତ କରାଇନେଇଥିଲେ । ଏହାର ପ୍ରତିବାଦରେ ବିଜେପି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିବା ସହ ପୋଡିୟମ୍ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ । ତେବେ ଉଚ୍ଛୃଙ୍ଖଳତାର ସୀମା ଟପି ଦୁଇ ବରିଷ୍ଠ ବିଜେପି ବିଧାୟକ ବାଚସ୍ପତିଙ୍କ ଆସନକୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଧାନସଭାର ଚଳିତ ଅଧିବେଶନ ବେଶ୍ ସରଗରମ ରହିଛି । ଧାନ ମଣ୍ଡି, ଆଇନଶୃଙ୍ଖଳା ଏବଂ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଙ୍ଗାମା ଓ ହଟ୍ଟଗୋଳ, ଶାସକ ଦଳ ସଦସ୍ୟଙ୍କ କଥା କଟାକଟି ଆଦି କାରଣରୁ ବାରମ୍ବାର ଗୃହ ଅଚଳ ହୋଇଛି । ଏପରିକି ଗୃହ କାର୍ଯ୍ୟ ସ୍ବାଭାବିକ କରିବା ଦାବିରେ ନାଟକୀୟ ଢଙ୍ଗରେ ବିଜେପି ଏବଂ ବିଜେଡି ବିଧାୟକଙ୍କ ଶୋଭାଯାତ୍ରା ଓ ନବୀନ ନିବାସ ଚାଲ ଅଭିଯାନ ବେଶ୍ ଚର୍ଚ୍ଚିତ ହୋଇଛି । ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲେ ବି ପରେ ପୁଣି ହଟ୍ଟଗୋଳ ଗୃହ କାର୍ଯ୍ୟକୁ ପ୍ରଭାବିତ କରିଛି ।


Share It

Comments are closed.